ପୁଣି ଅଡ଼ୁଆରେ କଂଗ୍ରେସ: ପିତ୍ରୋଡ଼ାଙ୍କ ପରେ ମଣିଶଙ୍କରଙ୍କ ବୟାନକୁ ନେଇ ଝଡ଼

ପିଓକେ ଭାରତର, ଆମେ ବୋମାକୁ ଡରୁନୁ: ଶାହ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ଆଜି ପୁଣି ବିବାଦୀୟ ବୟାନ ଦେଇଛନ୍ତି। ପାକିସ୍ତାନ ଏକ ସମ୍ମାନଜନକ ରାଷ୍ଟ୍ର ଏବଂ ଭାରତ ପାକିସ୍ତାନକୁ ସମ୍ମାନ ନଦେଲେ ଏହା ପରମାଣୁ ବୋମା ପକାଇଦେବ ବୋଲି ଆୟରଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ନେତା ସାମ୍‌ ପିତ୍ରୋଡ଼ାଙ୍କ ବର୍ଣ୍ଣଭେଦ ବୟାନ ପରେ ମଣିଶଙ୍କରଙ୍କ ପରମାଣୁ ବୋମା ବୟାନ କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଦେଇଛି। ମଣିଶଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ସାମରିକ ବଳ ନଦେଖାଇ ପାକିସ୍ତାନ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ହେବ, ଅନ୍ୟଥା ଭାରତର ବହୁତ ବଡ଼ କ୍ଷତି ହେବ। ଯଦି ପାକିସ୍ତାନକୁ ସମ୍ମାନ ଦିଆ ନଯାଏ ତେବେ ଏହା ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରିବାକୁ ପଛାଇବ ନାହିଁ। ଆୟର କହିଛନ୍ତି, ‘ପାକିସ୍ତାନ ମଧ୍ୟ ଏକ ସାର୍ବ‌ଭୌମ ରାଷ୍ଟ୍ର। ଏହାର ସମ୍ମାନ ଅଛି। ତୁମେ ସେମାନଙ୍କ ସହ କଡ଼ା କଥା ହୋଇପାର। କିନ୍ତୁ ସେମାନଙ୍କ ସହ କଥାବାର୍ତ୍ତା‌ ଆରମ୍ଭ କରିବାକୁ ହେବ। ତୁମେ (ଭାରତ) ବନ୍ଧୁକ ଧରି ବୁଲୁଛ କିନ୍ତୁ ଏହାଦ୍ବାରା ତୁମକୁ କିଛି ଲାଭ ମିଳିନାହିଁ।

ପିତ୍ରୋଡ଼ାଙ୍କ ପରେ ମଣିଶଙ୍କରଙ୍କ ବୟାନକୁ ନେଇ ଝଡ଼
ପାକିସ୍ତାନକୁ ସମ୍ମାନ ଦିଅ, ନହେଲେ ପରମାଣୁ ବୋମା ପକାଇଦେବ
ପିଓକେ ଭାରତର, ଆମେ ବୋମାକୁ ଡରୁନୁ: ଶାହ

ସେମାନଙ୍କ ନିକଟରେ ପରମାଣୁ ବୋମା ଅଛି ଏବଂ ଆମ ନିକଟରେ ବି ପରମାଣୁ ବୋମା ଅଛି। ଯଦି ଜଣେ ପାଗଳ ବ୍ୟକ୍ତି ଆମ ବୋମାକୁ ଲାହୋ‌ର ଷ୍ଟେସନରେ ପକାଇ ଦିଅନ୍ତି ତେବେ ଏହାର ପ୍ରଭାବ ମାତ୍ର ୮ ସେକେଣ୍ଡରେ ଅମୃତସରରେ ଆସି ପହଞ୍ଚିଯିବ। ଭାରତର କଠୋର ଆଭିମୁଖ୍ୟ ଜାରି ରହିଲେ ପାକିସ୍ତାନ ପରମାଣୁ ବୋମା ପକାଇବାକୁ ପଛଘୁଞ୍ଚା ଦେବନାହିଁ। ଭାରତ ଯଦି ପାକିସ୍ତାନ ସହ କଥାବାର୍ତ୍ତା ଆରମ୍ଭ କରିବ ତା’ହେଲେ ହିଁ ସେମାନେ ପରମାଣୁ ଅସ୍ତ୍ର ପ୍ରୟୋଗ କଥା ଚିନ୍ତା କରିବେ ନାହିଁ ବୋଲି ଆୟର କହିଛନ୍ତି। ପାକିସ୍ତାନ ଯଦି ବୋମା ପକାଇବ ତା’ହେଲେ ଏହାପରେ କ’ଣ ହେବ ବୋଲି ଆୟର ପ୍ରଶ୍ନ କରିଛନ୍ତି। ଆୟର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ଦାବି କରିଛନ୍ତି ଯେ ଗତ ଦଶନ୍ଧି ମଧ୍ୟ‌ରେ ପାକିସ୍ତାନ ସହ କଥାବାର୍ତ୍ତା ପାଇଁ କୌଣସି ଉଦ୍ୟମ ହୋଇନାହିଁ। ଭାରତ ବିଶ୍ବସ୍ତରୀୟ ନେତା ହେବାକୁ ହେଲେ ପାକିସ୍ତାନ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ଦ୍ବାରା ବିବାଦର ସମାଧାନ ଉପରେ ଗୁରୁତ୍ବାରୋପ କରୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମଣିଶଙ୍କର ଆୟରଙ୍କ ଟିପ୍ପଣୀକୁ ବିଜେପି କଡ଼ା ବିରୋଧ କରି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତ କେତେ ସୁରକ୍ଷିତ ତାହା କଂଗ୍ରେସ ନେତା ଜାଣି ରଖିବା ଆବଶ୍ୟକ। ଭାରତୀୟ ଅଂଚଳରୁ କେହି କାଣିଚାଏ ନେଇପାରିବେ ନାହିଁ କି ଭାରତକୁ କେହି ପରମାଣୁ ବୋମା ଭୟ ଦେଖାଇପାରିବେ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ରାଲିରେ କହିଛନ୍ତି, ଇଣ୍ଡି ମେଣ୍ଟ ନେତାମାନେ ଏବେ ପାକିସ୍ତାନ ସମ୍ମାନରେ ଗୁଣଗାନ କରିବା ସହ ଭାରତକୁ ଦୁର୍ବଳ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନ ଅଧୀକୃତ କାଶ୍ମୀର (ପିଓକେ) ଭାରତର ଏବଂ ଆମେ କୌଣସି ବୋମାକୁ ଡରୁନାହୁଁ ବୋଲି ଶାହ କହିଛନ୍ତି। ବିଜେପି ସାଂସଦ ତଥା ଦଳର ଗୋରଖପୁର ଲୋକସଭା ପ୍ରାର୍ଥୀ ରବି କିଷନ କହିଛନ୍ତି, ମଣିଶଙ୍କର ଆୟର ପ୍ରଥମେ ନିଜକୁ କୌଣସି ସ୍ଥାନରେ ଚିକିତ୍ସା କରାଇନେବା‌ ଉଚିତ। ପାକିସ୍ତାନ ଏବେ ନିଜ ପାଇଁ ଖାଦ୍ୟଶସ୍ୟ ସଂଗ୍ରହ କରୁଛି। ସେମାନେ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ‌ହେଉଛନ୍ତି। ଏବେ ଏହା କଂଗ୍ରେସର ଭାରତ ନୁହେଁ, ଏହା ଏକ ନୂଆ ଓ ଶକ୍ତିଶାଳୀ ଭାରତ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଭାରତ ଉପରେ ପାକିସ୍ତାନ ପରମାଣୁ ଆକ୍ରମଣ କଲେ ବିଶ୍ବ ମାନଚିତ୍ରରୁ ଏହାର ଚିହ୍ନବର୍ଣ୍ଣ ହଜିଯିବ। ଅନ୍ୟପକ୍ଷେ କଂଗ୍ରେସ ମଣିଶଙ୍କର ଆୟରଙ୍କ ବିବାଦୀୟ ଟିପ୍ପଣୀଠାରୁ ଦୂରେଇ ରହିଛି। ଦଳ ତାଙ୍କ ବୟାନକୁ ସମର୍ଥନ କରୁନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର