କୋରାପୁଟ ଲୋକସଭା: ସପ୍ତଗିରି ସବୁଠୁ ଧନୀ

ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାହିଁ ଆପରାଧିକ ମାମଲା

କୋରାପୁଟ: କୋରାପୁଟ ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଧନୀ। ସେହିପରି ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକାକା ଏବଂ ସପ୍ତଗିରିଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। ଅପରପକ୍ଷରେ ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କ ନାଁରେ ୩ଟି ମାମଲା ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ବିଚାରାଧୀନ ରହିଛି। ନିର୍ବାଚନୀ ସତ୍ୟପାଠ ଅନୁସାରେ ସପ୍ତଗିରି କୋଟିପତି ହୋଇଥିଲା ବେଳେ କୌଶଲ୍ୟାଙ୍କ ସଂପତ୍ତି ଗତ ୫ବର୍ଷରେ ଯଥେଷ୍ଟ କମିଛି।

କୋରାପୁଟ ଲୋକସଭା କ୍ଷେତ୍ରରେ ଦ୍ବିତୀୟଥର ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସପ୍ତଗିରି ଉଲାକା। ୨୦୧୯ ମସିହାର ସତ୍ୟପାଠ ଅନୁସାରେ ସପ୍ତଗିରି ୩କୋଟି ୭୫ଲକ୍ଷ ୮୭ହଜାର ୫୬୦ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତିର ମାଲିକ ଥିଲେ। ୧୨ଲକ୍ଷ ୧୭ହଜାର ୯୬୩ ଟଙ୍କାର ଋଣ ତାଙ୍କ ନାଁରେ ରହିଥିଲା। ୨୦୨୪ରେ ତାଙ୍କ ସଂପତ୍ତି ପରିମାଣ ବଢ଼ିଛି। ମୋଟ ୭୭ଲକ୍ଷ ୪୬ହଜାର ୭୨ଟଙ୍କାର ଅସ୍ଥାବର ଓ ୪କୋଟି ୭୭ଲକ୍ଷ ୧୦ହଜାର ୪୬୦ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ୧କୋଟି ୬୦ଲକ୍ଷ ୨୯୨୯ଟଙ୍କାର ବ୍ୟାଙ୍କ ଋଣ ତାଙ୍କ ନାଁରେ ରହିଛି। ସପ୍ତଗିରିଙ୍କ ପତ୍ନୀ ପୂଜା ଉଲ୍ଲାକାଙ୍କ ୨୧ଲକ୍ଷ ୬୦ହଜାର ୭୭ଟଙ୍କାର ଅସ୍ଥାବର ଓ ୧କୋଟି ୨୦ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଉଭୟ ସପ୍ତଗିରି ଏବଂ ପୂଜାଙ୍କ ମାଲିକାନାରେ ନୂଆଦିଲ୍ଲୀରେ ଗୋଟିଏ ଆପାର୍ଟମେଣ୍ଟ, ଦୁଇଟି ଚାରିଚକିଆ ଗାଡ଼ି ରହିଛି।

ସେହିପରି ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଧ୍ୟ ଦ୍ବିତୀୟ ଥର ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦୧୯ରେ ତାଙ୍କର ମୋଟ ସଂପତ୍ତିର ପରିମାଣ ୪କୋଟି ୬ଲକ୍ଷ ୧୭ହଜାର ୪୨୭ ଟଙ୍କା ରହିଥିଲା। ୨୦୨୪ର ସତ୍ୟପାଠ ଅନୁସାରେ ତାଙ୍କର ୭୨ଲକ୍ଷ ୭ହଜାର ୬୧୩ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। କୌଣସି ସ୍ଥାବର ସଂପତ୍ତି ନାହିଁ। ସେହିପରି ୫୯ ହଜାର ୯୩୯ଟଙ୍କାର ବ୍ୟାଙ୍କ ଋଣ କରିଛନ୍ତି। ତାଙ୍କ ସ୍ବାମୀ ତଥା ବିଜେଡି ଜିଲ୍ଲା ସଭାପତି ଝିନ୍‌ ହିକକା ୮୨ଲକ୍ଷ ୯୩ହଜାର ୮୯୪ଟଙ୍କା ଅସ୍ଥାବର ଏବଂ ୧.୬୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତିର ମାଲିକ। ଝିନ୍‌ଙ୍କ ନାଁରେ ୪ଲକ୍ଷ ୧୩ହଜାର ୪୬୬ଟଙ୍କାର ବ୍ୟାଙ୍କ ଋଣ ରହିଛି। ଅନ୍ୟ ଦୁଇ ପ୍ରାର୍ଥୀଙ୍କ ତୁଳନାରେ ବିଜେପି ପ୍ରାର୍ଥୀ କାଳୀରାମ ମାଝୀ ଗରିବ। ତାଙ୍କର ମୋଟ ୪୧ଲକ୍ଷ ୨୯ହଜାର ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ରହିଛି। ତାଙ୍କ ପତ୍ନୀଙ୍କ ନାଁରେ ୩ଲକ୍ଷ ୫୭ହଜାର ୪୧୧ଟଙ୍କାର ସ୍ଥାବର ସଂପତ୍ତି ରହିଛି।

ସମ୍ବନ୍ଧିତ ଖବର