ବିଦେଶାଗତ ପକ୍ଷୀଙ୍କ ପାଇଁ କୀଟପତଙ୍ଗ ବଂଶବୃଦ୍ଧି ଜରୁରି

ଭୁବନେଶ୍ବର: ବିଦେଶାଗତ ପକ୍ଷୀ ଗୋଟିଏ ଅଞ୍ଚଳକୁ ଆସିଲେ ସେହି ଜାଗାର ଗୁରୁତ୍ବ ବିଶ୍ବସ୍ତରରେ ବୃଦ୍ଧିପାଏ। ଉଭୟ ପରିବେଶ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ଗୁରୁତ୍ବପୂର୍ଣ୍ଣ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ସହ ଖାଦ୍ୟର ଉପଲବ୍ଧତା ଅଧିକ ରହିଲେ ହିଁ ଆଗମନ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ମେ’ ୧୧ ତାରିଖରେ ପାଳନ କରାଯାଉଛି ‘ବିଶ୍ବ ବିଦେଶାଗତ ପକ୍ଷୀ ଦିବସ’। ଏଥର ଏହାର ଥିମ୍‌ ରହିଛି ‘କୀଟପତଙ୍ଗଙ୍କ ନିରାପତ୍ତା- ବିଦେଶାଗତ ପକ୍ଷୀଙ୍କ ନିରାପତ୍ତା’। ଅର୍ଥାତ ବିଦେଶାଗତ ପକ୍ଷୀଙ୍କ ଖାଦ୍ୟ ପାଇଁ କୀଟପତଙ୍ଗଙ୍କ ବଂଶ ବୃଦ୍ଧିର ଆବଶ୍ୟକତା ରହିଛି। ଯେହେତୁ ଓଡ଼ିଶାକୁ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୁଏ, ତେଣୁ ଏଠାରେ କିପରି ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାଇ ହେବ ସେ ଦିଗରେ ମାନସ ମନ୍ଥନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।

ଓଡ଼ିଶାରେ ଚିଲିକାକୁ ସର୍ବାଧିକ ବିଦେଶୀ ପକ୍ଷୀ ଆସିଥା’ନ୍ତି। ଚିଲିକାରେ ଚଳିତ ବର୍ଷ ହୋଇଥିବା ପକ୍ଷୀ ଗଣନା ଅନୁଯାୟୀ ଏଠାକୁ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଆସିଥିଲେ। ମୋଟ୍ ୧୮୭ପ୍ରଜାତିର ପକ୍ଷୀଙ୍କୁ ଚିଲିକାରେ ଠାବ କରାଯାଇଛି। ୨୦୨୩ ମସିହାରେ ୧୮୪ଟି ପ୍ରଜାତିର ମୋଟ୍ ୧୧ଲକ୍ଷ ୩୧ହଜାର ୯୨୯ଟି ପକ୍ଷୀ ଆସିଥିଲେ। ତେଣୁ ଗତ ବର୍ଷ ଠାରୁ ଚଳିତ ବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ୫ହଜାର ୮୩୦ ବଢ଼ିଛି। ଏହା ବାଦ୍ ଭିତରକନିକାକୁ ମଧ୍ୟ ଶୀତଦିନରେ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟେ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ ୧୨୧ ପ୍ରଜାତିର ୧,୫୧,୪୨୧ ବିଦେଶୀ ପକ୍ଷୀ ଆସିଥିଲେ, ଯାହା କି ଗତ ବର୍ଷ ଠାରୁ ୧୩ ହଜାର ଅଧିକ। ଓଡ଼ିଶାର ହୀରାକୁଦ, ସାତକୋଶିଆ, ଗୋବିନ୍ଦପୁର, ପାଲହଡ଼ାର ଚଷା ଗୁରୁଜାଙ୍ଗ, ଖୋର୍ଦ୍ଧାର ଭୁଷଣ୍ଡପୁର, ଭାଲେରୀ, ଓଡ଼ିଶା ଓ ଆନ୍ଧ୍ରର ସୀମାବର୍ତ୍ତୀ ଅଞ୍ଚଳ ନଉପଡ଼ା, ଭାଲେରୀ, ଶିମିଳିପାଳ ଆଦି ସ୍ଥାନକୁ ମଧ୍ୟ ବିଦେଶରୁ ପକ୍ଷୀ ଆସିଥା’ନ୍ତି। ଏଠାରେ ଥିବା ସନ୍ତସନ୍ତିଆ ଆର୍ଦ୍ରଭୂମିରେ କୀଟପତଙ୍ଗ ଅଧିକ ପରିମାଣରେ ରୁହନ୍ତି। ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ବିଦେଶୀ ପକ୍ଷୀ ଏହି ସ୍ଥାନକୁ ଚାଲି ଆସିଥା’ନ୍ତି। ପକ୍ଷୀଙ୍କ ଆଗମନ ହେଲେ ଚିଲିକା ସମେତ ଅନ୍ୟ ସ୍ଥାନଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଏ। ବିଶେଷ କରି ଚିଲିକାକୁ ପକ୍ଷୀଙ୍କୁ ଦେଖିବା ପାଇଁ କେବଳ ପର୍ଯ୍ୟଟକ ନୁହନ୍ତି, ଗବେଷକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ପରିମାଣରେ ଆସନ୍ତି। ଯାହାକୁ ଦୃଷ୍ଟିରେ ରଖି ଚିଲିକାର ନଳବଣକୁ ପକ୍ଷୀ ଅଭୟାରଣ୍ୟର ମାନ୍ୟତା ଦିଆଯାଇଛି। ସବୁ ଦୃଷ୍ଟିକୋଣରୁ ଦେଖିଲେ ବିଦେଶାଗତ ପକ୍ଷୀଙ୍କ ଆଗମନ ଓଡ଼ିଶା ପାଇଁ ‌ବେଶ୍‌ ଗୁରୁତ୍ବପୂର୍ଣ୍ଣ ଅଟେ।

ଯଦିଓ ଚିଲିକାକୁ ଏଥର ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ହୋଇଛି ବୋଲି ସରକାରୀ ରେକର୍ଡରେ କୁହାଯାଉଛି, ତଥାପି ଗତ ଶୀତଋତୁରେ ଚିଲିକାର ଜଳାଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିଲା। ଗଲା ମୌସୁମୀରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚିଲିକାର ଜଳରାଶି ଖରା ପୂର୍ବରୁ ଶୁଖିଯାଇଥିଲା। ଏମିତିକି ମଙ୍ଗଳାଯୋଡ଼ି ପକ୍ଷୀ ବିହାରରେ ଜଳାଭାବରୁ ଡଙ୍ଗା ବୁଲାଇବା ବି ମୁସ୍କିଲ୍ ହୋଇଯାଇଥିଲା। ସାଧାରଣତଃ ମଙ୍ଗଳାଯୋଡ଼ିକୁ ପକ୍ଷୀ ଆସିବାର କାରଣ ହେଉଛି ଏହାର ସନ୍ତସନ୍ତିଆ ଭୂମି, ଯେଉଁଠି କୀଟପତଙ୍ଗଙ୍କ ଉପସ୍ଥିତି ବିଦେଶାଗତ ପକ୍ଷୀଙ୍କୁ ପ୍ରଚୁର ଖାଦ୍ୟ ଯୋଗାଉଥିଲା। ଏଥର କିନ୍ତୁ ଜଳାଭାବ ଯୋଗୁ ଚିଲିକାର ହେକ୍ଟର ହେକ୍ଟର ସନ୍ତସନ୍ତିଆ ଜମି ଶୁଖିଲା ପଡ଼ିଆ ଭଳି ହୋଇଥିଲା, ଯାହାକି ପକ୍ଷୀଙ୍କ ପାଇଁ ଖାଦ୍ୟ ସଙ୍କଟ କରିଥିଲା। ଏହାକୁ ଗୁରୁତର ‌ସହ ନେବା ଆବଶ୍ୟକ ବୋଲି ଗବେଷକ ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଦେଶରୁ ପକ୍ଷୀଙ୍କ ଆଗମନ ବଢ଼ାଇବାକୁ ହେଲେ କୀଟପତଙ୍ଗ ବଂଶ ଯେପରି ବୃଦ୍ଧି ହେବ, ସେ ଦିଗରେ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ। ଆଗାମୀ କିଛି ବର୍ଷକୁ ଆଖି ଆଗରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିବାକୁ ସରକାର ପଦକ୍ଷେପ ନେବା ଉଚିତ ବୋଲି ମତପ୍ରକାଶ ପାଉଛି।

ଶୀତଦିନ ହେଲେ ସାଇବେରିଆ, ଇରାକ ବିଭିନ୍ନ ସ୍ଥାନରୁ ଚିଲିକା ହ୍ରଦକୁ ପକ୍ଷୀମାନେ ଆସିଥା’ନ୍ତି। ଏହି ପରିବ୍ରାଜକ ପକ୍ଷୀମାନଙ୍କ ଜୀବନଶୈଳୀ ସ୍ଥାନାନ୍ତରିତ ପ୍ରକିୟାରେ ଚାଲିଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ବିଭିନ୍ନ କାରଣରୁ ପକ୍ଷୀମାନଙ୍କୁ ଖାଦ୍ୟ ଅନ୍ୱଷେଣ କରିବାରେ କଷ୍ଟ ହେଉଛି। ଚଳିତ ବର୍ଷ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଯେଉଁ ଚିନ୍ତନ ପ୍ରସଙ୍ଗ ହୋଇଛି, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯଦି ଠିକ୍‌ ପରିମାଣର କୀଟପତଙ୍ଗ ଗଛଲତାରେ ରହିବେ, ତେବେ ଖାଦ୍ୟ ଖୋଜିବାରେ କଷ୍ଟ ହେବ ନାହଁ। ସେଥିପାଇଁ ଲୋକେ ସଚେତନ ହେବା ଆବଶ୍ୟକ। ଖାଦ୍ୟ ଶୃଙ୍ଖଳା ଠିକ୍‌ ଭାବରେ କାମ କରୁଥିଲେ ଏହି ପକ୍ଷୀମାନେ ସୁରୁଖୁରୁରେ ଜୀବନଯାପନ କରିବେ।
ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌
ଆମେ ଦେଖୁଛୁ ଯେ ଚିଲିକାରେ ପ୍ରଦୂଷଣ ବଢ଼ିବାରେ ଲାଗିଛି ଏବଂ କିଛି ଜାଗାରେ ଜଳସ୍ତର କମିଯାଇଛି। ପକ୍ଷୀଙ୍କ ରହଣି ସ୍ଥାନରେ ପ୍ଲାଷ୍ଟିକ ଦ୍ରବ୍ୟ ମଧ୍ୟ ଜମୁଛି, ଯାହା ପକ୍ଷୀଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ। ତାଛଡା କ୍ଷେତରେ ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ଖତ ବ୍ୟବହାର କରାଗଲେ, ମାଟିର ଉର୍ବରତା ବଢିବ। ଏହା ଦ୍ବାରା କୀଟପତଙ୍ଗକୁ ପକ୍ଷୀମାନେ ଖାଦ୍ୟ ଭାବେ ଗ୍ରହଣ କରିବେ। ତେଣୁ ଏ ଦିଗରେ ବ୍ୟାପକ ସଚେତନତା ଆବଶ୍ୟକ।
ସାଗର ପାତ୍ର, ପକ୍ଷୀପ୍ରେମୀ
ବିଦେଶାଗତ ପକ୍ଷୀମାନେ ସାଧାରଣତଃ କୀଟପତଙ୍ଗ ଖାଇଥା’ନ୍ତି। କିନ୍ତୁ ଅତ୍ୟଧିକ କୀଟନାଶକ ସିଞ୍ଚନ ହେବା ଦ୍ୱାରା କୀଟପତଙ୍ଗର ବିନାଶ ହେବା ସହ ବହିରାଗତ ପକ୍ଷୀଙ୍କ ଖାଦ୍ୟ ବି କମିଯାଏ। କୀଟନାଶକ ସଂସ୍ପର୍ଶରେ ଆସି ସେମାନେ ମୃତ୍ୟୁବରଣ କରନ୍ତି। ତେଣୁ କୃଷି କ୍ଷେତ୍ରରେ ଜୈବିକ ସାରର ପ୍ରୟୋଗ ହେବା ଦରକାର।
ଡ. ବଳରାମ ସାହୁ, ପ୍ରାଣୀଚିକିତ୍ସାବିଜ୍ଞାନୀ, ସୋଆ ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର