ବୋର୍ଡର ଓଡ଼ିଆ ଭାଷା ପରୀକ୍ଷା ପାଇଁ ଆବେଦନ ଆଜିଠାରୁ, ମାର୍ଚ ୭ରେ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ଦଶମ ଷ୍ଟାଣ୍ଡାର୍ଡ ଏକକ ଭାଷା(ଓଡ଼ିଆ) ପରୀକ୍ଷା ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ପ୍ରଥମ ଅର୍ଦ୍ଧବାର୍ଷିକ(ଓଡ଼ିଆ) ଭାଷା ପରୀକ୍ଷା ପାଇଁ ଆବେଦନ ଫେବ୍ରୁଆରି ୧ତାରିଖରୁ ଆରମ୍ଭ ହେଉଛି। ଆବେଦନ ଫର୍ମ ସମେତ ଆବେଦନ ସଂକ୍ରାନ୍ତୀୟ ସମସ୍ତ ସୂଚନା ଫେବ୍ରୁଆରି ୧ତାରିଖରୁ ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in/ www.bseodisha.nic.in ରେ ଉପଲବ୍‌ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ ଫର୍ମ ଡାଉନ୍‌ଲୋଡ କରିବା ସହିତ ପ୍ରଦତ୍ତ ସୂଚନା ଅନୁସାରେ ଆବେଦନ କରିପାରିବ‌େ। ପ୍ରାର୍ଥୀମାନେ ବିନା ଜରିମାନାରେ ଫେବ୍ରୁଆରି ୧୧ ତାରିଖ ମଧ୍ୟରେ ଓ ଜରିମାନା ସହ ଫେବ୍ରୁଆରି ୧୬ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଆବେଦନ ଦେୟ ବିନା ଜରିମାନାରେ ଦଶମ ଷ୍ଟାଣ୍ଡାର୍ଡ ପାଇଁ ୧୨ଶହ ଟଙ୍କା ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ପାଇଁ ୭ଶହ ଟଙ୍କା ରହିଥିବା ବେଳେ ଜରିମାନା ସହ ଏହି ଦେୟ ଦଶମ ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ପାଇଁ ଯଥାକ୍ରମେ ୧୪ଶହ ଟଙ୍କା ଓ ୮ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ମାର୍ଚ ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦଶମ ଷ୍ଟାଣ୍ଡାର୍ଡ ଲିଖିତ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ମିନିଟ୍‌ ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ଲିଖିତ ପରୀକ୍ଷା ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ। କିନ୍ତୁ ସେହିଦିନ ଅଷ୍ଟମ ଷ୍ଟାଣ୍ଡାର୍ଡ ମୌଖିକ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହେବ ବୋଲି ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା‌ ଦେଇଛନ୍ତି।

ସମ୍ବନ୍ଧିତ ଖବର