ଅଷ୍ଟ୍ରେଲିଆର କ୍ରମାଗତ ସପ୍ତମ ପରାଜୟ

ପର୍ଥ: ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ଙ୍କ ସଫଳ ପ୍ରତ୍ୟାବର୍ତନ ବଳରେ ଦକ୍ଷିଣ ଆଫ୍ରିକା ରବିବାର ଖେଳିଥିବା ପ୍ରଥମ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଦେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଷ୍ଟେନ୍‌ ୭-୧-୧୮-୨ର ବୋଲିଂ ଚିତ୍ର ପାଇଥିଲା ବେଳେ ଲୁଙ୍ଗି ଏନ୍‌ଗିଡି (୨/୨୬), ଫେଲୁକ୍ବାୟୋ (୩/୩୩) ଓ ଇମ୍ରାନ୍‌ ତାହିର (୨/୩୯) ତାଙ୍କୁ ବେଶ୍‌ ସହଯୋଗ ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆ ପୂରା ୫୦ ଓଭର ଖେଳିପାରିନଥିଲା। ଏକ ସମୟରେ ୮ ରନ୍‌ରେ ୩ ୱିକେଟ୍‌ ହରାଇଥିବା ଘରୋଇ ଦଳ ନାଥନ୍‌ କୁଲ୍‌ଟର ନିଲେ ୩୪ ଓ କାରେ ୩୩ ରନ୍‌ କରିବା ସତ୍ତ୍ବେ ୩୮.୧ ଓଭରରେ ୧୫୨ ରନ୍‌ରେ ସଫା ହୋଇଯାଇଥିଲା। ଜବାବରେ କ୍ବିଣ୍ଟନ ଡି’କକ୍‌ଙ୍କ ୪୭, ହେଣ୍ଟ୍ରିକ୍ସଙ୍କ ୪୪, ମର୍କରାମଙ୍କ ୩୬ ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ୨୯.୨ ଓଭରରେ ୪ ୱିକେଟ୍‌ ହରାଇ ୧୨୪ ବଲ୍‌ ପୂର୍ବରୁ ସହଜ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ମାକୋର୍ସ୍‌ ‌ଷ୍ଟୋଇନିସ୍‌ ୧୬ ରନ୍‌ରେ ୩ ୱିକେଟ୍‌ ଦଖଲ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆର ପରାଜୟ ଧାରାକୁ ରୋକିପାରିନଥିଲେ। ଅଷ୍ଟ୍ରେଲିଆ ଖେଳିଥିବା ଶେଷ ୨୧ ଦିନିକିଆ ମ୍ୟାଚ୍‌ରୁ ମାତ୍ର ଦୁଇଟିରେ ବିଜୟ ପାଇଥିଲା ‌ବେଳେ କ୍ରମାଗତ ଭାବେ ସପ୍ତମ ପରାଜୟ ବରଣ କରିଛି। କେବଳ ସେତିକି ନୁହେଁ ଚଳିତ ବର୍ଷ ୧୦ ମ୍ୟାଚ୍‌ରୁ ଏହା ଅଷ୍ଟ୍ରେଲିଆର ଏକାଦଶ ପରାଜୟ। ଯାହାକି ଅଷ୍ଟ୍ରେଲିଆ ପାଇଁ ସବୁଠୁ ଖରାପ ଫଳାଫଳ ରହିଛି। ୧୯୯୬ରେ ମଧ୍ୟ ଅଷ୍ଟ୍ରେଲିଆ କ୍ରମାଗତ ୬ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଚଳିତ ବର୍ଷ ଏହି ପର୍ଥରୁ ପରାଜୟ ଅଭିଯାନ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଇଂଲଣ୍ଡ ନିକଟରୁ ୫ ମ୍ୟାଚ୍‌ ହାରିଥିଲା। ଅନ୍ୟପକ୍ଷରେ ପର୍ଥରେ ଦକ୍ଷିଣ ଆଫ୍ରିକାର ଏହା ଥିଲା ଅଷ୍ଟମ ବିଜୟ। ଏଥି ସହିତ ଚଳିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ୧-୦ର ଅଗ୍ରଣୀ ପାଇଯାଇଛି। ଡେଲ୍‌ ଷ୍ଟେନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ସମ୍ବନ୍ଧିତ ଖବର