ବିଭୁ ପ୍ରସାଦ ରାଉତରାୟ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ/ କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜୁଡିସିଆଲ ଅଫିସର ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ସୁପ୍ରିମକୋର୍ଟର କଲେଜିୟମ ପକ୍ଷରୁ ଗତ ମାସ ବିଭୁ ପ୍ରସାଦ ରାଉତରାୟ ଓ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତ କରିବା ପାଇଁ ସୁପାରିସ କରାଯାଇଥିଲା। କେନ୍ଦ୍ର ସରକାର ଆଜି ବିଭୁ ପ୍ରସାଦ ରାଉତରାୟଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନିଯୁକ୍ତି େନଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ଶୁକ୍ରବାର ଦିନ ୨ଟାରେ ହାଇକୋର୍ଟ ନ୍ୟୁ କନ‌ଫରେନ୍ସ ହଲରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ଶ୍ରୀ ରାଉତରାୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ରାଉତରାୟଙ୍କ ନାମ ବିଚାରପତି ପଦ ପାଇଁ ଅକ୍ଟୋବର ୩ରେ ସୁପାରିସ କରିଥିଲେ। ଏଥି ସହିତ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ନାମ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା। ଆଜି ଶ୍ରୀ ରାଉତରାୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଇନଜୀବୀ ଶ୍ରୀ ପାଣିଗ୍ରାହୀଙ୍କ ପ୍ରସଂଗରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

୨୦୧୯ ମେ’ ୭ରେ ହାଇକୋର୍ଟ ପକ୍ଷରୁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ସତ୍ୟନାରାୟଣ ମିଶ୍ର, ବିଭୁ ପ୍ରସାଦ ରାଉତରାୟ, ଗୌତମ ଶର୍ମା ଓ ବିରଞ୍ଚି ନାରାୟଣ ମହାନ୍ତିଙ୍କ ନାମ ବିଚାରପତି ପଦ ପାଇଁ ସୁପାରିସ କରାଯାଇଥିଲା। ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ରାଉତରାୟଙ୍କ ନାମ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିବା ବେଳେ ଅନ୍ୟ ତିନି ବିଚାରବିଭାଗୀୟ ଅଧିକାରୀଙ୍କ ନାମ ଓଡ଼ିଶା ହାଇକୋର୍ଟକୁ ଫେରାଇ ଦେଇଥିଲେ। ସେହିପରି ୨୦୧୯, ମେ’ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ଅକ୍ଟୋବର ୩ରେ ସୁପ୍ରିମକୋର୍ଟ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାମ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିଲା। ଆଇନଜୀବୀ ସାବିତ୍ରୀ ରଥଙ୍କ ସ˚ପର୍କିତ ପ୍ରସ୍ତାବ କଲେଜିୟମ ଆଉ କିଛି ଦିନ ପରେ ବିଚାରକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲା। ଏଥି ସହିତ ଅନ୍ୟ ୬ ଜଣ ଆଇନଜୀବୀଙ୍କ ନାମ ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ କଲେଜିୟମ ଫେରାଇ ଦେଇଥିଲେ।

ଶ୍ରୀ ରାଉତରାୟ ବର୍ତମାନ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି। ସେ ୧୯୭୦ ଫେବ୍ରୁଆରି ୧ରେ ଜନ୍ମ ଗ୍ରହଣ କରିଥିଲେ। ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ସିଧାସଳଖ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧିତ ଖବର