ଅଳ୍ପ ଦିନ ପୂର୍ବରୁ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଏକ ସମ୍ବାଦ କେରଳୀମାନଙ୍କ ଭିତରେ ଏକତା ଏବଂ ସଂହତିର ଦୃଢ଼ତାକୁ ଉପସ୍ଥାପନ କରିଥିଲା। ସମ୍ବାଦଟି ଥିଲା ଏହି ଭଳି: ସାଉଦୀ ଆରବରେ କେରଳ ନିବାସୀ ଅବଦୁଲ ରହିମକୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ସର୍ତ୍ତ ଥିଲା ଯେ ସେ ଯଦି ୩୪ କୋଟି ଟଙ୍କା କ୍ଷତିପୂରଣ ଭାବେ ଦିଏ, ତେବେ ତା’ର ଦଣ୍ଡ ଟଳିଯିବ। ଏବଂ ଉଲ୍ଲେଖନୀୟ ହେଲା, ଦଣ୍ଡଟି କାର୍ଯ୍ୟକାରୀ ହେବାର ମାତ୍ର ୪ ଦିନ ପୂର୍ବରୁ ସମସ୍ତ କେରଳବାସୀ ଏକଜୁଟ ହୋଇ ସେହି ବିପୁଳ ପରିମାଣର ଅର୍ଥ ଏକାଠି କଲେ। ରହିମର ମୁକ୍ତିି ଲାଗି ଜାତି ଧର୍ମ ନିର୍ବିଶେଷରେ ସବୁ କେରଳବାସୀ ଖୋଲା ହୃଦୟରେ ନିଜର ଶକ୍ତି ମୁତାବକ ଟଙ୍କା ଦାନ କରିଛନ୍ତି ଏବଂ ୩୪ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ୩୪.୪ କୋଟି ଟଙ୍କା ସଂଗୃହୀତ ହୋଇଛି।
ରହିମ ୨୦୦୬ ମସିହାରେ ସାଉଦୀ ଆରବ ଯାଇଥିଲେ ଏବଂ ସେଠାରେ ଫେରୋକ ନାମକ ଏକ ସ୍ଥାନରେ ଅଟୋ ଚଳାଉଥିଲେ। ସେହି ସମୟରେ ତାଙ୍କର ରହମାନ ଅଲସାହାରୀଙ୍କ ସହିତ ଭେଟ ହୁଏ ଏବଂ ସେ ସାହାରୀଙ୍କର ଡ୍ରାଇଭର ଭାବେ କାର୍ଯ୍ୟ କରିବାକୁ ନିଯୁକ୍ତ ହୁଅନ୍ତି। ଗାଡ଼ି ଚଳାଇବା ସହିତ ଆଲସାହାରୀ ରହିମକୁ ନିଜର ଭିନ୍ନକ୍ଷମ ପୁଅର ଦେଖାରଖା କରିବା ଦାୟିତ୍ବ ମଧ୍ୟ ଦିଅନ୍ତି। ଦିନକର କଥା। ରହିମ ସେହି ଭିନ୍ନକ୍ଷମ ପୁଅକୁ ବାହାରକୁ ନେଇ ଯାଇଥିବା ବେଳେ କୌଣସି କାରଣରୁ ପିଲାଟି ହଠାତ୍ ରାଗି ଯିବାରୁ ରହିମ ତାକୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ରହିମଙ୍କ ହାତ ବାଜି ସେହି ଭିନ୍ନକ୍ଷମ ପୁଅର ଗଳାରେ ଲାଗିଥିବା ପାଇପ୍ଟି ଭାଙ୍ଗି ଯାଇଥିଲା। ଫଳରେ ଭିନ୍ନକ୍ଷମ ପୁଅ ସେଠାରେ ଚେତାଶୂନ୍ୟ ହୋଇ ଯାଇଥିଲା ଏବଂ ପରେ ସମସ୍ତ ଚେଷ୍ଟା ସତ୍ତ୍ୱେ ତା’ର ମୃତ୍ୟ ଘଟିଥିଲା। ଏହି ଦୁର୍ଘଟଣା ପରେ ସାଉଦୀ ଆରବର ରିୟାଦର ଏକ ଅଦାଲତ ରହିମକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସୁବିଦିତ ଯେ ଷଢ଼େଇକଳା ଓ ଖରସୁଆଁ ସଂପୂର୍ଣ୍ଣ ରୂପେ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ। କିନ୍ତୁ ସ୍ବତନ୍ତ୍ର ଓଡ଼ିଶା ଗଠନ ବେଳେ ତାହା ବିହାର ପ୍ରଦେଶରେ ରହିଗଲା। ଅଞ୍ଚଳ ମିଶ୍ରଣ ଲାଗି ପ୍ରସ୍ତୁତ କାଗଜରେ ଷଢ଼େଇକଳା ମହାରାଜାଙ୍କ ଦସ୍ତଖତ ଅନୁସାରେ ଉଭୟ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାରେ ମିଶିବା କଥା, କିନ୍ତୁ ତାହା ହେଲା ନାହିଁ। ପରବର୍ତ୍ତୀ କାଳରେ ମଧ୍ୟ ଓଡ଼ିଆଏ ଏ ନେଇ ମୁହଁ ଖୋଲିଲେ ନାହିଁ କି ଏକତ୍ର ହେଲେ ନାହିଁ। ଏବେ ବି ଛତିଶଗଡ଼ ଅଧୀନସ୍ଥ ରାୟପୁର ଅଞ୍ଚଳ ସ୍ପଷ୍ଟ ଭାବେ ଏକ ଓଡ଼ିଅା ଅଞ୍ଚଳ ଭଳି ଲାଗେ। କିନ୍ତୁ, ଆମ ଠାରୁ ଅଲଗା ହୋଇ ଯାଇଥିବା ଭାଇଭଉଣୀମାନଙ୍କୁ ଆମ ସହିତ ମିଶାଇବା ଲାଗି ଆମ ରାଜ୍ୟରେ କେବେ ହେଲେ କୌଣସି ଆନ୍ଦୋଳନ ହୋଇନାହିଁ।
ସେହି ସମୟ ଠାରୁ ଆଜକୁ ୧୭ ବର୍ଷ ଧରି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନ ରହିମର ମୁକ୍ତି ପାଇଁ ଚେଷ୍ଟା କରୁଆସୁଛନ୍ତି। ରହୀମକୁ କ୍ଷମା ଦେବା ପାଇଁ ବିଭିନ୍ନ ସଂଗଠନ ଉକ୍ତ ଭିନ୍ନକ୍ଷମ ବ୍ୟକ୍ତିର ପରିବାରକୁ ବାରମ୍ବାର ନିବେଦନ କରିଆସୁଛନ୍ତି। ଅନେକ ବୁଝାଶୁଝା ପରେ ଉକ୍ତ ପରିବାର ୧୫ ନିୟୁତ ସାଉଦୀ ରିୟାଲ (୩୪ କୋଟି ଟଙ୍କା) ଦାବି କରିଥିଲେ, ଯାହା ବଦଳରେ ସେମାନେ କ୍ଷମା ଦେବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ତାହା ଅନୁଯାୟୀ କେରଳର ଯେଉଁ ସଂଗଠନ ସବୁ ରହୀମର ମୁକ୍ତି ପାଇଁ ଚେଷ୍ଟା କରିଚାଲିଥିଲେ ସେମାନେ ସମସ୍ତେ ଏକାଠି ହୋଇ ହାତ ମିଳାଇ ମାତ୍ର ଅଳ୍ପ କେତେ ଦିନ ଭିତରେ ୩୪ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହା ଥିଲା େକରଳୀ ଏକତାର ପ୍ରତୀକ ଓ ପ୍ରମାଣ।
ଏହି ପରିପ୍ରେକ୍ଷୀରେ ଆମେ ନିଜ କଥା ଆଲୋଚନା କରିବା। ଓଡ଼ିଆଙ୍କ ଭିତରେ ଏକତାର ଅଭାବ ହେତୁ ସୃଷ୍ଟ ପରିସ୍ଥିତିର କେତେକ ନମୁନା ବିଷୟରେ ଆଲୋଚନା କରିବା। କୋରାପୁଟ ଜିଲ୍ଲାରେ ଆନ୍ଧ୍ରକୁ ଲାଗି ଅବସ୍ଥିତ ବୋରାମୁଠା ଅଞ୍ଚଳ ଏକ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବହୁ ଓଡ଼ିଆ ମଠ ମନ୍ଦିରମାନ ରହିଛି। ୨୦୧୦ ମସିହାରେ ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ସର୍ବୋଚ୍ଚ ନ୍ୟାୟାଳୟ ମାଧ୍ୟମରେ ନିଜ କବଜାକୁ ନେଇଗଲେ। କିନ୍ତୁ ଏହା ବିରୋଧରେ କୌଣସି ଓଡ଼ିଆ ପାଟି ଖୋଲିଲେ ନାହିଁ। ବର୍ତ୍ତମାନ ଆନ୍ଧ୍ରର ଲୋଲୁପ ଦୃଷ୍ଟି ଓଡ଼ିଶାର କୋଟିଆ ଉପରେ। କୋଟିଆ ଅଞ୍ଚଳ ବହୁ ମୂଲ୍ୟବାନ ଖଣିଜ ସମ୍ପଦରେ ଭରା। ଯଦିଓ ଏହା ସଂପୂର୍ଣ୍ଣ ରୂପେ ଓଡ଼ିଶା ସୀମା ଭିତରେ ଅବସ୍ଥିତ, ତଥାପି ତାକୁ ଦଖଲ କରିବାର ଅପଚେଷ୍ଟାରେ ଆନ୍ଧ୍ର ମଗ୍ନ। ସେଥି ଲାଗି ଏହି ସୀମାନ୍ତ ଅଞ୍ଚଳବାସୀଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ପ୍ରଲୋଭନ ଦିଆଯାଉଛି ଏବଂ ଯେଉଁଠି ଓଡ଼ିଶା ସରକାର ଗୋଟିଏ ପରିବାରକୁ ୫୦୦ ଟଙ୍କା ଦେଉଛନ୍ତି ସେହି ଜାଗାରେ ଆନ୍ଧ୍ର ସରକାର ୫୦୦୦ ଟଙ୍କା ଦେଉଛି। ପୂର୍ବରୁ ବୋରାମୁଠା ଅଧିକାର କରି ସାରିଥିବା ଆନ୍ଧ୍ର ଜାଣେ ଯେ କୋଟିଆକୁ କବ୍ଜା କଲେ ବି ଓଡ଼ିଆଏ ପାଟି ଖୋଲିବେ ନାହିଁ।
ଇତିହାସ କହେ ଓଡ଼ିଶାର ସୀମା ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। କାଳକ୍ରମେ ଓଡ଼ିଶାର ଭୌଗୋଳିକ ସୀମା ସଙ୍କୁଚିତ ହୋଇ ଚାଲିଲା। ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ବିଶାଖାପାଟଣା ଅଞ୍ଚଳରେ ରହୁଥିବା ବହୁ ବ୍ୟକ୍ତି ଓଡ଼ିଆରେ କଥାବାର୍ତ୍ତା କରୁଥିଲେ, ଯାହାକି ଆଜି ଆଦୌ ନାହିଁ। ବିଶାଖାପାଟଣାର ନିକଟବର୍ତ୍ତୀ ସୀମାଚଳ ମନ୍ଦିର ଗାତ୍ରରେ ଓଡ଼ିଆ ଲିପି ଶୋଭା ପାଉଥିଲା ଏବଂ ଏହି ମନ୍ଦିରର ପୂଜାରୀମାନେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ। ଏବେ କିନ୍ତୁ ସୀମାଞ୍ଚଳ ମନ୍ଦିରର ଗାତ୍ରରେ ଆଉ ଓଡ଼ିଆ ଲିପି ସଂବଳିତ ପଥର ନାହିଁ। ଓଡ଼ିଆ ଲିପି ସବୁକୁ ଘଷି ଲିଭାଇ ଦିଆଯାଇଛି ଅଥବା ସିମେଣ୍ଟ ମାରି ମିଶାଇ ଦିଆଯାଇଛି। ଓଡ଼ିଆ କହୁଥିବା ପୂଜାରୀ ବି ନାହାନ୍ତି। ବର୍ତ୍ତମାନ ସ୍ଥିତି ଏପରି ଯେ ଆନ୍ଧ୍ର ସୀମା ଭିତରେ ରହି ଯାଇଥିବା ଲକ୍ଷ ଲକ୍ଷ ଓଡ଼ିଆ ନିଜର ଓଡ଼ିଆ ମୂଳ ବିଷୟ ସ୍ବୀକାର କରନ୍ତି ନାହିଁ କି ଓଡ଼ିଆ ପରିଚୟ ଦିଅନ୍ତି ନାହିଁ। ସଂପ୍ରତି ତ୍ରିପାଠୀ, ମିଶ୍ର, ମହାନ୍ତି, ପଟ୍ଟନାୟକ ଆଦି ଭଳି ସାଙ୍ଗିଆଧାରୀମାନେ ସାଙ୍ଗିଆର ମୂଳ ଇଂରେଜୀ ଅକ୍ଷରକୁ ନାମ ପୂର୍ବରୁ ରଖୁଛନ୍ତି, ଉଦାହରଣ ସ୍ବରୂପ ମୂରଲୀ ତ୍ରିପାଠୀ ଏବେ ଟି. ମୁରଲୀ। ସେମିତି ମିଶ୍ର ବର୍ତ୍ତମାନ ମିଶ୍ରାଡୁ, ମହାନ୍ତି ବର୍ତ୍ତମାନ ମହାନ୍ତୁଲୁ ଇତ୍ୟାଦି। ସମାନ କଥା ହୋଇଛି ଓଡ଼ିଶାର ଉତ୍ତର ସୀମାରେ। ବଙ୍ଗଳା ସରକାର ଶଙ୍ଖମେଦୀ ଗ୍ରାମ ସମୂହକୁ ନିଜ ଅକ୍ତିଆରରେ ରଖିଛନ୍ତି, ଯଦିଓ ସେହି ଗ୍ରାମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର। ସୁବର୍ଣ୍ଣରେଖା ନଦୀରୁ ବଙ୍ଗବାସୀ ଜବରଦସ୍ତ ବାଲି ଉଠାଉଛନ୍ତି; ଏପରିକି ସୁବର୍ଣ୍ଣରେଖା ମୁହାଣ ଅଞ୍ଚଳକୁ ବଙ୍ଗ ସରକାର ନିଜର କବ୍ଜାରେ ରଖିବାର ଅପଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ତା’ର ପ୍ରତିବାଦ କରିବାକୁ କେହି ନାହାନ୍ତି। ବଙ୍ଗଳାରେ ମଧ୍ୟ ବହୁ ଓଡ଼ିଆ ବ୍ୟକ୍ତି ନିଜର ସାଙ୍ଗିଆ ବଦଳାଇ ବଙ୍ଗୀୟ ଭାବେ ପରିଚିତ ହେବାକୁ ଚେଷ୍ଟିତ; ଯେମିତି ଜେନା ହୋଇଛନ୍ତି ଜାନା ବା ମହାନ୍ତି ହୋଇଛନ୍ତି ମାଇତି ଇତ୍ୟାଦି। ଏହା ସୁବିଦିତ ଯେ ଷଢ଼େଇକଳା ଓ ଖରସୁଆଁ ସଂପୂର୍ଣ୍ଣ ରୂପେ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ। କିନ୍ତୁ ସ୍ବତନ୍ତ୍ର ଓଡ଼ିଶା ଗଠନ ବେଳେ ତାହା ବିହାର ପ୍ରଦେଶରେ ରହିଗଲା। ଅଞ୍ଚଳ ମିଶ୍ରଣ ଲାଗି ପ୍ରସ୍ତୁତ କାଗଜରେ ଷଢ଼େଇକଳା ମହାରାଜାଙ୍କ ଦସ୍ତଖତ ଅନୁସାରେ ଉଭୟ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାରେ ମିଶିବା କଥା, କିନ୍ତୁ ତାହା ହେଲା ନାହିଁ। ପରବର୍ତ୍ତୀ କାଳରେ ମଧ୍ୟ ଓଡ଼ିଆଏ ଏ ନେଇ ମୁହଁ ଖୋଲିଲେ ନାହିଁ କି ଏକତ୍ର ହେଲେ ନାହିଁ। ଏବେ ବି ଛତିଶଗଡ଼ ଅଧୀନସ୍ଥ ରାୟପୁର ଅଞ୍ଚଳ ସ୍ପଷ୍ଟ ଭାବେ ଏକ ଓଡ଼ିଅା ଅଞ୍ଚଳ ଭଳି ଲାଗେ। କିନ୍ତୁ, ଆମ ଠାରୁ ଅଲଗା ହୋଇ ଯାଇଥିବା ଭାଇଭଉଣୀମାନଙ୍କୁ ଆମ ସହିତ ମିଶାଇବା ଲାଗି ଆମ ରାଜ୍ୟରେ କେବେ ହେଲେ କୌଣସି ଆନ୍ଦୋଳନ ହୋଇନାହିଁ। ନୂଆ ପିଢ଼ିର ଓଡ଼ିଆମାନେ ଷଢ଼େଇକଳା ଓ ଖରସୁଆଁ ନେଇ ଜାଣିଥିବେ କି ନାହିଁ କେଜାଣି? ୧୯୭୬ ମସିହାରେ ଏହି ଲେଖକର ରାୟପୁର ଗସ୍ତ ସମୟରେ ଜଣେ ଭଦ୍ରବ୍ୟକ୍ତିଙ୍କ ସହିତ ହିନ୍ଦୀରେ ଆଳାପ ଜରିଆରେ ପରିଚୟ ଆଦାନପ୍ରଦାନର ଚେଷ୍ଟାରେ ସେହି ଭଦ୍ରବ୍ୟକ୍ତି ଓଡ଼ିଆରେ ହିଁ କଥା କହିବା ଆରମ୍ଭ କରିଥିଲେ। ସେ ଥିଲେ ଜଣେ ପୂର୍ବତନ ସାଂସଦ ଓ ଓଡ଼ିଆ। କଥା ଛଳରେ ଓଡ଼ିଆଙ୍କ ଦୃଢ଼ ଇଚ୍ଛାଶକ୍ତିର ଅଭାବ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଓଡ଼ିଆଙ୍କ ମଧ୍ୟରେ ଏକତାର ଅଭାବ ହେତୁ ରାୟପୁର ରାୟଗଡ଼ ଅଞ୍ଚଳ ବାହାର ରାଜ୍ୟରେ ରହିଛି।
ଓଡ଼ିଆମାନେ କେବେ ଏକଜୁଟ ହେବେ? ଏହି ମର୍ମରେ କେରଳୀମାନଙ୍କ ଠାରୁ ଅନେକ କିଛି ଶିଖିବାର ଅଛି। ଗୋଟିଏ ଜାତି ଭାବେ ଏକ ସ୍ବରରେ ନିଜ ଦାବି ଉପସ୍ଥାପନ କରିବା ସକାଶେ ଓଡ଼ିଆମାନେ କେବେ ବାହାରିବେ? କେବେ ଓଡ଼ିଆମାନେ ଗୋଟିଏ ଉଦ୍ଦେଶ୍ୟ ବା ଅଭୀଷ୍ଟ ସାଧନ ଲାଗି ଏକଜୁଟ ହେବେ? ଯେତେ ଶୀଘ୍ର ଓଡ଼ିଆମାନଙ୍କ ଆଭିମୁଖ୍ୟ ଓ ଆଚରଣରେ ପରିବର୍ତ୍ତନ ଆସିବ, ସେତେ ଭଲ!
ମୋ: ୯୪୩୭୦୧୩୪୬୬