ଜିମ୍ବାୱେ ଗଲା ଭାରତୀୟ ଯୁବ କ୍ରିକେଟ୍ ଦଳ: ପ୍ରଥମ ଦୁଇ ମ୍ୟାଚ୍ ଖେଳିବେନି ସାମ୍‌ସନ୍, ଦୁବେ ଓ ଜୟସ୍ବାଲ

ଶେଷ ମୁହୂର୍ତ୍ତରେ ହର୍ଷିତ, ସାଇ ଓ ଜିତେଶ ସାମିଲ ହେଲେ

ମୁମ୍ବାଇ: ଜିମ୍ବାୱେରେ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ଲାଗି ଶୁବମନ ଗିଲ୍‌ଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ଏହି ଆଫ୍ରିକୀୟ ରାଷ୍ଟ୍ରର ରାଜଧାନୀ ହରାରେ ଅଭିମୁଖେ ଯାତ୍ରା କରିଛି। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ପରେ ଶେଷ ହୋଇଯାଇଥିବାରୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ତଥା ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏହି ଶୃଙ୍ଖଳାରେ ଭାରତୀୟ ଦଳର ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ଦାୟିତ୍ବ ତୁଲାଇବେ। ତେବେ ଏହି ଦଳରେ ଥିବା ୫ଜଣ ଖେଳାଳି ବାର୍ବାଡସ୍‌ରେ ଅଟକି ଥିବାରୁ ଭାରତୀୟ ଦଳରେ ଶେଷ ମୁହୂର୍ତ୍ତରେ ଅଦଳବଦଳ କରାଯାଇଛି। ଶୃଙ୍ଖଳାର ସିଧାପ୍ରସାରଣ ସୋନି ସ୍ପୋର୍ଟସ୍‌, ସୋନି ଲିଭ୍ ଆପ୍‌ ଓ ୱେବସାଇଟ୍‌ରେ ଦେଖିହେବ। ଶୃଙ୍ଖଳାର ସବୁ ମ୍ୟାଚ୍ ହରାରେ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଖେଳାଯିବ।

ଘୂର୍ଣ୍ଣିଝଡ଼ ‘ବେରିଲ’ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ବାର୍ବାଡସରେ ଗତ ତିନି ଦିନ ହେବ ଫସି ରହିଥିବାରୁ ଯଶସ୍ବୀ ଜୟୱାଲ୍, ସଞ୍ଜୁ ସାମସନ୍ ଓ ଶିବମ ଦୁବେ ଏହି ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଖେଳିପାରିବେନି। ଏଣୁ ହରାରେ ଯିବାର ଠିକ୍ ପୂର୍ବରୁ ଘୋଷିତ ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି ବିସିସିଆଇ। ସଞ୍ଜୁ, ଶିବମ ଓ ଜୟସ୍ବାଲଙ୍କ ସ୍ଥାନରେ ଯଥାକ୍ରମେ ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣା ଭାରତୀୟ ଦଳରେ ସାମଲ ହୋଇଛନ୍ତି। ‘ବେରିଲ’ ଭାରତୀୟ ଦଳକୁ ଅଡ଼ୁଆରେ ପକାଇଥିଲେ ମଧ୍ୟ ଏହି ତିନି ଯୁବ ତାରକାଙ୍କ ପାଇଁ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସାମିଲ ହେବାର ପ୍ରତୀକ୍ଷିତ ସୁଯୋଗ ଦେଇଛି। ସୁଦର୍ଶନ ସଂପ୍ରତି ଇଂଲିସ୍ କାଉଣ୍ଟି କ୍ଲବ୍ ସରେ ପକ୍ଷରୁ ସେଠାକାର ଘରୋଇ କ୍ରିକେଟ୍ ଖେଳୁଛନ୍ତି। ଏଣୁ ସେ ଲଣ୍ଡନ୍‌ରୁ ସିଧାସଳଖ ହରାରେ ଯାତ୍ରା କରି ଦଳ ସହ ଯୋଗଦେବେ।

ସୁଦର୍ଶନ ଗତ ଡିସେମ୍ବରର ଦକ୍ଷିଣ ଆଫ୍ରିକା ଗସ୍ତରେ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ଭାରତ ପକ୍ଷରୁ ତିନିଟି ଏକଦିବସୀୟ ମ୍ୟାଚ୍ ଖେଳି ସେ ଦୁଇଟି ଅର୍ଦ୍ଧଶତକ ବଳରେ ୧୨୭ ରନ୍ କରିଛନ୍ତି। ସେ ଗୁରୁବାର ସୁଦ୍ଧା ଭାରତୀୟ ଦଳରେ ଯୋଗଦେବାର ସମ୍ଭାବନା ରହିଛି। ତେବେ ପ୍ରଥମ ଥର ଲାଗି ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ଡାକରା ପାଇଛନ୍ତି ସେ। ତାମିଲନାଡ଼ୁର ଏହି ବାମହାତୀ ଯୁବ ବ୍ୟାଟର୍‌ ଆଇପିଏଲ୍-୨୦୨୪ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ୧୨ ମ୍ୟାଚ୍ ଖେଳି ସର୍ବାଧିକ ୫୨୭ ରନ୍ କରିଥିଲେ। ଅନ୍ୟପକ୍ଷରେ ଚଳିତବର୍ଷର ଆଇପିଏଲ୍‌ରେ ୧୨ଟି ପାଳିରୁ ମାତ୍ର ୧୮୭ ରନ୍ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିପାରି ନଥିବା ଜିତେଶଙ୍କ ପାଇଁ ଏହି ଡାକରା ଆଉ ଏକ ଜୀବନ ଦାନ ସଦୃଶ ହୋଇଛି। ଅନ୍ୟପକ୍ଷରେ ଆଇପିଏଲ୍‌-୨୦୨୪ ଜିତିଥିବା କୋଲ୍‌କାତା ନାଇଟ୍ ରାଇଡର୍ସ ଦଳର ସଦସ୍ୟ ଥିବା ରାଣା ଦେଶର ଉଦୀୟମାନ ଦ୍ରୁତ ବୋଲର ତାଲିକାରେ ସ୍ଥାନ ପାଇ ଗତ ଏକ ମାସ ହେବ ଏନ୍‌ସିଏରେ ରହି ପ୍ରଶିକ୍ଷଣ ନେଉଥିଲେ। କେକେଆର୍‌ ପକ୍ଷରୁ ସେ ଯୁଗ୍ମ ଦ୍ବିତୀୟ ସର୍ବାଧିକ (୧୯ ୱିକେଟ୍) ନେଇଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳ ସହ ସଂରକ୍ଷିତ ଖେଳାଳି ଭାବେ ବାର୍ବାଡସ୍ ଯାଇଥିବା ରିଙ୍କୁ ସିଂହ ଓ ଖଲିଲ ଅହମ୍ମଦ ମଧ୍ୟ ସେଠାରେ ଅଟକି ରହିଛନ୍ତି। ହେଲେ ବିସିସିଆଇ ସେମାନଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନି। ଜିମ୍ବାୱେ ଗସ୍ତ ଲାଗି ଉଭୟ ରିଙ୍କୁ ଓ ଖଲିଲ ଭାରତୀୟ ଦଳରେ ଥିଲେ। ସଂପ୍ରତି ଆମେରିକାରେ ଛୁଟି କଟାଉଥିବା ଅଧିନାୟକ ଶୁବମନ ମଧ୍ୟ ସେଠାରୁ ସିଧାସଳଖ ହରାରେ ଯାତ୍ରା କରି ଦଳ ସହ ଯୋଗଦେବେ। ଭାରତୀୟ ଖେଳାଳିମାନେ ମଙ୍ଗଳବାର ପୂର୍ବାହ୍ନରେ ଭାରତ ଛାଡ଼ିବାର ଫଟୋ ବିସିସିଆଇ ନିଜ ‘ଏକ୍ସ’ ପୃଷ୍ଠା‌ରେ ପ୍ରକାଶ କରିଛି। ଏଥିରେ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ, ତୁଷାର ଦେଶପା‌ଣ୍ଡେ, ୱାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆୱେସ ଖାନ୍, ଋତୁରାଜ ଗାଏକ୍ବାଡ୍, ଅଭିଷେକ ଶର୍ମା ଓ ରିୟାନ ପରାଗ ପ୍ରମୁଖ ବିମାନରେ ବସିଥିବା ଦେଖିବାକୁ ମିଳୁଛି।

ପରିବର୍ତ୍ତିତ ଭାରତୀୟ ଦଳ: ଶୁବମନ୍ ଗିଲ୍ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଅଭିଷେକ ଶର୍ମା, ରିଙ୍କୁ ସିଂହ, ଧ୍ରୁବ ଜୁରେଲ, ରିୟାନ ପରାଗ, ୱାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆୱେସ ଖାନ୍, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ଜିତେଶ ଶର୍ମା, ହର୍ଷିତ ରାଣା।

ସମ୍ବନ୍ଧିତ ଖବର