ତାପ ତାଣ୍ଡବକୁ ପାଣି ପ୍ରଳୟ

ଅପ୍ରତ୍ୟାଶିତ ଉତ୍ତାପ ଉତ୍ପାତ ଓ ଆକସ୍ମିକ ବନ୍ୟା ବିତ୍ପାତ ପୃଥିବୀର ଅନେକ ପ୍ରାନ୍ତରେ ପ୍ରତୀୟମାନ ହେଲାଣି। ୨୦୨୩ ମସିହା ଆଜି ପର୍ଯ୍ୟନ୍ତ ଭୂପୃଷ୍ଠର ସର୍ବାଧିକ ଉତ୍ତପ୍ତ ବର୍ଷର କୁଖ୍ୟାତି ଅର୍ଜନ କରିଥିବା ବେଳେ ଚଳିତ ୨୦୨୪ ମସିହା ଏହି ରେକର୍ଡକୁ ଅତିକ୍ରମ କରିପାରେ ବୋଲି ବିଶ୍ୱର ପ୍ରମୁଖ ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି। ଭାରତ ମଧ୍ୟ ପରବର୍ତ୍ତିତ ପରିସ୍ଥିତି ଦ୍ୱାରା ପ୍ରବଳ ମାତ୍ରାରେ ପ୍ରଭାବିତ। ଆମ ରାଜ୍ୟ ଓଡ଼ିଶାର ଜନଜୀବନ ଅସମ୍ଭାଳ ଗ୍ରୀଷ୍ମ ଲହରିରେ ଅସ୍ତବ୍ୟସ୍ତ।
ଗ୍ରୀଷ୍ମ ପ୍ରବାହ ହେଉଛି ଆଂଚଳିକ, ଅସ୍ଥିର ଓ କ୍ଷଣ କ୍ଷଣ ପରିବର୍ତ୍ତନଶୀଳ ପାଣିପାଗ ପ୍ରକ୍ରିୟାର ପ୍ରଭାବ। ଏହା ସ୍ଥାନୀୟ ଭୂମଣ୍ଡଳକୁ ଢାଙ୍କିଥିବା ବାୟୁମଣ୍ଡଳର ଚଳଚଂଚଳ ଅବସ୍ଥାର ପ୍ରତିଫଳନ ଯାହା ତାପମାତ୍ରା, ପବନ, ଆର୍ଦ୍ରତା, ମେଘ, ବାୟବୀୟ ଚାପ, ବୃଷ୍ଟିପାତ ଓ ସୂର୍ଯ୍ୟାଲୋକ ଇତ୍ୟାଦି ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ। ଭୌଗୋଳିକ ଅବସ୍ଥିତି ହେତୁ ଉତ୍ତାପ ବିଭିନ୍ନତା ସତ୍ତ୍ବେ ଭାରତୀୟ ପାଣିପାଗ ବିଭାଗ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ସମତଳ ଅଞ୍ଚଳ ପାଇଁ ୪୦ ଡିଗ୍ରି ସେଲସିଅସ୍‌, ପାର୍ବାତ୍ୟାଞ୍ଚଳ ପାଇଁ ୩୦ ଡିଗ୍ରି ସେଲସିଅସ୍ ଓ ଉପକୂଳ ପାଇଁ ୩୭ ଡିଗ୍ରି ସେଲସିଅସ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି। ଉପରୋକ୍ତ ନିର୍ଦ୍ଧାରିତ ତାପାଙ୍କ ଠାରୁ ୪.୫ରୁ ୬.୪ ଡିଗ୍ରି ସେଲସିଅସ୍ ତାପମାତ୍ରା ବୃଦ୍ଧିକୁ ଗ୍ରୀଷ୍ମ ଲହରି, ଏବଂ ତଦୂର୍ଦ୍ଧ୍ବ ଆକଳନକୁ ଅତିଶୟ ତାପ ପ୍ରବାହ ଭାବରେ ବିବେଚନା କରାଯାଇ ତଦନୁସାରେ ଜନସାଧାରଣଙ୍କୁ ହଳଦିଆ, ନାରଙ୍ଗୀ ଓ ଲାଲ ସତର୍କ ସୂଚନା ଯଥାକ୍ରମେ ସବିଶେଷ ସ୍ଥିତି ଅବଗତି, ମୁକାବିଲା ପ୍ରସ୍ତୁତି ଓ ପ୍ରତିରକ୍ଷାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ପ୍ରଦାନ କରାଯାଇଥାଏ।
ବାୟୁମଣ୍ଡଳର ଉପରିଭାଗରେ ଉଚ୍ଚ ଚାପ ସଂଗଠିତ ହୋଇ ଭୂପୃଷ୍ଠ ସନ୍ନିକଟ ଉତ୍ତାପକୁ ଆବଦ୍ଧ କରି ରଖିବା ଫଳରେ ଉତ୍ତପ୍ତ ପ୍ରବାହ ସୃଷ୍ଟି ହୋଇଥାଏ। ବାୟୁ ମଧ୍ୟ ସଂକୁଚିତ, ଶୁଷ୍କ ଓ ମେଘଶୂନ୍ୟ ହୋଇ ଉଷ୍ମତାକୁ ତୀବ୍ରତର କରିଥାଏ। ଏହାଛଡ଼ା ବିଶ୍ୱ ଉତ୍ତପ୍ତୀକରଣ, ସହରାଂଚଳ ତତଲା ଦ୍ୱୀପ ଓ ଏଲ୍‌ ନିନୋ ଇତ୍ୟାଦି ଏହାର ଅନ୍ୟତମ କାରଣ। ସର୍ବୋପରି ମାନବୀୟ କାର୍ଯ୍ୟକଳାପ ଯୋଗୁଁ ସବୁଜ ଗୃହ ଗ୍ୟାସ୍ ବାୟୁମଣ୍ଡଳରେ ବହୁ ମାତ୍ରାରେ ପ୍ରବେଶ କରୁଥିବାରୁ ଏହା ଉତ୍କଟ ହେଉଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ଆଦି ରାଜ୍ୟ ପ୍ରଚଣ୍ଡ ତାପରେ ପରାଭୂତ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ର କେତେକ ଅଂଚଳ ମଧ୍ୟ ପ୍ରପୀଡ଼ିତ।
ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଜନଜୀବନ ପ୍ରତି ଅଂଶୁଘାତର ବିପଦ। ଶକ୍ତିହୀନତା, ଥକାପଣ, ଶାରୀରିକ ସ୍ଥାଣୁତା, ଫୁସ୍‌ଫୁସ୍ ସଂକ୍ରମଣ, ମୂର୍ଚ୍ଛାପଣ, ଥଣ୍ଡା, ଜ୍ୱର ଓ କାଶ ଇତ୍ୟାଦି ସ୍ୱାସ୍ଥ୍ୟଗତ ସମସ୍ୟା ସାଧାରଣ ଭାବରେ ଦେଖାଯାଉଥିବା ବେଳେ ହୃଦ୍‌ଘାତ ଓ ମସ୍ତିଷ୍କଘାତ ଭୟଙ୍କର ହୋଇଥାଏ। ଉଚ୍ଚ ତାପ ସହିତ ଆର୍ଦ୍ରତା ସମ୍ମିଶ୍ରଣ ଯୋଗୁଁ ‘ୱେଟ୍‌ ବଲ୍‌ବ’ ଭଳି ପ୍ରଣାନ୍ତକ ସ୍ଥିତି ସୃଷ୍ଟି ହୁଏ। ସ୍ୱେଦକ୍ରିୟା ମାଧ୍ୟମରେ ଶରୀରର ତାପକୁ ନିୟନ୍ତ୍ରଣ କରୁଥିବା ମଣିଷ ଏଭଳି ସ୍ଥିତିରେ ଝାଳ ନ ବୋହିବା ହେତୁ ଦେହର ତାପବୃଦ୍ଧି ଘଟିଥାଏ। ୩୫ ଡିଗ୍ରି ତାପମାତ୍ର ସହିତ ଶତ ପ୍ରତିଶତ ଆର୍ଦ୍ରତା ସହନୀୟ। କିନ୍ତୁ ୪୬ ଡିଗ୍ରି ସେଲସିଅସ୍‌ ସହିତ ୫୦% ଆର୍ଦ୍ରତା ମରଣାନ୍ତକ। ତେଣୁ ଆର୍ଦ୍ର ଉପକୂଳ ଅଂଚଳ ଅତ୍ୟନ୍ତ ସମ୍ବେଦନଶୀଳ। ଏହି କାରଣରୁ ୧୯୯୭ ମସିହାରେ ଓଡ଼ିଶାର ତଟବର୍ତ୍ତୀ ଜିଲ୍ଲାମାନଙ୍କରେ ଅନେକ ମୃତ୍ୟୁ ଘଟିଥିଲା। ଝାଞ୍ଜି ଛଡ଼ା ଘୂର୍ଣ୍ଣିଝଡ଼, ତୋଫାନ, ବନାଗ୍ନି, ମରୁଡ଼ି, ହିମଖଣ୍ଡ ତରଳିବା ଓ ଅତ୍ୟଧିକ ଜଳ ପ୍ଳାବନ ଭଳି ଅନେକ ବିଭୀଷିକା ଦେଖିବାକୁ ମିଳୁଛି।
ଅପରପକ୍ଷେ ଅଦିନରେ ଅକସ୍ମାତ୍ ଅଳ୍ପ ଅବଧିରେ ଅବିଶ୍ରାନ୍ତ ଓ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ମରୁଭୂମିରେ ପ୍ରବଳ ବନ୍ୟାର ପ୍ରକୋପ ସାରା ଜଗତକୁ ଚିନ୍ତିତ କରିଛି। ଅଳ୍ପ କିଛି ଦିନ ତଳେ ମରୁଦେଶ ସଂଯୁକ୍ତ ଆରବ ରାଷ୍ଟ୍ରର ରାଜଧାନୀ ଦୁବାଇ ଓ ଏହାର ସନ୍ନିକଟ ଅଂଚଳରେ ୨୪ ଘଣ୍ଟା ମଧ୍ୟରେ ବର୍ଷକର ବୃଷ୍ଟିପାତ ହୋଇ ପାଣିର ପ୍ରଳୟ ଦେଖିବାକୁ ମିଳିଥିଲା। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ ଓ ଆତଙ୍କିତ କରିଛି। ନିକଟରେ ଆମ ଦେଶର ଅରୁଣାଚଳ ପ୍ରଦେଶରେ ପ୍ରବଳ ଜଳପ୍ରବାହ ପ୍ରଭୂତ କ୍ଷୟକ୍ଷତି ଘଟାଇଛି। ପଡ଼ୋଶୀ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନରେ ମଧ୍ୟ ବାରମ୍ବାର ଏହାର ପୁନାରବୃତ୍ତି ହେଉଛି।
ଏସବୁର ସମାଧାନ ପାଇଁ ସ୍ଥାନୀୟ, ରାଷ୍ଟ୍ରୀୟ ଓ ବିଶ୍ୱସ୍ତରୀୟ ସମ୍ମିଳିତ ଓ ସମର୍ପିତ ପ୍ରୟାସ ଅନିବାର୍ଯ୍ୟ। ଅନେକ ରାଷ୍ଟ୍ର ନିଜ ଇଲାକାରେ କୃତ୍ରିମ ବର୍ଷା, ତାପ ହ୍ରାସ ପାଇଁ ବିକିରଣ ବିପରୀତକରଣ ଓ ପାଣିପାଗ ପରିବର୍ତ୍ତନ ନିମନ୍ତେ ପ୍ରଚଳିତ ପ୍ରାକୃତିକ ପ୍ରକ୍ରିୟାକୁ ଇଚ୍ଛା ମୁତାବକ ଓଲଟପାଲଟ କରିବାକୁ ଚେଷ୍ଟା କରୁଛନ୍ତି। ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଶ୍ୱ ସମୁଦାୟକୁ ଭୋଗିବାକୁ ପଡୁଛି। ଉପଯୁକ୍ତ ସମନ୍ୱୟର ଅଭାବ, ରାଷ୍ଟ୍ରକୈନ୍ଦ୍ରିକ ସ୍ୱାର୍ଥ, ପୃଥିବୀ ପରିପନ୍ଥୀ ପରିଚାଳନା, ଜନହିତକୁ ଉପେକ୍ଷା ଓ ଉତ୍ତରଦାୟିତ୍ୱହୀନତା ଇତ୍ୟାଦି ଏଥିରେ ବାଧକ ସାଜିଛି। ବ୍ୟକ୍ତିଗତ ସ୍ତରରେ ପରିବେଶ ଅନୁକୂଳ ଜୀବନଯାପନ, ରାଷ୍ଟ୍ରୀୟ ସ୍ତରରେ ଜୀବାଶ୍ମ ଇନ୍ଧନର ସୀମିତ ବ୍ୟବହାର ଏବଂ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ବଦଳରେ ସବୁଜ, ଶୁଦ୍ଧ ଓ ଅକ୍ଷୟ ଶକ୍ତିକୁ ପ୍ରାଧାନ୍ୟ ଦେବା ଦ୍ବାରା ଉତ୍ତପ୍ତୀକରଣକୁ ରୋକାଯାଇପାରିବ। ରାଷ୍ଟ୍ର ସମୂହ ପରସ୍ପରର ବିଶ୍ୱାସଭାଜନ ହୋଇ ପ୍ରଯୁକ୍ତି ଓ ବୈଷୟିକ କୌଶଳ ବିନିମୟ ସହିତ ଆର୍ଥିକ ଅନଗ୍ରସର ଦେଶକୁ ସହାୟତା ପ୍ରଦାନ ମାଧ୍ୟମରେ ବିଶ୍ୱ ତାପାୟନ ବୃଦ୍ଧିକୁ ଅବିଳମ୍ବେ ପ୍ରତିହତ କରିବା ଏକାନ୍ତ ଅପରିହାର୍ଯ୍ୟ। ଏଥିପାଇଁ ସମସ୍ତେ ମିଳିମିଶି ଆନ୍ତରିକତାର ସହିତ ମାନବ ଜାତିର ସୁରକ୍ଷା ପାଇଁ ଉଦ୍ୟମ କରିବା ଆବଶ୍ୟକ।
ମୋ: ୯୪୩୭୦୮୦୨୩୩

ସମ୍ବନ୍ଧିତ ଖବର