ଟିମର ମାର୍ଗଦର୍ଶନ କରିବାର ଦକ୍ଷତା ମୋ ପାଖରେ ଅଛି; ଏଭଳି କହି ମୁଖ୍ୟ କୋଚ୍ ପାଇଁ ଇଚ୍ଛା ଜାହିର୍ କଲେ ହରଭଜନ

ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟକାଳ ଶେଷ ହେବ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆକୁ ଏକ ନୂତନ କୋଚ୍ ଦେବା ପାଇଁ ବିସିସିଆଇ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଷ୍ଟିଫେନ୍ ଫ୍ଲେମିଂ, ପରେ ରିକି ପଣ୍ଟିଂ ଏବଂ ଗୌତମ ଗମ୍ଭୀରଙ୍କ ନାମକୁ ନେଇ ବିଚାର କରୁଛି ବିସିସିଆଇ। ଚର୍ଚ୍ଚା ହେଉଛି ‌ଯେ, ଗମ୍ଭୀରଙ୍କୁ ବିସିସିଆଇ କୋଚ୍ କରିବା ପାଇଁ ଚିନ୍ତା କରୁଛି।

ଅନ୍ୟପକ୍ଷରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଭାରତୀୟ କ୍ରିକେଟ ଟିମର ବରିଷ୍ଠ  ସ୍ପିନ୍ ବୋଲର ହରଭଜନ ସିଂ ଭାରତୀୟ ଦଳର ନୂତନ କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହରଭଜନ କହିଛନ୍ତି ଯେ ତାଙ୍କ ଅନୁଯାୟୀ ଜଣେ ପ୍ରଶିକ୍ଷକ ହେବା ଅର୍ଥ ଦଳ ପରିଚାଳନା କରିବା, ଖେଳାଳିଙ୍କୁ ବ୍ୟାଟିଂ କିମ୍ବା ବୋଲିଂ ଶିଖାଇବା ନୁହେଁ। ଖେଳାଳିମାନେ ବ୍ୟାଟିଂ କିମ୍ବା ବୋଲିଂ କିଭଳି କରାଯାଏ ସେସବୁ ଜାଣନ୍ତି । ସେମାନଙ୍କୁ କେବଳ ସଠିକ୍ ମାର୍ଗଦର୍ଶନ ଦରକାର। ଏହି କାମ ସେ ଭଲ ଭାବେ କରିପାରିବେ ବୋଲି କହି ଏହି ଦାୟିତ୍ବ ତାଙ୍କୁ ମିଳୁ ବୋଲି ସେ ଚାହୁଛନ୍ତି। ତେବେ ଏଭଳି ସ୍ଥିତିରେ ଦଳ କାହାକୁ କୋଚ୍ କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଉ‌ଲ୍ଲେଖଯୋଗ୍ୟ, ବିସିସିଆଇ ଗତ ସପ୍ତାହରେ ଘୋଷଣା କରିଥିଲା ​​ଯେ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ଜୁଲାଇ ୧, ୨୦୨୪ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଜାରି ରହିବ। ଏହାର ଅର୍ଥ ହେଉଛି ୨୦୨୭ରେ ହେବାକୁ ଥିବା ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ପାଇଁ ଭଲ ଦଳ ପ୍ରସ୍ତୁତ କରିବାର ଦାୟିତ୍ବ କୋଚଙ୍କୁ ମିଳିବ। କୋଚ୍ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ମେ’ ୨୭ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର