ହକି ପରେ ସୌନ୍ଦର୍ଯ୍ୟକୁ ଭୁଲିଗଲା ପ୍ରଶାସନ: ଲାଗିଲାନି ଷ୍ଟାଚ୍ୟୁ, ମରିଗଲାଣି ମୂଲ୍ୟବାନ୍‌ ଗଛ

ରାଉରକେଲା: ବିଶ୍ବକପ୍‌ ହକି ପରେ ସୌନ୍ଦର୍ଯ୍ୟକୁ ଭୁଲିଯାଇଛି ରାଉରକେଲା ପ୍ରଶାସନ। ଗୋଟିଏପଟେ ମୂଲ୍ୟବାନ ଗଛ ମରିଯାଉଥିବା ବେଳେ ଟଳି ପଡ଼ିଥିବା ଷ୍ଟାଚ୍ୟୁ ବଦଳରେ ନୂଆ ଷ୍ଟାଚ୍ୟୁ ଲାଗିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଶାସନ ଭୁଲିଯାଇଛି। ସହର ଅନ୍ତର୍ଗତ ପାନପୋଷ ଗାନ୍ଧୀଛକରୁ ଉଦିତନଗର ଆମ୍ବେଦକର ଛକ, ବାସନ୍ତୀକଲୋନି ମାଲଗୋଦାମ ଛକରୁ ଟିମ୍ବରକଲୋନି, ଛେଣ୍ଡ ରିଂ’ରୋଡ ଛକରୁ କଳିଙ୍ଗବିହାର, ହକି ଛକରୁ ହନୁମାନବାଟିକା ଛକ ଓ ଆର୍‌ଏମ୍‌ସି ଛକରୁ ବିର୍ସାମୁଣ୍ଡା ଛକ ପର୍ଯ୍ୟନ୍ତ ମୂଲ୍ୟବାନ ପାମ୍‌ ଟ୍ରି’ଲାଗିଥିଲା। ଗୋଟିଏ ଗଛକୁ ପାଖାପାଖି ୮୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏମିତି ଭାବେ ଅନ୍ୟାନ୍ୟ ମୂଲ୍ୟବାନ ଚାରା ଓ ପାମ୍‌ ଟ୍ରି ବାବଦରେ ପ୍ରାୟ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର, ମାଲଗୋଦାମଛକରୁ ଟିମ୍ବରକଲୋନି ପର୍ଯ୍ୟନ୍ତ ଆଉ ଗୋଟିଏ ବି ଗଛ ଦେଖାଯାଉନି। କେବଳ କିଛି ଲୁହାଜାଲି ଦୃଶ୍ୟମାନ ହେଉଛି। ଛେଣ୍ଡକଲୋନି ମୁଖ୍ୟମାର୍ଗରେ ଯେତିକି ପାମ୍‌ ଗଛ ଲାଗିଥିଲା, ତା’ର ୭୦% ମରିଗଲାଣି। ଅବଶିଷ୍ଟ ୩୦% ଗଛ ଅଧମରା ଅବସ୍ଥାରେ ଛିଡ଼ା ହୋଇଛି। ଅଳ୍ପ କିଛିଦିନରେ ଏସବୁ ପାମ୍‌ ଗଛକୁ ଆଉ ଦେଖିବାକୁ ମିଳିବନି ବୋଲି ସହରବାସୀ କହିଛନ୍ତି। କେବଳ ଏତିକି ନୁହେଁ, ମୁଖ୍ୟମାର୍ଗରେ ଲାଗିଥିବା ଅନ୍ୟାନ୍ୟ ମୂଲ୍ୟବାନ ଗଛଗୁଡ଼ିକ ମଧ୍ୟ ମରିବାକୁ ଯାଉଥିବା ଦେଖିବାକୁ ମିଳିଛି।

ସେହିପରି, ବିର୍ସା ମୁଣ୍ଡା ଷ୍ଟାଡିୟମ ଗେଟ୍‌ ନମ୍ବର-୨କୁ ଯିବା ରାସ୍ତାରେ ସ୍କ୍ରାପ୍‌ଲୁହାରେ ନିର୍ମିତ ବିଶାଳ ଷ୍ଟାଚ୍ୟୁ ଲଗ ଯାଇଥିଲା। ଜଣେ ବ୍ୟକ୍ତି ଷ୍ଟିକ୍‌ ଧରି ଖେଳୁଥିବାର ଏ ମୂର୍ତ୍ତି ମହାନ୍‌ ହକି ଖେଳାଳି ଧ୍ୟାନଚାନ୍ଦଙ୍କର ବୋଲି କୁହାଯାଇଥିଲା, ଯଦିଓ ତାହା ଧ୍ୟାନଚାନ୍ଦଙ୍କ ଚେହେରା ସହିତ ମିଶୁନଥିଲା। ମାତ୍ର, ନିର୍ମାଣକୁ ୬ ମାସ ନପୂରୁଣୁ ଷ୍ଟାଚ୍ୟୁଟି ସାମାନ୍ୟ ପବନରେ ମୁହଁମାଡ଼ି ଟଳିପଡ଼ିଥିଲା। ପରେ ଷ୍ଟାଚ୍ୟୁକୁ ଖଣ୍ଡଖଣ୍ଡ କରି କାଟି ସ୍କ୍ରାପ୍‌ କରି ଦିଆଗଲା। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଏକ ନୂଆ ଷ୍ଟାଚ୍ୟୁ ଲାଗିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଗଲା। ଆଜି ପର୍ଯ୍ୟନ୍ତ ତାହା ଲାଗି ପାରିଲା ନାହିଁ। ଆଗାମୀଦିନରେ ଲାଗିବ କି ନାହିଁ, କାହାରି ପାଖରେ ଉତ୍ତର ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଷ୍ଟାଚ୍ୟୁର ଉଚ୍ଚତା ୪୦ ଫୁଟ ଥିବାବେଳେ ଏଥିପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା। ଏହା ଚାରିପାଖରେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରି’ ଏହି ମୂର୍ତ୍ତି ନିର୍ମାଣ କରିଥିଲା। ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା ଓ ୩ ମାସ ଭିତରେ ଷ୍ଟାଚ୍ୟୁର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଜାନୁଆରି ୭ ତାରିଖରେ ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଚ୍ୟୁକୁ ଅନାବରଣ କରିଥିଲେ। ସେବେଠାରୁ ଉକ୍ତ ଷ୍ଟାଚ୍ୟୁଟି ସହରର ଅନ୍ୟତମ ପ୍ରସିଦ୍ଧ ସେଲ୍‌ଫି ପଏଣ୍ଟ୍‌ ପାଲଟିଥିଲା। ଆଶ୍ଚର୍ଯ୍ୟ କଥା ମୂର୍ତ୍ତି ଭାଙ୍ଗି ଯାଇଥିଲେ ବି ସମ୍ପୃକ୍ତ ଠିକାସଂସ୍ଥା ବି‌ରୋଧରେ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ହେଲାନି। କେବଳ ଏତିକି ନୁହେଁ, ରାସ୍ତାକଡ଼ କାନ୍ଥ, ପାଚେରି ଓ ପୋଲରେ ଅଙ୍କାଯାଇଥିବା ଚିତ୍ରରୁ ଦିନ କେଇଟା ଭିତରେ ରଙ୍ଗ ଛାଡ଼ିଗଲାଣି, କିନ୍ତୁ ସେଥିପ୍ରତି ବି କାହାରି ନଜର ନାହିଁ। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ସହର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ସହରବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର