ମାଉସୀ ପୁଅ ଗୁଳି ମାଡ଼ରେ ଆହତ ହୋଇ ହସ୍ପିଟାଲ ବିଛଣାରେ କାନ୍ଦୁଛନ୍ତି ବର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାମପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କନ୍ୟା ବିବାହ ପାଇଁ ଅପେକ୍ଷା କରିଥିବା ବେଳେ ବର ସମ୍ପର୍କୀୟ ଭାଇର ଗୁଳିମାଡ଼ର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବରଙ୍କ ନାମ କରଣ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଓମ ପ୍ରକାଶଙ୍କ ପୁଅ କରଣଙ୍କ ସହ ରାମପୁର ଅଞ୍ଚଳର ହରଦୟାଲଙ୍କ ଝିଅଙ୍କ ବିବାହ ସ୍ଥିର ହୋଇଥିଲା। କନ୍ୟାଘର ଲୋକ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସାରି ବରଯାତ୍ରୀଙ୍କ ଆସିବା ବାଟକୁ ଚାହିଁ ରହିଥିଲେ।

ଏପଟେ କରଣ ବି ହାତରେ ‌ମେହେନ୍ଦୀ ଲଗାଇ ଧୋତି ପାଇଜାମା ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧି ବାରଯାତ୍ରୀ ଧରି ବାହାରି ପଡ଼ିଥି‌ଲେ। ବାଜା,ବାଣ, ଲାଇଟରେ ରାସ୍ତା ଦୁଲୁକି ଉଠୁଥିଲା। କନ୍ୟାଘର ଆଉ ଅଳ୍ପ ବାଟ ବ‌ାକିଥିବ‌ା ‌ବେଳେ ହଠାତ ଗୁଳି ଶବ୍ଦ ଶୁଣାଯାଇଥିଲା। ଏହି ଗୁଳିର ଶିକାର ହୋଇଥିଲେ ବର କରଣ । ସଙ୍ଗେସଙ୍ଗେ କରଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସମ୍ପର୍କୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

କରଣଙ୍କ ସମ୍ପର୍କୀୟ ଏହି ଗୁଳିକାଣ୍ଡ ଘଟଣାକୁ ନେଇ କହିଛନ୍ତି, ‘ କରଣଙ୍କ ପରିବାର ସହ ତାଙ୍କ ମାଉସୀଙ୍କ ପରିବାରର ସମ୍ପର୍କ ନଥିଲା। ଅନେକ ଦିନରୁ ଏ ସମ୍ପର୍କ ଭାଙ୍ଗି ଯାଇଥିଲା। ତେଣୁ ଏ ବିବାହରେ ତାଙ୍କୁ ନିମନ୍ତ୍ରଣ ହୋଇ ନଥିଲା।

ଏଥି‌ରେ ରାଗି ଯାଇ କରଣଙ୍କ ମାଉସୀ ପୁଅ ପ୍ରତିଶୋଧ ନେବାକୁ ବରଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୌଭାଗ୍ୟବଶତଃ ଚିକିତ୍ସା ପରେ କରଣ ବିପଦମୁକ୍ତ ଅଛନ୍ତି। ଏତେ ବଡ଼ ଅଘଟଣ ଶିକାର ହୋଇଥିବାରୁ ହସ୍ପିଟାଲ ବିଛଣାରେ ପଡ଼ି ଭୟରେ କରଣ କାନ୍ଦୁଛନ୍ତି। ସେ ସୁସ୍ଥ ହେଲାପରେ ବିବାହ ‌କରିବେ। ଏହି ଘଟଣାକୁ କେନ୍ଦ୍ର କରି ପୁଲିସରେ ଏକ ମାମଲା ରୁଜୁ କରାଯାଇଛି।

ପୁଲିସ ଗୁଳି କରିଥିବା କରଣଙ୍କ ସମ୍ପର୍କୀୟ ଭାଇଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର