ବି. ଟେକ୍‌ରୁ ମୁହଁ ମୋଡ଼ୁଛନ୍ତି ପିଲା: କମିଲା ଦେଢ଼ ହଜାର ସିଟ୍‌

୩୨ ହଜାର ସିଟ୍‌ ପାଇଁ ହେବ କାଉନସେଲିଂ
ଚଏସ୍‌ ଲକିଂ କଲେ ୧୧ ହଜାର, ୯ରେ ଆଲଟ୍‌ମେଣ୍ଟ
୧୦ରୁ ଓଜେଇଇ ରାଙ୍କଧାରୀଙ୍କ କାଉନସେଲିଂ ପ୍ରକ୍ରିୟା

ଭୁବନେଶ୍ୱର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପିଲା ହେଉନାହାନ୍ତି। ବର୍ଷକୁ ବର୍ଷ ସ୍ଥିତି ବଗିଡ଼ିବାରେ ଲାଗିଛି। ଯେଉଁଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବି ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାରୁ ମୁହଁ ଫେରାଇଲେଣି। ପିଲା ହେଉ ନଥିବାରୁ ଗୋଟିଏ ପରେ ଗୋଟିଏ ଟ୍ରେଡ୍‌ ବନ୍ଦ କରିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ ୨୦୧୫ ତଥା ୬ବର୍ଷ ତଳେ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜର ୪୫ ହଜାର ସିଟ୍‌ରେ ନାମଲେଖା ପାଇଁ କାଉନସେଲିଂ ହେଉଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ହ୍ରାସ ପାଇ ୩୩ ହଜାର ୬୦୦ ସିଟ୍‌ରେ ପହଞ୍ଚିଥିଲା। ଏଥର ଆଉ ଦେଢ଼ ହଜାର ସିଟ୍‌ କମିଛି। ଅର୍ଥାତ୍‌ ଚଳିତବର୍ଷ ୩୨ହଜାର ବି.ଟେକ୍‌ ସିଟ୍‌ରେ ନାମଲେଖା ହେବ।

ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଜେଇଇ ମେନ୍‌ ରୢାଙ୍କଧାରୀ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଛି। ଇତିମଧ୍ୟରେ ଛାତ୍ରଛାତ୍ରୀଙ୍କ ଚଏସ୍‌ ଲକିଂ ଶେଷ ହୋଇଛି। ଓଡ଼ିଶାରୁ ପାଖାପାଖି ୪୦ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍‌ରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଏଥର ମାତ୍ର ୧୧ହଜାର ୭୦୦ ଜଣ ଓଜେଇଇ କାଉନସେଲିଂରେ ଭାଗ ନେଇଛନ୍ତି। ଆସନ୍ତା ୯ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବାକୁ ଥିବାରୁ ପୂର୍ବବର୍ଷ ପରି ଏଥର ମଧ୍ୟ ସିଟ୍‌ ଖାଲି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ସ୍ବତନ୍ତ୍ର ଓଜେଇଇରେ ଭାଗ ନେଇ ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ନା‌ମଲେଖା‌ ପାଇଁ ଆସନ୍ତା ୧୦ ତାରିଖରୁ କାଉନସେଲିଂ ଆରମ୍ଭ ହେବାକୁ ଥିବାରୁ ଆଉ କିଛି ସିଟ୍‌ ପୂରଣ ହେବାର ସମ୍ଭାବନା ରହିଛି।

ଓଜେଇଇ ତଥ୍ୟ ଅନୁଯାୟୀ, ବି.ଟେକ୍‌ ପାଠ୍ୟକ୍ରମ ଲାଗି ରାଜ୍ୟର ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଏଥର ୩୨ହଜାର ସିଟ୍‌ ରହିଛି। ସରକାରୀ କଲେଜରେ ୪ ହଜାର ଓ ‌ବେସରକାରୀ କଲେଜରେ ୨୮ହଜାର ବି.ଟେକ୍‌ ସିଟ୍‌ ରହିଛି। ନାମଲେଖା ଲାଗି ଓଜେଇଇ ପକ୍ଷରୁ କାଉନସେଲିଂ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଚଏସ୍‌ ଲକିଂ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ସରକାରୀ କଲେଜକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଛନ୍ତି। ନାମକରା ୮ରୁ ୧୦ଟି ଘରୋଇ ଇଞ୍ଜିନିୟରିଂ କଲେଜକୁ ବାଦ୍‌ ଦେଲେ ଅନ୍ୟଗୁଡ଼ିକ ପ୍ରତି ପିଲାମାନଙ୍କର ସେଭଳି ଆଗ୍ରହ ଦେଖିବାକୁ ମିଳି ନାହିଁ। ବିଗତ ବର୍ଷଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ୨୦୨୦ରେ ୨୨ହଜାର ବି.ଟେକ୍‌ ସିଟ୍‌ ଖାଲି ପଡ଼ିଥିବା ବେଳେ ୨୦୧୯ରେ ୨୧ହଜାର ୫୦୦, ୨୦୧୮ରେ ୨୮ ହଜାର, ୨୦୧୭ରେ ୩୦ ହଜାରରୁ ଅଧିକ ସିଟ୍‌ ଫାଙ୍କା ପଡ଼ିଥିଲା।

ବିଶେଷଜ୍ଞଙ୍କ କହିବାନୁଯାୟୀ, ବିଭିନ୍ନ କାରଣ ପାଇଁ ବି.ଟେକ୍‌ରେ ସିଟ୍‌ ଖାଲି ପଡ଼ିଛି। ଇଂଜିନିୟରିଂ ପାଠ୍ୟକ୍ରମ ପରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ମିଳୁ ନାହିଁ। ଯଦି ବି ନିଯୁକ୍ତି ମିଳୁଛି, ଅନ୍ୟ ପାଠ୍ୟକ୍ରମ ତୁଳନାରେ ଆଶାନୁଯାୟୀ ପାରିଶ୍ରମିକ ମିଳୁନାହିଁ। ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭିତ୍ତିଭୂମି ଯାଞ୍ଚ ନ କରି ମାଳମାଳ ବେସରକାରୀ କଲେଜ ଓ ସିଟ୍ ବୃଦ୍ଧି କରାଯିବା ଏହାର ଅନ୍ୟ ଏକ କାରଣ। ୨୦୧୫ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ବାହାର ରାଜ୍ୟର ପିଲାମାନେ ଓଡ଼ିଶାରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ବିଶେଷକରି ବିହାରର ଛାତ୍ରଛାତ୍ରୀ ବହୁ ପରିମାଣରେ ଆସୁଥିଲେ। ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଆଗ ଭଳି ଆଉ ବାହାର ରାଜ୍ୟର ପିଲା ଆସୁନାହାନ୍ତି। ଯେଉଁଥିପାଇଁ ସିଟ୍‌ ଖାଲି ପଡ଼ୁଛି। ତାହାକୁ ନେଇ ଏତେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସାରା ଦେଶରେ ବି ଏଭଳି ସମସ୍ୟା ରହିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ ମୁହଁ ମୋଡ଼ୁଛନ୍ତି।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ ଶିକ୍ଷାନୁଷ୍ଠାନସ୍ତରରେ ନାମଲେଖା ପାଇଁ ଏବେ କାଉନସେଲିଂ ପ୍ରକ୍ରିୟା ଜାରି ରହିଛି। ଜେଇଇ ମେନ୍‌ର ୧୧ହଜାର ପିଲା ଚଏସ୍‌ ଲକିଂ କରିଛନ୍ତି। ଓଜେଇଇ ରୢାଙ୍କଧାରୀ ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ଆହୁରି ରହିଛନ୍ତି। ସେମାନଙ୍କ କାଉନସେଲିଂ ପ୍ରକ୍ରିୟା କରାଯିବା ପରେ ଏଭଳି ମୋଟ ୧୭ ହଜାର ସିଟ୍‌ ପୂରଣ ହେବ। ପ୍ରତିବର୍ଷ ପରି ଏଥର ମଧ୍ୟ କିଛି ସିଟ୍‌ ଖାଲି ରହିପାରେ। ମାତ୍ର ବିଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପିଲା ଇଞ୍ଜିନିୟରିଂରେ ନାମ ଲେଖାଇବେ ବୋଲି ଆଶା ରଖିଛୁ।

ସମ୍ବନ୍ଧିତ ଖବର