ଜବରଦଖଲରେ ପାରାଦୀପର ୨୦ ଏକର ଜମି: ବନ୍ଦର ଭିଜିଲାନ୍ସର ତଦନ୍ତ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ପାରାଦୀପ ବନ୍ଦରର ବିବାଦୀୟ ୩୪.୪୬ ଏକର ଜମିକୁ ନେଇ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ବନ୍ଦରର ଭିଜିଲାନ୍ସ ବିଭାଗ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ପାରାଦୀପ ବନ୍ଦର ଭିଜିଲାନ୍ସ ବିଭାଗ ଏ ନେଇ ଅଭିଯୋଗକାରୀ ସର୍ବେଶ୍ବର ବେହୁରାଙ୍କୁ ଚିଠି କରି ସବିଶେଷ ତଥ୍ୟ ଯୋଗାଇ ଦେବାକୁ କହିଛନ୍ତି।

ବ୍ରହ୍ମପୁରଶାସନ ମୌଜାର ଖାତା ନମ୍ବର ୨୨୨ ଓ ପ୍ଲଟ୍ ନମ୍ବର ୪୧୬,୪୧୯,୪୫୫,୪୫୯ ଓ ୪୭୨ରେ ମୋଟ ୩୪.୪୬ଏକର ଜମି ପାରାଦୀପ ବନ୍ଦର ନାମରେ ରହିଛି। ଏଥିରୁ ୨୦ ଏକର ଜମି ଶ୍ରୀବାସ ଜେନା ଦଖଲ କରିଛନ୍ତି। ଅବଶିଷ୍ଟ ୧୪.୪୬ଏକର ଜମି ଗାଏବ ହୋଇଯାଇଛି। ଶ୍ରୀବାସ ଜେନା ୨୦ ଏକର ଜମି ବେଆଇନ ଭାବେ ଜବରଦଖଲ କରି ସେଠାରେ ମେଗାକ୍ରସର ବସାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଅଞ୍ଚଳରୁ ମଧ୍ୟ ବ୍ୟାପକ ମୋରମ ଚାଲାଣ ହେବା ସହିତ କୋଟି କୋଟି ଟଙ୍କା ଭୂସମ୍ପତ୍ତି ପୋର୍ଟ ହରାଇଛି। ଶ୍ରୀ ବେହୁରା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୦୭ ମସିହାରେ ଶ୍ରୀ ଜେନା ୬ ବର୍ଷ ପାଇଁ ଲିଜ୍‌ ସୂତ୍ରରେ ଏହି ଜମି ନେଇଥିଲେ। ୨୦୧୨ରେ ଏହି ଲିଜ୍‌କୁ ରଦ୍ଦ କରାଯାଇଛି। ମାତ୍ର ଶ୍ରୀ ଜେନା ବେଆଇନ୍ ଭାବେ ଏହି ଜମି ଜବରଦଖଲ କରି ରଖିଛନ୍ତି ବୋଲି ସିବିଆଇ ନିକଟରେ ଅଭିଯୋଗ ହୋଇଛି। ଯାହାକୁ ଭିତ୍ତି କରି ବନ୍ଦରର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି।

ଅପରପକ୍ଷେ, ଲିଜଧାରୀ ଶ୍ରୀ ଜେନାଙ୍କ ପକ୍ଷରୁ କୁହାଯାଉଛି ଯେ ୨୦୧୫ ମସିହାରୁ ଦୀର୍ଘ ମିଆଦି ସୂତ‌୍ରରେ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଏହି ଜମି ଲିଜ୍ ଦେଇଛନ୍ତି। ତଦନ୍ତ ପରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ। ଏହି ପାରାଦୀପ ପୋର୍ଟ ଜମି ସହିତ ଲୁହାପଥର କେଳେଙ୍କାରୀର ସମ୍ପର୍କ ନେଇ ଶାହା କମିସନ ସେତେ ବେଳେ ତଦନ୍ତ କରିଥିଲେ। ଏପରିକି ଏହି ପ୍ଲଟ୍‌ରୁ ଲୁହାପଥର‌ ‘ବ୍ଲାକ୍ ରୋଜ୍’ ଜାହାଜ ନେଇ ଯାଉଥିବାବେଳେ ସମୁଦ୍ରରେ ବୁଡ଼ିଯାଇଥିଲା। ଯାହାକି ସିବିଆଇର ତଦନ୍ତ ପରିସରଭୁକ୍ତ ଅଛି। ତେଣୁ, ବିବାଦୀୟ ବ୍ରହ୍ମପୁରଶାସନ ପୋର୍ଟ ଜମିର ତଦନ୍ତ କେଉଁ ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର