ଅଭାବନୀୟ ଓ ଲଜ୍ଜା: ପୁଣି ଜାତିବାଦର ଶିକାର ହେଲା ଶବ

ସ୍ବାମୀ ଫେରାର, ୩ ଦିନ ପରେ ଶବ ସତ୍କାର କଲେ ଶ୍ମଶାନବନ୍ଧୁ 

ସୁନ୍ଦରଗଡ଼: ଅସୁସ୍ଥ ପତ୍ନୀକୁ ଡାକ୍ତରଖାନାରେ ଭର୍ତ୍ତି କରି ଚମ୍ପଟ ମାରିଲା ସ୍ବାମୀ। ଅସହାୟ ଅବସ୍ଥାରେ କିଛି ଦିନ ଚିକିତ୍ସା ପରେ ଆଖି ବୁଜିଲେ ପତ୍ନୀ। ହେଲେ ଶବ ନେବାକୁ ବନ୍ଧୁପରିଜନ କେହି ଆସିଲେନି। ଏପରିକି ଅନ୍ୟ ଜାତି‌ରେ ବିବାହ କରିଥିବାରୁ ବାପ ଘର ଲୋକ ବି ପାଖ ମାଡ଼ିଲେନି। ଶେଷକୁ ୩ ଦିନ ପରେ ପୁଲିସ ଚାପରେ ସ୍ବାମୀ ଆସି କେବଳ ଶବ ଗ୍ରହଣ କରିଥିବାର ଦସ୍ତଖତ ଦେଲେ। ଶବ ସତ୍କାର କଲେ ଟିମ୍‌ ଶ୍ମଶାନବନ୍ଧୁ। ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଥିବା ଘୃଣ୍ୟ ଜାତିବାଦର ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ସହରରେ।

ଘଟଣାଟି ଏପରି, ସଦର ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମର ଭୁୟାଁ ଆଦିବାସୀ ସଂପ୍ରଦାୟର ପ୍ରତିମା ନାଏକଙ୍କୁ ୧୫ ବର୍ଷ ତଳେ ସୁନ୍ଦରଗଡ଼ ସହର ରାଜବାଟୀ ଅଞ୍ଚଳର ରୂପକ ପ୍ରସାଦ ପ୍ରେମ ବିବାହ କରିଥିଲେ। ସେମାନଙ୍କ କୋଳରେ ୧୪ ଓ ୧୨ ବର୍ଷର ୨ ଝିଅ ଓ ୬ ବର୍ଷର ଗୋଟିଏ ପୁଅ। ପ୍ରତିମା ପରଘରେ କାମ କରି ଯାହା କିଛି ଆୟ କରୁଥିଲେ କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ସ୍ବାମୀ ଯାହା କିଛି ଆୟ କରୁଥିଲେ ମଦରେ ସବୁ ସାରି ଦେଉଥିଲା। ଗରିବୀ, ଅଭାବ ଯୋଗୁ ବଡ଼ କଷ୍ଟରେ ଚାଲୁଥିଲା ସେମାନଙ୍କ ସଂସାର। ଏସ୍ଥିତିରେ ପ୍ରତିମା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ଚିକିତ୍ସା ଚାଲିଥିଲା। କିନ୍ତୁ ଗତ ସପ୍ତାହରେ ସେ ଗୁରୁତର ହେବାରୁ ସ୍ବାମୀ ରୂପକ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ଶେଷକୁ ଏକା ଏକା ହସ୍ପିଟାଲ ଶଯ୍ୟାରେ ପଡ଼ିଥିବା ପ୍ରତିମା ମେ ୫ ତାରିଖରେ ଆଖି ବୁଜିଦେଲେ।

ମୃତାଙ୍କ କେହି ଦାବିଦାର ନଆସିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଟାଉନଥାନା ପୁଲିସକୁ ସୂଚନା ଦେଇ ଶବକୁ ଶବାଗାରରେ ରଖିଲେ। ୩ ଦିନ ପରେ ବୁଧବାର ଟାଉନପୁଲିସ ପ୍ରତିମାଙ୍କ ମଦ୍ୟପ ସ୍ବାମୀଙ୍କୁ ଠାବ କରିଥିଲେ। କିନ୍ତୁ ସେ ଶବ ସତ୍କାର କରିବାକୁ ଅସମର୍ଥ ଥିବା ପ୍ରକାଶ କରିଥିଲେ। ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରତିମାଙ୍କ ବାପଘର ଓ ରୂପକଙ୍କ ବନ୍ଧୁ ବାନ୍ଧବ କେହି ମଧ୍ୟ ପାଖ ମାଡ଼ି ନଥିଲେ। ଏହା ପରେ ଟାଉନଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ଶବ ସତ୍କାର ପାଇଁ ଟିମ୍‌ ଶ୍ମଶାନବନ୍ଧୁର ସଦସ୍ୟ ସିଦ୍ଧାନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଥିଲେ। ଶବ ହସ୍ତାନ୍ତର ପାଇଁ ସ୍ବାମୀ ରୂପକକୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେ ସେଠାରୁ ପୁଣି ଚମ୍ପଟ ମାରିଲା। ପରିବାର ସଦସ୍ୟଙ୍କ ବିନା ଶବ ହସ୍ତା‌ନ୍ତର କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ମନା କରିବାରୁ ଶ୍ମଶାନବନ୍ଧୁ ଓ ଜଣେ ସାମ୍ବାଦିକ କିଶୋର ନାଏକ ରୂପକକୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ।

ସେପଟେ ଅନ୍ୟ ଘରେ ଆଶ୍ରୟ ‌ ନେଇଥିବା ୩ ପୁଅ, ଝିଅ ମା’ର ମଲାମୁହଁ ଟିକେ ଦେଖିବେ ବୋଲି କାନ୍ଦି କାନ୍ଦି ଅପେକ୍ଷା କରିଥିଲେ। ଶେଷକୁ ଅପରାହ୍ନ ୨ଟାରେ ରୂପକକୁ ଖୋଜି ପାଇବା ପରେ ଡାକ୍ତରଖାନାରୁ ତା’ ଦସ୍ତଖତରେ ଶବ ଗ୍ରହଣ କରି ମହାପ୍ରୟାଣ ଯୋଗେ ସୁନ୍ଦରଗଡ଼ ସ୍ବର୍ଗଦ୍ବାରକୁ ନିଆଯାଇଥିଲା। ମୁଣ୍ଡଫଟା ଖରା‌କୁ ଖାତିର ନକରି ଟିମ୍‌ ଶ୍ମଶାନବନ୍ଧୁ ଶ୍ରୀ ପଣ୍ଡା, ଶିଶିର କୁମାର ବେହେରା ଓ ଚିଣ୍ଟୁ ରକ୍ସା ଯଥାରୀତି ଶବ ସତ୍କାର କରିଥିଲେ। ପ୍ରତିମାଙ୍କ ୬ ବର୍ଷର ପୁଅ ମୁଖାଗ୍ନି ଦେଇଥିବା ବେଳେ ମଶାଣିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅମାନବୀୟ ଜାତିବାଦର ଜ୍ବଳା ମଧ୍ୟରେ ଟିମ୍‌ ଶ୍ମଶାନବନ୍ଧୁଙ୍କ ମାନବିକତା ଆଶ୍ବାସନା ଆଣି ଦେଇଛି।

ସମ୍ବନ୍ଧିତ ଖବର