ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ!

ଶବାଗାରରେ ପଡ଼ିରହିଛି ଶବ, ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ

ରାଉରକେଲା/ବଣାଇଗଡ଼: ବଣାଇ ଉପ କାରାଗାରର ଜଣେ ବିଚାରାଧୀନ କଏଦୀ ଦେବାନନ୍ଦ ସିଂ(୪୦)ଙ୍କ ସନ୍ଦେହଜନକ ମୃତ୍ୟୁହୋଇଛି। ଅବକାରୀ ପୁଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷ ଦେବାନନ୍ଦଙ୍କୁ ମାଡ଼ମାରିବାରୁ ତାଙ୍କର ଅକାଳ ବିୟୋଗ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏନେଇ ରଘୁନାଥପାଲି ପୁଲିସ ଥାନାରେ ପରିବାର ସଦସ୍ୟଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅପରପକ୍ଷରେ, ଏହି ଅଭିଯୋଗକୁ ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତର ଲଙ୍ଗଳକଟା ଗ୍ରାମର ମୂଳବାସିନ୍ଦା ହେଉଛନ୍ତି ଦେବାନନ୍ଦ। ସ୍ଥାନୀୟ ବାଙ୍କା ବଜାରରେ ଦେବାନନ୍ଦଙ୍କର ଏକ ହୋଟେଲ୍‌ ରହିଛି। ଗତ ୨୭ ତାରିଖ ଦିନ ଅବକାରୀ ପୁଲିସ ଦେବାନନ୍ଦଙ୍କ ହୋଟେଲ ଏବଂ ରେଲୱେ ଫାଟକ ନିକଟରେ ଥିବା ସୀତା ନାଏକଙ୍କ ଢାବାରେ ଚଢ଼ଉ କରିଥିଲେ।

ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ସୀତାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦିଆଯାଇଥିଲା; କିନ୍ତୁ ଦେବାନନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ଡାକ୍ତରୀ ପରୀକ୍ଷାପରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ୨୯ ତାରିଖ ପୂର୍ବାହ୍ନରୁ ଜାମିନ ପାଇଁ ଦେବାନନ୍ଦଙ୍କ ପ୍ରିୟଜନ କୋର୍ଟରେ ପହଞ୍ଚିଥିଲେ। ଜାମିନ ପାଇଁ ଆବଶ୍ୟକ କାଗଜପତ୍ର କଲା ସମୟପରେ ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଦେବାନନ୍ଦଙ୍କ ଅସୁସ୍ଥତା ବିଷୟରେ କିଛି ସୂଚନା ଦେଇନଥିଲେ। ପରେ ଜେଲ୍‌ରେ ସାକ୍ଷାତ କରିବାକୁ ଯିବାସମୟରେ ଜେଲ୍‌ ଅଧିକ୍ଷକ ଦେବାନନ୍ଦ ବଣାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କହିଥିଲେ। ପରିବାରବର୍ଗ ହସପିଟାଲରେ ପହଞ୍ଚି ଦେବାନନ୍ଦଙ୍କ ହାତ, ଗୋଡ଼, ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସ୍ଥାନାନ୍ତର କରି ସନ୍ଧ୍ୟା ପ୍ରାୟ ୬ଟାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଦେବାନନ୍ଦଙ୍କ ମୃତ୍ୟୁପାଇଁ ପରିବାରବର୍ଗ ଜେଲ୍ କର୍ତ୍ତୃପକ୍ଷ ଓ ଲହୁଣିପଡ଼ା ଅବକାରୀ କର୍ମଚାରୀଙ୍କୁ ଦାୟୀ କରିଛନ୍ତି। ଏହାସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଅଡ଼ି ବସିଛନ୍ତି। ଦାବିପୂରଣ ନହେଲେ ଶବ ନେବାକୁ ମନାକରିବାରୁ ମର୍ଗ ହାଉସ୍‌ରେ ଶବ ପଡ଼ିରହିଛି। ଏନେଇ ବଣାଇ ଜେଲ୍‌ ଅଧୀକ୍ଷକ ସୁଧାଂଶୁ ଶେଖର ବେଉରାଙ୍କୁ ପଚାରିବାରୁ ଦେବାନନ୍ଦର ଜାମିନ ମଞ୍ଜୁର ହୋଇଥିବାରୁ ପରିବାର ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଏଣୁ ସେ ବିଚାରାଧୀନ କଏଦୀ ନଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର