ତୈଳବୀଜ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ଖାଇବା ତେଲ ନେଇ ବଢ଼ୁଛି ନିର୍ଭରଶୀଳତା
ବିହନ ଗବେଷଣାକୁ ଗୁରୁତ୍ବ ନାହିଁ, ବିକ୍ରିରେ ବି ସମସ୍ୟା

ଭୁବନେଶ୍ବର : ବିକ୍ରିରେ ସମସ୍ୟା ଯୋଗୁଁ ତୈଳବୀଜ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ। ଏଥିଯୋଗୁଁ ଖାଇବା ତେଲରେ ନିର୍ଭରଶୀଳତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସୂର୍ଯ୍ୟମୂଖୀ ଚାଷ ରାଜ୍ୟରେ ନାମମାତ୍ର ହୋଇ ରହିଯାଇଛି। ଏହାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଅଣଧାନ ଫସଲରେ ପ୍ରୋତ୍ସାହନ ଏବଂ ଗାଁ ସ୍ତରରେ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ପ୍ରୋତ୍ସାହିତ କରାଯାଉଥିବା କୃଷି ବିଭାଗ କହିଛି।

ସରକାରୀ ରିପୋର୍ଟ ଅନୁସାରେ, ୨୦୦୮ ମସିହାରେ ରାଜ୍ୟରେ ୮ଲକ୍ଷ ୨୨ ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ ହୋଇ ସମୁଦାୟ ୭୦୨.୭୩ ଲକ୍ଷ ଟନ ତୈଳବୀଜ ଉତ୍ପାଦିତ ହୋଇଥିଲା। ଏଥିପୂର୍ବରୁ ୧୯୯୦ ମସିହାରେ ୧୧ ଲକ୍ଷ ୫୫ ହଜାର ହେକ୍ଟର ଜମିରେ ଚାଷ ହେଉଥିଲା, ଯେତେବେଳେ କି ଉତ୍ପାଦନର ପରିମାଣ ଥିଲା ୯୪୮.୬୮ ଲକ୍ଷ ଟନ। ୨୦୧୯ ମସିହା ବେଳକୁ କିନ୍ତୁ ଏହା ହ୍ରାସ ପାଇ ୬ ଲକ୍ଷ ୨ ହଜାର ହେକ୍ଟରରେ ପହଞ୍ଚିଥିଲା। ଏହି ସମୟରେ ୫୬୯ ଲକ୍ଷ ଟନ ତୈଳବୀଜ ଉତ୍ପାଦନ ହୋଇଛି।

ଚଳିତ ବର୍ଷ ରାଜ୍ୟ ସରକାର ଧାନ ଚାଷ ଅଞ୍ଚଳରେ ତୈଳବୀଜ ଚାଷ ପାଇଁ ଉତ୍ସାହିତ କରିଛନ୍ତି। ରବିରେ ୪.୨୬ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି କୃଷି ବିଭାଗ। ରାଜ୍ୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଉପକୂଳବର୍ତ୍ତୀ ଓଡ଼ିଶାର ମହାନଦୀ କୂଳରେ ସୋରିଷ, ରାଶି, ବାଦାମ ଏବଂ କିଛି ସ୍ଥାନରେ ସୂର୍ଯ୍ୟମୂଖୀ ଚାଷ ହୁଏ।

କୃଷି ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟର ଚାଷୀମାନେ ମୁଖ୍ୟତଃ ଧାନ କରୁଥିବାରୁ ତୈଳବୀଜ ଚାଷ ପ୍ରତି ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ। ଆବଶ୍ୟକ ଅନୁସାରେ କୀଟନାଶକ ବ୍ୟବହାର କିମ୍ବା ଯତ୍ନ କରାଯାଏ ନାହିଁ। ଏହାର ମୁଖ୍ୟ କାରଣ ହେଲା, ଅଣଧାନ ଫସଲର ବିକ୍ରି ଏବଂ ଚାଷର ସମସ୍ୟା। ସେହିଭଳି ତୈଳବୀଜ ଚାଷର ପ୍ରୋତ୍ସାହନ ପାଇଁ ଓୟୁଏଟି ପକ୍ଷରୁ ଆବଶ୍ୟକ ଗବେଷଣା ହେଉ ନାହିଁ। ଏଥିଯୋଗୁଁ ଜମିର କିସମ ଅନୁସାରେ ଉନ୍ନତମାନର ବିହନ ତିଆରି ହୋଇ ପାରୁନାହିଁ। ବିହନ ଯୋଗାଣରେ ମଧ୍ୟ ସମସ୍ୟା ହେଉଛି। ଏହାର ଫାଇଦା ଉଠାଇ ସାହୁକାରମାନେ ମାଗଣାରେ ବିହନ ଦେଇ ସ୍ବଳ୍ପ ମୂଲ୍ୟରେ ଉତ୍ପାଦନ କିଣି ନିଅନ୍ତି। ଏଥିଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୁଏ।

Asia Farming

କେବଳ ସେତିକି ନୁହେଁ, ତୈଳବୀଜର ଉପଯୁକ୍ତ ବ୍ୟବହାର ପାଇଁ ରାଜ୍ୟରେ ଆବଶ୍ୟକ ଅନୁସାରେ ପ୍ରକ୍ରିୟାକରଣ ୟୁନିଟ୍‌ ମଧ୍ୟ ନାହିଁ। ଖୋର୍ଧାରେ ପ୍ରକ୍ରିୟାକରଣ ୟୁନିଟ୍‌ ଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ପାଇଁ ପରିବହନ ଖର୍ଚ୍ଚ ଅଧିକ ହୋଇଯାଏ। ୨ ବର୍ଷ ପୂର୍ବରୁ ସୂର୍ଯ୍ୟମୂଖୀ ମଞ୍ଜି ବିକ୍ରିରେ ଚାଷୀମାନେ ନାକେଦମ ହୋଇ ପଡ଼ିଥିଲେ। ଏଥିଯୋଗୁଁ ଚାଷୀ ଆହୁରି ହତୋତ୍ସାହିତ ହୋଇ ପଡ଼ିଛନ୍ତି।

କୃଷି ବିଭାଗ ପକ୍ଷରୁ କୁହାଯାଇଛି, ଜାତୀୟ ତୈଳବୀଜ ମିସନ ଅନ୍ତର୍ଗତ ଅଞ୍ଚଳରେ ତୈଳବୀଜ ଚାଷ ବୃଦ୍ଧି ପାଇଁ ସରକାର ପ୍ରୋତ୍ସାହନ କରୁଛନ୍ତି। ନୂତନ ବିହନ, ଜ୍ଞାନକୌଶଳ ପ୍ରୟୋଗ, ସାର ସମ୍ପର୍କିତ ପରାମର୍ଶ ଦିଆଯାଉଛି। ଉତ୍ପାଦନ ସ୍ଥଳରେ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ରିହାତି ବ୍ୟବସ୍ଥା ରହିଛି। ରାଜ୍ୟରେ ବ୍ୟକ୍ତି ପିଛା ୩୦ରୁ ୪୫ ଗ୍ରାମ ତେଲର ଆବଶ୍ୟକତା ଥାଏ। ମାତ୍ର ଓଡ଼ିଶାରେ ଏହାର ଉତ୍ପାଦନ ପାଖାପାଖି ମଧ୍ୟ ନୁହେଁ। ଯେଉଁଭଳି ଭାବରେ ଖାଇବା ତେଲର ଦର ବଢ଼ୁଛି, ସରକାର ଏଥିପ୍ରତି ବର୍ତ୍ତମାନ ସମୟରୁ ଗୁରୁତ୍ବ ନଦେଲେ ଆଗାମୀ ଦିନରେ ରାଜ୍ୟ ପାଇଁ ବିରାଟ ସଙ୍କଟ ସୃଷ୍ଟି ହେବ।

ଉଲ୍ଲେଖଥାଉକି, ସୂର୍ଯ୍ୟମୂଖୀ ତେଲ ପାଇଁ ଓଡ଼ିଶାକୁ ପ୍ରାୟତଃ ରାଜସ୍ଥାନ, ମଧ୍ୟପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର