ବଦଳିନି ବଣ୍ଡାଙ୍କ ମାନସିକତା: ଭୋଟ କାହାକୁ ଦେବେ ଜାଣନ୍ତିନି

ବିଧାୟକ, ସାଂସଦ କ’ଣ ବୁଝନ୍ତି ନାହିଁ, ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି

ବଣ୍ଡାଘାଟିରୁ କେଶବ ପାଣିଙ୍କ ରିପୋର୍ଟ
ବଣ ପାହାଡ଼ ଘେରା ଅଞ୍ଚଳରେ ବାସ କରନ୍ତି। ଦୁନିଆ କ’ଣ ଜାଣନ୍ତି ନାହିଁ। ପରିବାର, ସମ୍ପ୍ରଦାୟ ହିଁ ସେମାନଙ୍କ ପାଇଁ ସବୁ କିଛି। ସଂସ୍କୃତିକୁ ଏମିତି ଜାବୁଡ଼ି ଧରିଛନ୍ତି ଯେ ଆଧୁନିକ ସଭ୍ୟତା ସେମାନଙ୍କ ପାଖ ମାଡ଼ିପାରି ନାହିଁ। ଆଜି ବି ବେକରେ ଝୁଲୁଛି ମାଳି ଓ ଲୁହାର ବଳା। ନାକରେ ଦଣ୍ଡି। କାନରେ ବଡ଼ ରିଙ୍ଗ୍‌। ଏମିତି ପାରମ୍ପରିକ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ଘରର ମହିଳା। ପୁରୁଷଙ୍କ କଥା ନ କହିବା ଭଲ। ସମ୍ପ୍ରଦାୟ ଯାହା ନିଷ୍ପତ୍ତି ନେବ ତାହାକୁ ମୁଣ୍ଡ ପାତି ମାନିନେବେ। ପ୍ରତିବାଦ କରିବେନି। ଯେଉଁଥିପାଇଁ ସେମାନେ ହେଉଛନ୍ତି ନିଆରା ଓ ସ୍ୱତନ୍ତ୍ର।

ଏହା ହେଉଛି ମାଲକାନଗିରି ବଣ୍ଡାଘାଟିରେ ବସବାସ କରୁଥିବା ବଣ୍ଡା ସମ୍ପ୍ରଦାୟଙ୍କ କଥା। ଯେଉଁଠାର ଲୋକେ ଆଜି ମଧ୍ୟ ସହଜରେ କାହାକୁ ବିଶ୍ୱାସକୁ ନିଅନ୍ତି ନାହିଁ। ତାଙ୍କ ସହ ଫଟୋ ଉଠାଇବା ଦୂରର କଥା, ସେମାନଙ୍କ ପାଟିରୁ କଥା ପଦେ ବାହାରିବା କଷ୍ଟ। ସାରା ଦେଶରେ ନିର୍ବାଚନ ଚାଲିଥିଲେ ମଧ୍ୟ ଏଠାରେ ସେଭଳି କୌଣସି ଉତ୍ସାହ ଦେଖିବାକୁ ମିଳୁନି। ବ୍ୟାନର, ପୋଷ୍ଟର ଲାଗିଛି ସତ। ହେଲେ ସେମାନେ ଏଥିରେ ଧାର ଧରନ୍ତି ନାହିଁ। କିଏ ଜିତିଲା, କିଏ ହାରିଲା ତାଙ୍କର କିଛି ଯା ଆସ ନାହିଁ। ତେବେ ଭୋଟ ଦେବାକୁ ଯାଆନ୍ତି। କେଉଁ ଚିହ୍ନରେ କାହାକୁ ଭୋଟ ଦେଲେ ଜାଣିପାରନ୍ତି ନାହିଁ। ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀଙ୍କ ନାମ ଏମାନେ ଭଲ ଭାବେ ମନେ ରଖିଛନ୍ତି। ମୁହଁରୁ ପ୍ରଶ୍ନ ବାହାରୁ ବାହାରୁ ଉତ୍ତର ଆସିଗଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଯେଉଁମାନଙ୍କୁ ଭୋଟ ଦେଇ ସଂସଦ ଓ ବିଧାନସଭାକୁ ପଠାଉଛନ୍ତି ସେମାନଙ୍କ ନାଁ ମନେ ନାହିଁ। ବିଧାୟକ, ସାଂସଦ କ’ଣ ଏମାନେ ଜାଣନ୍ତି ନାହିଁ। କାଁ ଭାଁ ଲୋକ ସରପଞ୍ଚଙ୍କ ନାଁ ଜାଣିଛନ୍ତି। ଗଣତନ୍ତ୍ରର ଏତେ ବଡ଼ ପର୍ବ ଚାଲିଥିବା ବେଳେ ଏମାନଙ୍କ ପାଇଁ ତାହାର ମୂଲ୍ୟ କ’ଣ ତାହାକୁ ନେଇ ପ୍ରଶ୍ନ ଉଠିଛି।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ଅନ୍ତର୍ଗତ ମୁଦୁଲିପୁଡ଼ା ଓ ଅଣ୍ଡରାହାଲ ପଞ୍ଚାୟତର ୩୨ଟି ଗାଁରେ ଏବେ ପ୍ରାୟ ୮ ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି, ଯେଉଁମାନେ ବିଶ୍ବର ଆଦିମ ଅଧିବାସୀଙ୍କ ମଧ୍ୟରୁ ଅନ୍ୟତମ। ବିକାଶଠାରୁ ବହୁ ଦୂରରେ ଥିବା ଏହି ଜନଜାତିର ଲୋକେ ଏବେ ବିକାଶ ଦେଖୁଛନ୍ତି। ରାସ୍ତାଘାଟର ଉନ୍ନତି ସହ ସ୍ବାସ୍ଥ୍ୟ ସେବା ହାତ ପାହାନ୍ତାରେ ପହଞ୍ଚିଛି। ତା’ସତ୍ତ୍ବେ ପାନୀୟ ଜଳ ପରି ମୌଳିକ ସମସ୍ୟା ଏମାନଙ୍କ ପାଇଁ ସାତସପନ ପାଲଟିଛି। ଓଡ଼ିଶା ସରକାରଙ୍କ ପ୍ରତି ଘରକୁ ଟ୍ୟାପ୍ ପାଣିର ସ୍ଲୋଗାନ ବଣ୍ଡାଘାଟିରେ ପହଞ୍ଚିପାରି ନାହିଁ। ଏବେ ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତର ପଢ଼େଇଗୁଡ଼ା ଗାଁ ଲୋକେ ପାଣି ପାଇଁ ଉପର ତଳ ହେଉଛନ୍ତି। ଛୁଆଙ୍କଠାରୁ ବୟସ୍କଙ୍କ ଯାଏ ଗରା, ହାଣ୍ଡି ଧରି ଗୋଟିଏ ନଳକୂପ ପାଖରେ ଛିଡ଼ା ହେବାର ଦୃଶ୍ୟ ଆହୁରି ଯନ୍ତ୍ରଣାଦାୟକ। ପଡ଼େଇଗୁଡ଼ା ଗାଁ ମଣ୍ଡପରେ ଏକାଠି ହୋଇଥିବା ପୁରୁଷମାନେ ସେମାନଙ୍କ ଦୁଃଖ ଯନ୍ତ୍ରଣାର କାହାଣୀ କହିବା ବେଳେ ଆଖି ଛଳଛଳ ହୋଇଯାଇଥିଲା। ୨୦ ବର୍ଷ ତଳେ ଗାଁକୁ ରାସ୍ତା ନ ଥିଲା। ସରକାରୀ ଚାଉଳ ଆଣିବାକୁ ପାହାଡ଼ ତଳକୁ ଯିବାକୁ ହେଉଥିଲା। ବେଳେ ବେଳେ ଫେରିବାକୁ ଗୋଟିଏ ଦିନ ବିତି ଯାଉଥିଲା। ରାତି ଅଧିକ ହେବାରୁ ଅଧା ବାଟରେ ଜଙ୍ଗଲରେ ରହିବାକୁ ପଡ଼ୁଥିଲା। ପକ୍କା ଘର କ’ଣ ଜାଣି ନ ଥିଲେ। ବିଜୁଳି ଦେଖିବେ ବୋଲି କେବେ ବିଶ୍ୱାସ ନ ଥିଲା। ରୋଜଗାର ବୋଲି ସେମାନଙ୍କର କିଛି ନ ଥିଲା କି ଏବେ ମଧ୍ୟ ନାହିଁ। ପାହାଡ଼ରେ ପୋଡ଼ୁ ଚାଷ ସହ ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଚାଷ କରି ଯାହା ରୋଜଗାର କରୁଛନ୍ତି ସେଥିରେ ହିଁ ବର୍ଷ ସାରା ଚଳୁଛନ୍ତି। ଟଙ୍କିକିଆ ଚାଉଳ ହେଉ ଅଥବା ବିଭିନ୍ନ ଆବାସ ଯୋଜନାରେ ପକ୍କା ଘର ସୁବିଧା ପାଇଛନ୍ତି। ନିର୍ବାଚନ ଥିବାରୁ ଏଥର ମଧ୍ୟ କିଛି ନେତା ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଯାଇଥିବା ଗାଁର ପୂଜାରି ସାମ ମୁଦଲ, ଲାଚିମ୍ ଧଙ୍ଗଡ଼ା ମାଝି କହିଛନ୍ତି।

ଦିନେ ବଣ୍ଡା ଜନଜାତିଙ୍କ ପାଇଁ ସାତସପନ ପାଲଟିଥିବା ପାଠପଢ଼ା ଏବେ ହାତ ପାହାନ୍ତାରେ। ଗାଁ ନିକଟରେ ସ୍କୁଲ ରହିଛି। ସ୍କୁଲରେ ପଢ଼ିସାରିବା ପରେ ପିଲାମାନେ ଭୁବନେଶ୍ବରର ଏକ ଆବାସିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଉଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଇଞ୍ଜିନିୟର ତ ଆଉ କିଏ ସରକାରୀ ଚାକିରି ପାଇଲେଣି। ବିକାଶ ହେବ ବୋଲି କେବେ ଭାବି ନ ଥିବା ବଣ୍ଡାଘାଟି ଲୋକଙ୍କ ପାଖରେ ଅଧିକାଂଶ ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ ସେମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସି ନାହିଁ। ଏବେ ବି ସେମାନେ ନିଜର ପରମ୍ପରା, ବେଶ, ପୋଷାକ, ପର୍ବ, ଚାଲିଚଳନକୁ ଜାବୁଡ଼ି ଧରିଛନ୍ତି। ବାହାରୁ ଆସୁଥିବା ଲୋକଙ୍କ ସହ ଏତେ ସହଜରେ ମିଶୁ ନ ଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ନିର୍ବାଚନ ଚଲିଥିବା ବେଳେ ତ ଆଉ ଗୋଟିଏ ପଟେ ବଣ୍ଡାଘାଟିର ଏଭଳି ଦୃଶ୍ୟ ଗଣତନ୍ତ୍ରର ଗାରିମା କିଭଳି ତାହାକୁ ବର୍ଣ୍ଣନା କରୁଛି।

ସମ୍ବନ୍ଧିତ ଖବର