ଗୋପାଳପୁର ଥାନାରେ ବ୍ୟବସାୟୀଙ୍କୁ ଥାର୍ଡ଼ଡିଗ୍ରୀ: ମୁହଁ ଖୋଲିଲେ ସ୍ମୃତିରେଖା, ସବୁ ତଦନ୍ତର ସାମ୍ନା କରିବି

ବ୍ୟବସାୟୀ ଦମ୍ପତିଙ୍କୁ ବ୍ରହ୍ମପୁର ଏଏସ୍‌ପିଙ୍କ ପଚରାଉଚରା

ରାଇକିଆ : ଗୋପାଳପୁର ଥାନାରେ ରାଇକିଆର ବ୍ୟବସାୟୀଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣାରେ ମୁହଁ ଖୋଲିଛନ୍ତି ସ୍ମୃତିରେଖା। ସେ କହିବା ପ୍ରକାରେ ସେ ବ୍ରହ୍ମପୁର ହିଁ ରହୁଛନ୍ତି। ତେଣୁ ସେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ବ୍ୟବସାୟୀ ସୁମନ ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିଲେ ଓ  କିଛି ଟଙ୍କା ସହାୟତା ମାଗିଥିଲେ। ତେଣୁ ସେ କିଛି ଏସ୍‌ଏଚ୍‌ଜିଙ୍କ ଠାରୁ ଟଙ୍କା ନେଇ ସୁମନଙ୍କୁ କରଜ ନୁହେଁ ବରଂ ସହାୟତା ଦେଇଥିଲେ। ହେଲେ ଟଙ୍କା ନ ଫେରାଇବାରୁ ରାଇକିଆ ଥାନାରେ ତିନି ତିନି ଥର ଏତଲା ଦେବାକୁ ଯାଇଥିଲେ। କିନ୍ତୁ ସ୍ମୃତିରେଖା ବ୍ରହ୍ମପୁର ଆମ୍ବପୁଆରେ ରହୁଥିବାରୁ ଗୋପାଳପୁର ଥାନାରେ ଏତଲା ଦେବାକୁ ସ୍ଥାନୀୟ ଥାନା ଅଧିକାରୀ ତାଙ୍କୁ ପରାମର୍ଶ ଦେଇଥିଲେ ବ‌ୋଲି କହିଛନ୍ତି। ରାଇକିଆ ଥାନାର ତତ୍‌କାଳୀନ ଥାନା ଅଧିକାରୀଙ୍କ ଖମାରୀଙ୍କ ସହ ପୂର୍ବ ସମ୍ପର୍କକୁ ସେ ଖଣ୍ଡନ କରିଛନ୍ତି। ବତ୍ତର୍ମାନ ତାଙ୍କ ଆକାଉଣ୍ଟ‌୍ରେ କିଛି ଟଙ୍କା ନଥିବା କହିଛନ୍ତି। ନେଇଥିବା ଟଙ୍କା ମାଗିବାରୁ ବ୍ୟବସାୟୀ ସୁମନ ତାଙ୍କୁ ଠେଲି ଦେଇଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଏବଂ ବର୍ତ୍ତମାନ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ‘ସମ୍ବାଦ’କୁ କହିଛନ୍ତି।  ସାଧାରଣରେ ଆଲୋଚନା ହେଉଥିବା ସୁଧ କାରବାର ଓ ଖମାରୀଙ୍କ ସହ ପୂର୍ବ ସମ୍ପର୍କକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ଜନ୍ମଦିନରେ ସୁମନ ତାଙ୍କୁ ପୋଷାକ ଓ କେକ୍ ପଠାଇଦା ଘଟଣା ମଧ୍ୟ ମିଛ ବୋଲି କହିଛନ୍ତି। ସେ କୁଆଡ଼େ ଯାଇନାହାନ୍ତି, ପୁଲିସର ସବୁ ତଦନ୍ତକୁ ସାମ୍ନା କରିବେ ବୋଲି କହିଛନ୍ତି।

ଏପଟେ କନ୍ଧମାଳ ଏସ୍.ପିଙ୍କ ନିର୍ଦ୍ଦେଶ ପରେ ବ୍ୟବସାୟୀ ସୁମନଙ୍କ ପତ୍ନୀ ସୁଜାତା ଚନ୍ଦନ ରାଇକିଆ ଥାନାରେ ଦେଇଥିବା ଏତଲା ପ୍ରକାରେ ତଦନ୍ତ ମାତ୍ର ପାହୁଣ୍ଡେ ଘୁଞ୍ଚିଛି। ସୁମନଙ୍କୁ ଥାନାରେ ଅଟକ ରଖି ଥାର୍ଡ଼ଡିଗ୍ରୀ ମାମଲାରେ ଗୋପାଳପୁରର ତତ୍କାଳୀନ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ସହଅଭିଯୁକ୍ତ ସ୍ମୃତିରେଖା ସାହୁଙ୍କ ନାମରେ ରାଇକିଆ ଥଶନାରେ ମାମଲା ରୁଜୁ ହୋଇଛି। ହେଲେ ତଦନ୍ତକାରୀ ଅଧିକାରୀ କେବଳ ସୁମନକୁ ଡାକି ପଚରାଉଚରା କରିଛନ୍ତି। ରାଇକିଆ ପୁଲିସ ଗୋପାଳପୁର ଆସି ଖମାରୀଙ୍କୁ ପଚରାଉଚରା କରିବ ବୋଲି କୁହା ଯାଇଥିଲେ ବି ଏ ପର୍ଯ୍ୟନ୍ତ ସେମିତି କିଛି ହୋଇନାହିଁ। ଏପଟେ ସହଅଭିଯୁକ୍ତ ସ୍ମୃତିରେଖାଙ୍କ ନିକଟରେ ବି ପୁଲିସ ଏଯାଏ ପହଞ୍ଚିନି। ସ୍ମୃତିରେଖା ଚିକିତ୍ସିତ ହେଉଥିବାରୁ ତାଙ୍କୁ ପୁଲିସ ପଚରାଉଚରା କରିନାହିଁ। ଅନ୍ୟପଟେ ଦିନ ଯେତିକ ଗଡ଼ିବ ମାମଲା ସେତିକ ଫୁସ୍‌କି ଯିବ ଜାଣି ପୁଲିସ ଜାଣିଶୁଣି ତଦନ୍ତକୁ ଢ଼ିଲା କରି ଚାଲିଛି ବୋଲି ପୀଡ଼ିତ ବ୍ୟବସାୟୀ ସୁମନଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଆଜି ମଧ୍ୟ ଋଣ ଟଙ୍କା ପାଇଁ ସେ ହ୍ବାଟ୍ସଆପ୍‌ ମେସେଜ କରିଥିବା ସୁମନଙ୍କ ପତ୍ନୀ କହିଛନ୍ତି।

ତେବେ ବ୍ରହ୍ମପୁର ଏସ୍.ପିଙ୍କ ନିର୍ଦ୍ଦେଶ ପ୍ରକାରେ ଘଟଣାର ତଦନ୍ତ କରୁଥିବା ବ୍ରହ୍ମପୁର ଅତିରିକ୍ତ ଏସ୍.ପି. ଅସୀମ ପଣ୍ଡା ଆଜି ରାଇକିଆ ଥାନାରେ ପହଞ୍ଚି ବ୍ୟବସାୟୀ ସୁମନ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଛନ୍ତି। ତାଙ୍କୁ କିଭଳି ଗୋପାଳପୁର ଥାନା ପୁଲିସ ଘରୁ ଉଠାଇ ନେଲେ, ସ୍ଥାନୀୟ ଥାନାକୁ ଅବଗତ କରିଥିଲେ କି କି ନାହିଁ, ଥାନାରେ କିଏ କିଏ ତାଙ୍କୁ ମାଡ଼ ମାରିଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ସମ୍ପର୍କିତ କାଗଜପତ୍ର ଓ ସ୍ମୃତିରେଖାଙ୍କ ସହ ହୋଇଥିବା ଋଣ ଦେଣନେଣ ବାବଦ ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି। ପ୍ରଥମେ ସୁମନଙ୍କ ପତ୍ନୀଙ୍କୁ ଏକ ଘଣ୍ଟା କାଳ ପଚରାଉଚରା କରିଥିବା ବେଳେ ପରେ ସୁମନଙ୍କୁ ମଧ୍ୟ ଏନେଇ ପ୍ରାୟ ଏକ ଘଣ୍ଟା ଧରି ପଚରାଉଚରା କରିଥିଲେ। ହେଲେ କେବଳ କରଜ ଟଙ୍କା ନୁହେଁ, ସ୍ମୃତିରେଖାଙ୍କୁ ଜନ୍ମଦିନରେ କେକ୍ ଓ ପୋଷାକ ଦେଇଥିବାରୁ ବ୍ୟବସାୟୀ ସୁମନଙ୍କୁ ପୁଲିସ ରାଇକିଆରୁ ଆଣି ଗୋପାଳପୁର ଥାନାରେ ମାଡ଼ ମାରିଥିବା ନେଇ ପୂର୍ବରୁ ଫୁଲବାଣୀ ଅତିରକ୍ତ ଡିଏସ୍‌ପିଙ୍କୁ କହିଥିବା ବେଳେ ଆଜି ମଧ୍ୟ ଓ ବ୍ରହ୍ମପୁର ଏ.ଏସ୍.ପି ଙ୍କ ଆଗରେ ସେହି କଥା ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର