ଠିଆ ହୋଇଛି ଦୁଇ କୋଟିର ଟାଙ୍କି, ଦିନେ ପାଣି ମିଳିଲେ ଦିନେ ନାହିଁ

ରାତି ପାହିଲେ ପାଣି ପାଇଁ ପାଟିତୁଣ୍ଡ, ଚାଷଜମିକୁ ଯାଉଛି ପିଇବା ପାଣି

ବଅଁରପାଳ: ବଅଁରପାଳ ବ୍ଲକ୍‌ ମହୀଧରପୁର ପଞ୍ଚାୟତର ଅଧିବାସୀମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଅଞ୍ଚଳରେ ଦୁଇଟି ଓଭରହେଡ୍‌ ଟାଙ୍କି ନିର୍ମାଣ କରି ପାଇପ୍‌ରେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। କିନ୍ତୁ ଏଥିରେ ନିୟମିତ ଜଳ ‌‌ଯୋଗାଣ ହେଉନାହିଁ। ପାଇପ୍‌ରେ ଖୁବ୍‌ କମ୍‌ ପରିମାଣର ପାଣି ଆସୁଛି। ତାହା ପୁଣି ଦିନେ ଛଡ଼ା ଦିନେ। ଖରା ଚାରିମାସରୁ ଲୋକେ ଦୁଇମାସ ପାଣି ପାଣି ପାଉଛନ୍ତି। ପିଇବା ପାଇଁ, ରୋଷେଇବାସ ପାଇଁ ପାଣିର ଅଭାବ ହେଉଛି। ପାନୀୟଜଳ ଯୋଗାଣ ପାଇଁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। କିନ୍ତୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଭାଗକୁ ହାତ କରି ପାଣିକୁ ନିଜ ଚାଷ ଜମିରେ ମଡ଼ାଉଛନ୍ତି। ଚାଷ ଜମିକୁ ପାଣି ଯୋଗାଇବା ଜଳସେଚନ ବିଭାଗ ଦାୟିତ୍ବ। କିନ୍ତୁ ଏହି ପ୍ରଭାବଶାଳୀ ଲୋକମାନେ ଜଳସେଚନ ବିଭାଗର ସହାୟତା ନନେଇ ପାନୀୟଜଳ ପାଇପ୍‌ ଅଧାବାଟରୁ କାଟି ନିଜ ଜମି ପର୍ଯ୍ୟନ୍ତ ପାଇପ୍‌ ଲମ୍ବାଇ ନେଇଯାଉଛନ୍ତି। ଫଳରେ ଲୋକମାନେ ପାନୀୟଜଳ ପାଇପାରୁନାହାନ୍ତି। ଯେଉଁ ଗୋଟିଏ ଦିନ ପାଇପ୍‌ରେ ପାଣି ଆସୁଛି, ସେଦିନ ସକାଳୁ ଦାଣ୍ଡଦୁଆରେ ପ୍ରବଳ ଭିଡ଼ ହେଉଛି। ପାଣି ନେବା ପାଇଁ ପାଟିତୁଣ୍ଡ ‌ହେଉଛି। କେହି ରାତି ୨ଟାରୁ ତ କେହି ରାତି ୩ଟାରୁ ଟ୍ୟାପ୍‌ ପାଖରେ ଗରା ବାଲ୍‌ଟି ରଖୁଥିବା ଜଣାପଡ଼ିଛି।

ରାତି ପାହିଲେ ପାଣି ପାଇଁ ପାଟିତୁଣ୍ଡ
ଚାଷଜମିକୁ ଯାଉଛି ପିଇବା ପାଣି
ଭୂତଳ ଜଳ ଶୋଷୁଛନ୍ତି କମ୍ପାନି

ଏ ସବୁ ଧାଡ଼ିରେ ରଖି କିଛି ଲୋକ ପାଖରେ ଶୋଇ ରହୁଛନ୍ତି। କିନ୍ତୁ ସକାଳୁ ଉଠି ଦେଖିବାବେଳକୁ ଆଗରେ ରଖିଥିବା ଗରା, ବାଲ୍‌ଟି ପଛକୁ ଚାଲିଯାଇଥିବା ଦେଖାଯାଉଛି। ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସେହ‌ିପରି କିଛି ‌ଲୋକ ଅଭିଯୋଗ କରିଛନ୍ତି, କେତେକ ପାଣି କମ୍ପାନି ନଳକୂଅ ଖୋଳି ଭୂତଳ ଜଳ ଶୋଷି ନେଉଛନ୍ତି। ସେମାନେ ପାଣି ବିକ୍ରିକରି ଲାଭବାନ୍‌ ହେଉଛନ୍ତି। ପ୍ରଶାସନର ସେମାନଙ୍କ ପ୍ରତି କଟକଣା ନାହିଁ। ଏହି ପାଣି କମ୍ପାନି ପ୍ରଶାସନର କିଛି କର୍ମଚାରୀଙ୍କୁ ହାତରେ ରଖି ବ୍ୟବସାୟ ଚଳାଇଛି। ଏହାଦ୍ବାରା ପାଣି କିଣିକରି ପିଇବାକୁ ପରୋକ୍ଷରେ ବାଧ୍ୟ କରାଯାଉଛି। କିଛି ପାଣି କମ୍ପାନି ବଡ଼ ଜାରକିନ୍‌ରେ ପାଣି ଭର୍ତ୍ତିକରି ଅଟୋରେ ଲଦି ଗାଁକୁ ଗାଁ ବୁଲି ବିକ୍ରି କରୁଛନ୍ତି। କିନ୍ତୁ ପାଣି କିଣି ପିଇବା ପାଇଁ ସବୁ ଲୋକଙ୍କର ସାମର୍ଥ୍ୟ ନାହିଁ। ପଞ୍ଚାୟତର ସେରେଣାବେଡ଼ା ଓ ମହୀଧରପୁରରେ ୧୫ ହଜାର ଲୋକ ବାସ କରୁଛନ୍ତି। ସେମାନଙ୍କ ପାଇଁ ୨ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଟାଙ୍କି ନିର୍ମାଣ କରାଯାଇଛି। ଗୋଟିଏ ୧ କୋଟି ୩୦ ଲକ୍ଷ ଟଙ୍କାରେ ଓ ଅନ୍ୟଟି ୧ କୋଟି ଟଙ୍କାରେ ନିର୍ମାଣ କରାଯାଇଛି। କିନ୍ତୁ ପ୍ରତିଦିନ ପାନୀୟ ଜଳ ମିଳିବା ସ୍ବପ୍ନ ପାଲଟିଛି। ତେଣୁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମିତ ଆବଶ୍ୟକ ପରିମାଣ ପାନୀୟଜଳ ଯୋଗାଣ କରା ନଗଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର