ଆପଣ ମୋତେ ଜାଣି ନାହାନ୍ତି

କଥାଟିଏ - ଯାଯାବର

ବୁଦ୍ଧତ୍ବ ପାଇବା ପରେ ଗୌତମ କପିଳବାସ୍ତୁ ଫେରିଲେ। ସେ ଘର ଛାଡ଼ିବା ପରେ ଦୀର୍ଘ ସମୟ ବିତି ସାରିଥିଲା। ତେଣୁ ତାଙ୍କୁ ସ୍ବାଗତ କରିବା ଲାଗି ସାରା କପିଳବାସ୍ତୁ ନଗର ଯେମିତି ଅପେକ୍ଷା କରି ରହିଥିଲା। ଉତ୍ସୁକ ନଗରବାସୀଙ୍କ ସବା ଆଗରେ ଥିଲେ ପିତା ଶୁଦ୍ଧୋଦନ। ଗୌତମ ବୁଦ୍ଧ ପହଞ୍ଚିଗଲେ।

ଶୁଦ୍ଧୋଦନ ଗୌତମ ବୁଦ୍ଧଙ୍କୁ କହିଲେ- ପୁତ୍ର, ତୁମେ ମୋତେ ବହୁତ କଷ୍ଟ ଦେଇଛ। ତୁମକୁ ଝୁରି ଝୁରି ମୁଁ ଏତେ କାଳ କେମିତି କାଟିଛି, ତାହା କେବଳ ମୁଁ ହିଁ ଜାଣେ। ତେବେ ତୁମକୁ ଦେଖିବା ପରେ ମୋ ମନରେ ଥିବା ଅଭିମାନ ଓ କ୍ଷୋଭ ସବୁ ମିଳେଇ ଗଲା। ମୁଁ ତୁମ ଉପରେ ରାଗି ପାରୁନାହିଁ। ତୁମେ ମୋର ପୁତ୍ର। ମୁଁ ତୁମକୁ ସବୁଠାରୁ ଭଲ ଭାବେ ଜାଣେ। ମୁଁ ଠିକ୍ ଜାଣିଥିଲି ଯେ ତୁମେ ଦିନେ ନା ଦିନେ ଫେରିବ। ଆସ ରାଜପ୍ରାସାଦ ଭିତରକୁ ପ୍ରବେଶ କର।

କାରୁଣିକ ବୁଦ୍ଧ ଟିକିଏ ହସିଲେ ଏବ˚ କହିଲେ- ପିତା, ମୁଁ ଆପଣଙ୍କ କଥା ବୁଝୁଛି। କିନ୍ତୁ ପ୍ରକୃତ ସତ୍ୟ ହେଲା ଆପଣ ମୋତେ ଚିହ୍ନିଛନ୍ତି ସତ, କିନ୍ତୁ ଜାଣି ନାହାନ୍ତି। ପ୍ରଥମ କଥା ହେଲା, ଆପଣଙ୍କ ଯେଉଁ ପୁତ୍ର ନିଶାର୍ଧରେ ରାଜପ୍ରାସାଦ ଛାଡ଼ି ଚାଲିଯାଇଥିଲା, ମୁଁ ସେ ନୁହେଁ। ଏବେ ମୁଁ ଆଉ ଜଣେ। ଦ୍ବିତୀୟରେ, ମୁଁ ଏ ପୃଥିବୀରେ ଜନ୍ମ ନେବାରେ ଆପଣ କେବଳ ଗୋଟିଏ ମାଧୢମ। ଆପଣଙ୍କ ପଥ ଦେଇ ମୁଁ ଏ ପୃଥିବୀକୁ ଆସିଛି ଯାହା। କିନ୍ତୁ ଆପଣ ମୋତେ ତିଆରି କରି ନାହାନ୍ତି। ଏବେ ଆପଣ କହନ୍ତୁ ପଥ କ’ଣ କେବେ ପଥିକମାନଙ୍କୁ ଠିକ୍‌ ଭାବେ ଜାଣିପାରେ?

ନିର୍ବାକ ହୋଇଗଲେ ଶୁଦ୍ଧୋଦନ। ସେ ଅନୁଭବ କରିପାରୁଥିଲେ ଯେ ତାଙ୍କ ପୁତ୍ର ଆଉ ସାଧାରଣ ହୋଇ ରହିନାହିଁ, ସେ ଅସାଧାରଣ ହୋଇ ଫେରିଛି।

ସମ୍ବନ୍ଧିତ ଖବର