ରାୟଗଡ଼ା ଜିଲ୍ଲା: ବିଜେଡିର ସବୁ ପ୍ରାର୍ଥୀ କୋଟିପତି

ରାୟଗଡା: ରାୟଗଡ଼ା ଜିଲ୍ଲାରେ ୩ ବିଜେଡି ବିଧାୟକ ପ୍ରାର୍ଥୀ କୋଟିପତି। ସତ୍ୟପାଠ ଅନୁସାରେ ବିଜେଡି ରାୟଗଡ଼ା ପ୍ରାର୍ଥୀ ଅନୁସୂୟା ମାଝୀଙ୍କ ମୋଟ ୧କୋଟି ୭୦ଲକ୍ଷ ୧୬ହଜାର ୯୪୨ ଟଙ୍କା (ସ୍ଥାବର ଓ ଅସ୍ଥାବର)ର ସଂପତ୍ତି ରହିଛି। ତାଙ୍କ ସ୍ବାମୀ ନାଁରେ ୫୭ଲକ୍ଷ ୫୦ହଜାର ୬୬ଟଙ୍କାର ଋଣ ରହିଥିବା ସେ ଘୋଷଣା କରିଛନ୍ତି। କୌଣସି ଆପରାଧିକ ମାମଲା ନଥିବା ବି ଦର୍ଶାଇଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଆପଲସ୍ୱ‌ାମୀ କାଡ୍ରାକାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୭୪ଲକ୍ଷ ୨୨ହଜାର ୧୪୨ଟଙ୍କା ହୋଇଥିବା ବେଳେ ୯ଲକ୍ଷ ୪୭ହଜାର ୪୬୦ଟଙ୍କାର ବ୍ୟାଙ୍କ ଋଣ ରହିଛି। ୬ଟି ଅାପରାଧିକ ମାମଲା କୋର୍ଟରେ ବିଚାରାଧୀନ ରହିଥିବା ଆପଲସ୍ବାମୀ ଦର୍ଶାଇଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବସନ୍ତ ଉଲ୍ଲାକାଙ୍କ ମୋଟ ସଂପତ୍ତିର ମୂଲ୍ୟ ୧କୋଟି ୧୨ଲକ୍ଷ ୬୯ହଜାର ୧୫୫ଟଙ୍କା ଏବଂ ୯ଲକ୍ଷ ୧୭ହଜାର ୩୩୩ଟଙ୍କାର ଋଣ ରହିଥିବା ସତ୍ୟପାଠରେ ଉଲ୍ଲେଖ ହୋଇଛି। ସେହିପରି ଦୁଇଟି ଅାପରାଧିକ ମାମଲା ମଧ୍ୟ ବିଚାରାଧୀନ ରହିଛି। ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କ ନିକଟରେ ମାତ୍ର ୧୦ହଜାର ଟଙ୍କାର ସମ୍ପତ୍ତି ଅଛି ବୋଲି ସତ୍ୟପାଠରୁ ଜଣାପଡ଼ିଛି।

ବିଷମକଟକ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସଂପତ୍ତର ମୂଲ୍ୟ ୧କୋଟି ୬୨ଲକ୍ଷ ୭୯ହଜାର ୪୦୦ଟଙ୍କା। ଜଗନ୍ନାଥ ନାଁରେ ୧୨ଲକ୍ଷ ୭୩ହଜାର ୯୪୬ଟଙ୍କାର ବ୍ୟାଙ୍କ ଋଣ ରହିଛି। କୌଣସି ଅପରାଧିକ ମାମଲା ନଥିବା ଜଗନ୍ନାଥ ଦର୍ଶାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କ ମୋଟ ସଂପତ୍ତିର ମୂଲ୍ୟ ଯେତିକି, ତାଠାରୁ ଅଧିକ ଋଣ ନେଇଛନ୍ତି। ସତ୍ୟପାଠରେ ୧୨ଲକ୍ଷ ୬୫୦୦ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଥିବା ଉଲ୍ଲେଖ କରିଛନ୍ତି। ସେହିପରି ୨୨ଲକ୍ଷ ୫୭ହଜାର ଟଙ୍କାର ଋଣ ତାଙ୍କ ନାଁରେ ରହିଛି। ବିଜେପି ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୃକାଙ୍କ ମୋଟ ସଂପତ୍ତିର ମୂଲ୍ୟ ୯ଲକ୍ଷ ୮୦ହଜାର ଟଙ୍କା। ୭୮ହଜାର ଟଙ୍କାର ଋଣ ତାଙ୍କ ନାଁରେ ରହିଛି। ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜିତେନ୍ଦ୍ର ଜାକାକାଙ୍କ ୮ଲକ୍ଷ ୪୦ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଦର୍ଶାଇଛନ୍ତି। ଜିତେନ୍ଦ୍ରଙ୍କ ନାଁରେ ୭ଟି ମାମଲା ବିଚାରାଧୀନ ରହିଛି। ନବଭାରତ ନିର୍ମାଣ ସେବା ପାର୍ଟିର ଅନିତା ପିଡିକାକା ସବୁଠାରୁ ଗରିବ ପ୍ରାର୍ଥୀ। ତାଙ୍କର ୫ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ଗୋଟିଏ ଘର ରହିଛି ଯାହାର ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି ଦର୍ଶାଇଛନ୍ତି।

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୪ଲକ୍ଷ ୩୨ହଜାର ଟଙ୍କା। କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗଙ୍କ ମୋଟ ସଂପତ୍ତି ମୂଲ୍ୟ ୧୨ଲକ୍ଷ ୧୦ହଜାର ଟଙ୍କା ହୋଇଥିବା ବେଳେ ବ୍ୟାଙ୍କରେ ୬ଲକ୍ଷ ଟଙ୍କାର ଋଣ ରହିଛି। ବିଜେପି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗଙ୍କ ୪୬ଲକ୍ଷ ୨୮୯୨ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ବହୁଜନ ମୁକ୍ତି ଦଳର ନାଗଭୂଷଣ ମାଣ୍ଡାଙ୍ଗି ସବୁଠାରୁ ଗରିବ ପ୍ରାର୍ଥୀ ବୋଲି ସତ୍ୟପାଠରୁ ଜଣାପଡ଼ିଛି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪ଲକ୍ଷ ୫ହଜାର ଟଙ୍କା ବୋଲି ଦର୍ଶାଇଛନ୍ତି। ଗୁଣପୁରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେଡି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ସତ୍ୟପାଠରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର