ସିକେ ନାୟୁଡୁ ଟ୍ରଫି: ବିଜୟ ପାଇଁ ଓଡ଼ିଶାକୁ ଦରକାର ୮ ୱିକେଟ

କଟକ: କେରଳରେ ହାଇଦ୍ରାବାଦ ଓ ଓଡ଼ିଶା ମଧ୍ୟରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ମ୍ୟାଚ୍‌ ଜିତିବା ଲାଗି ଶେଷ ଦିନରେ ଓଡ଼ିଶାକୁ ୮ ୱିକେଟ୍‌ ଆବଶ୍ୟକ ଥିଲାବେଳେ ହାଇଦ୍ରାବାଦ ୨୩୫ ରନ୍‌ ଦୂରରେ ରହିଛି। ଓଡ଼ିଶାର ପ୍ରଥମ ପାଳି ୩୪୫ ରନ୍‌ ଜବାବରେ ଗୁରୁବାର ତୃତୀୟ ଦିନରେ ହାଇଦ୍ରାବାଦ ପ୍ରଥମ ପାଳିରେ ୨୩୨ ରନ୍‌ କରି ସମସ୍ତ ୱିକେଟ ହରାଇଥିଲା। ଫଳରେ ଓଡ଼ିଶା ପ୍ରଥମ ପାଳିରେ ୧୧୩ ରନ୍‌ ଆଗରେ ରହିଥିଲା। ଓଡ଼ିଶାର କାର୍ତ୍ତିକ ବିଶ୍ବାଳ ଓ ସୁନୀଲ କୁମାର ରାଉଳ ୩ ୱିକେଟ ଲେଖାଏଁ ଏବଂ ସୌରଭ କାନୋଜିଆ ୨ ୱିକେଟ୍‌ ନେଇଥିଲେ। ପରେ ଓଡ଼ିଶା ଦ୍ବିତୀୟ ପାଳିରେ କାର୍ତ୍ତିକ ବିଶ୍ବାଳ (୫୫) ଓ ଅନୀଲ ପରିଡ଼ା (୫୮)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୮୬ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା। ଗୌରବ ଚୌଧୁରୀ ୩୦ ରନ୍‌ କରିଥିଲେ। ୩୦୦ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ତୃତୀୟ ଦିନ ଷ୍ଟମ୍ସ ଅପସାରଣ ବେଳକୁ ୨ ୱିକେଟ ହରାଇ ୬୫ ରନ୍‌ କରିଛି। ଏଚ୍‌କେ ସିମ୍‌ହା ୧୩ ଓ ଶଶାଙ୍କ ଲୋକେଶ ୩ ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର