ପ୍ରଶିକ୍ଷକ ପାଇଁ ଅଷ୍ଟ୍ରେଲୀୟଙ୍କ ନିମନ୍ତ୍ରଣକୁ ଜୟ ଶାହଙ୍କ ଖଣ୍ଡନ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଅଷ୍ଟ୍ରେଲିଆର କିଛି ପୂର୍ବତନ କ୍ରିକେଟର୍‌ଙ୍କ ସହିତ ବିସିସିଆଇ ଆଲୋଚନା କରିଥିବା ଗୁଜବକୁ ଖଣ୍ଡନ କରିଛନ୍ତି ସମ୍ପାଦକ ଜୟ ଶାହ। ଜୟ ଏକ ବିବୃତିରେ କହିଛନ୍ତି, ମୁଁ କିମ୍ବା ବିସିସିଆଇର କୌଣସି ଅଧିକାରୀ ଅଷ୍ଟ୍ରେଲିଆର କୌଣସି ପୂର୍ବତନ କ୍ରିକେଟର୍‌ଙ୍କୁ ପ୍ରଶିକ୍ଷକ ପାଇଁ ପ୍ରସ୍ତାବ ଦେଇନାହୁଁ। ଗଣମାଧ୍ୟମରେ ପ୍ରସାରିତ ଖବର ଠିକ୍ ନୁହେଁ। ଭାରତୀୟ ଦଳର ପ୍ରଶିକ୍ଷକ ପଦ ପାଇଁ ଉଚିତ ବ୍ୟକ୍ତିଙ୍କୁ ବାଛିବା ପାଇଁ ଏକାଧିକ ପ୍ରକ୍ରିୟା ରହିଛି। ପୂର୍ବରୁ ରିକି ପଣ୍ଟିଂ ପ୍ରଶିକ୍ଷକ ପାଇଁ ପ୍ରସ୍ତାବ ପାଇଥିବା ଦାବି କରିବା ସହ ପରେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ‌

ଯେଉଁଥିପାଇଁ ବିସିସିଆଇ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଶିକ୍ଷକ ଷ୍ଟିଫେନ୍‌ ଫ୍ଲେମିଂଙ୍କ ସହିତ ଆଲୋଚନା ଆରମ୍ଭ କରିଥିବା ଖବର ଆସିଥିଲା। ଜୟ ପୁଣି କହିଛନ୍ତି, ଯେଉଁ ବ୍ୟକ୍ତି ଭାରତୀୟ ଘରୋଇ କ୍ରିକେଟ୍‌ ବ୍ୟବସ୍ଥାକୁ ଭଲଭାବେ ବୁଝିଥିବ ସେଭଳି ‌‌ପୂର୍ବତନ କ୍ରିକେଟର୍‌ଙ୍କୁ ଭାରତର ପ୍ରଶିକ୍ଷକ କରାଯିବ। ଏହି ପ୍ରତିକ୍ରିୟାରୁ ଜଣେ ଭାରତୀୟ ହିଁ ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି। ଏହାଫଳରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ମେଣ୍ଟର ଗୌତମ ଗମ୍ଭୀରଙ୍କ ସହିତ ବିସିସିଆଇର ଆଲୋଚନା ହୋଇଥିବା ଖବରର ସତ୍ୟତା ଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରିବାର ଶେଷ ତାରିଖ ଚଳିତ ମାସ ୨୭କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର