ଜଙ୍ଗଲୀ ଆଳୁରେ ବଞ୍ଚୁଛି ଜୁଆଙ୍ଗ ଜୀବନ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ର ଜୁଆଙ୍ଗ ସଂପ୍ରଦାୟର ଖାଦ୍ୟାଭ୍ୟାସକୁ ନେଇ ସବୁବେଳେ ଚର୍ଚ୍ଚା। ଜୁଆଙ୍ଗମାନଙ୍କ ଭାତ ସହ ଲୁଣ ଓ ଶାଗ ମୁଖ୍ୟ ଭୋଜନ ହୋଇଥିଲେ ହେଁ ୪ ରୁ ୫ ମାସ ଜଙ୍ଗଲୀ ଆଳୁ ସେମାନଙ୍କ ପେଟ ପୂରାଇଥାଏ। ଡିସେମ୍ବର ମାସରୁ ଏପ୍ରିଲ ପର୍ଯ୍ୟନ୍ତ ଦୈନନ୍ଦିନ ଖାଦ୍ୟରେ ଚାଉଳ ବଦଳରେ ଆଳୁକୁ ପ୍ରାଧାନ୍ୟ ଦିଅନ୍ତି। ନଗଡ଼ା ଅଞ୍ଚଳରେ ଜଙ୍ଗଲରୁ ବିଭିନ୍ନ ପ୍ରକାର ଆଳୁ ମିଳିଥାଏ। ସବୁ ଆଳୁଗଛ ଲତାଜାତୀୟ। ସ୍ବାଦ ଓ ଆକାରକୁ ନେଇ ଜୁଆଙ୍ଗ ଭାଷାରେ ଆଳୁର ପ୍ରକାର ଭେଦ ରହିଛି। ଏସବୁ ହେଲା ତିମଂ (ତୁଙ୍ଗା), ସଇଡ଼ା (ସଇଙ୍ଗା), ବାୟଂ (ବଇଙ୍ଗା), କାଳୁଂ (କଣ୍ଟାଳୁ), କାନେୟାଂ (ମଣ୍ଡେଇ), ଜରଇ (ପାଣିଆଳୁ) ଓ ବାସାଂ(ପିତାଳୁ)। ଗଛରୁ ପତ୍ରଝଡ଼ା ପରେ ଜଙ୍ଗଲର ମାଡ଼ିଥିବା ଶୁଖିଲା ଲତାକୁ ଲକ୍ଷ୍ୟ କରି ଆଳୁଗଛର ମୂଳ ଚିହ୍ନଟ ପରେ ଏହାକୁ ଖୋଳା ଯାଇଥାଏ। ଡିସେମ୍ବର ମାସରୁ ବର୍ଷା ଆରମ୍ଭ ପର୍ଯ୍ୟନ୍ତ ଜୁଆଙ୍ଗମାନେ ଆଳୁ ସଂଗ୍ରହ କରିଥାନ୍ତି। ଆଳୁ ଖୋଳିବା ପାଇଁ ସବୁ ଜୁଆଙ୍ଗ ଘରେ ସ୍ବତନ୍ତ୍ର ଖନନ ଉପକରଣ(ବୁଲୁକ୍) ଥାଏ। ଲୁହା ରଡ୍‌କୁ ମୁନିଆ କରାଯାଇ ଏଥିରେ ଏକ କାଠ ବେଣ୍ଟ ଖଞ୍ଜି ବୁଲୁକ୍‌ ପ୍ରସ୍ତୁତ କରାଯାଏ। ଜଙ୍ଗଲୀ ଆଳୁରେ ୯୦ ପ୍ରତିଶତ ଜଳୀୟ ଅଂଶ ଥିବାରୁ ଏହାକୁ ଅଧିକ ଦିନ ଧରି ସଂରକ୍ଷିତ କରି ରଖିବା ସମ୍ଭବ ହୁଏନି। ଖୋଳିବା ପରେ ଅତିବେଶୀ‌ରେ ଏହା ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ଉପଯୋଗୀ ହୋଇଥାଏ। ଏହାକୁ ସିଝାଇ କିମ୍ବା ପୋଡ଼ିକରି ଖିଆ ଯାଇଥାଏ। ଜଙ୍ଗଲରେ ଆଳୁ ମିଳୁଥିବା ବେଳେ ଜୁଆଙ୍ଗମାନେ ଭାତ ଭୁଲି ଯାଇଥାନ୍ତି। ସକାଳ ଓ ସଞ୍ଜରେ ବିଭିନ୍ନ ଆଳୁ ଖାଇଥାନ୍ତି। ସଂଗୃହୀତ ବିଭିନ୍ନ ଆଳୁ ମଧ୍ୟରେ କାନେୟାଂ ବା ମଣ୍ଡେଇ ସବୁଠୁ ସ୍ବାଦିଷ୍ଟ।

ମହିଳାମାନେ ଜଙ୍ଗଲ ବୁଲିବୁଲି ଦୈନିକ ଜଣପିଛା ୫ ରୁ ୮ କିଲୋ ପର୍ଯ୍ୟନ୍ତ ଆଳୁ ସଂଗ୍ରହ କରିଥାନ୍ତି। ଆଳୁର ପ୍ରକାରକୁ ନେଇ ସକାଳ ଓ ରାତ୍ରଭୋଜନ ସ୍ଥିର ହୋଇଥାଏ। ଏସବୁ ବେଶ୍‌ ସୁଆଦିଆ ବୋଲି ମୁଣ୍ଡରେ ଆଳୁ ଭାର ବୋହି ଘରକୁ ଫେରୁଥିବା ଉପର ନଗଡ଼ାର ୨ ବୃଦ୍ଧା ଗୁଲୁରି ପ୍ରଧାନ ଓ ଖଇରି ପ୍ରଧାନ, ଶିଶୁପୁତ୍ର ଅଭିକୁ କୋଳର ଧରିଥିବା ଅଙ୍ଗନବାଡ଼ି କର୍ମୀ କମଳା ପ୍ରଧାନ, ସୁଲ ପ୍ରଧାନ, ମୁରି ପ୍ରଧାନ, ନାବାଳିକା ପଦ୍ମଜା ପ୍ରଧାନ ଓ ମୁନି ପ୍ରଧାନ କହିଥିଲେ। ସେହିପରି ମାଟି ଖୋଳି ଗଣ୍ଠିଲିରେ ମଣ୍ଡେଇ ସଂଗ୍ରହକରି ତଳନଗଡ଼ାର ଦମ୍ପତି ସୁନିମତି ଓ ରବି ପ୍ରଧାନ ଘର ଫେରୁଥିଲେ। ଅଧିକାଂଶ ଜନଜାତି ଓ ଆଦିବାସୀ ଜଙ୍ଗଲୀ ଆଳୁକୁ ବିକଳ୍ପ ଭୋଜନ ଭାବେ ଗ୍ରହଣ କରିଆସିଥିବା ଦୃଷ୍ଟାନ୍ତ ରହିଛି। ଅନୁକୂଳ ଋତୁରେ ଆଳୁ ଆଗ, ଭାତ ପଛ ବୋଲି ଉପରନଗଡ଼ା ମୁଖିଆ କାମ ପ୍ରଧାନ କହନ୍ତି। ପାହାଡ଼ି ଇଲାକାରୁ ସଂଗୃହୀତ ବିଭିନ୍ନ ପ୍ରକାର ଜଙ୍ଗଲୀ ଆଳୁ ଉପରେ ସେମାନଙ୍କ ଜୀବନଧାରା ଯୋଡ଼ିହୋଇଛି ବୋଲି ଗୁହିଆଶାଳ ଗାଁ ମୁଖିଆ ଠେଙ୍ଗେଣିଆ ପ୍ରଧାନ କହିଛନ୍ତି। ଆଳୁ ଆମକୁ ପାଖାପାଖି ଅଧାବର୍ଷ ଚଳାଇନିଏ ବୋଲି ନଗଡ଼ା ଗାଁର ସବୁଠୁ ବୟସ୍କା ଜୁଆଙ୍ଗ ମହିଳା ଚମ୍ପା ପ୍ରଧାନ କହନ୍ତି। ଅଧିକାଂଶ ଜଙ୍ଗଲୀ ଆଳୁ ଭିଟାମିନଯୁକ୍ତ ବୋଲି ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ଚୈତନ୍ୟ ମାର୍ଣ୍ଡି କହନ୍ତି।

ସମ୍ବନ୍ଧିତ ଖବର