ଦାନ୍ତଘଷି ବିଶ୍ବ ରେକର୍ଡ; ଏକାବେଳେ ୨୬, ୩୮୨ଜଣ ଦାନ୍ତ ଘଷିଲେ

ଚନ୍ଦ୍ରଶେଖରପୁର: ଆଜି ଅନ୍ତର୍ଜାତୀୟ ଟୁଥବ୍ରସିଂ ଦିବସ ପାଳନ ଅବସରରେ କିସ୍’ର ଛାତ୍ରଛାତ୍ରୀମାନେ ଆଉ ଏକ ଗିନିଜ୍‌ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ଏହାକୁ ମିଶାଇ କିସ୍‌’ ୪ଥର ବିଶ୍ବ ରେକର୍ଡ ହାତେଇବାରେ ସଫଳ ହୋଇଛି। ଆଜି ଏକକାଳୀନ ଗୋଟିଏ ସ୍ଥାନରେ ୨୬,୩୮୨ଜଣ ପିଲା ଦାନ୍ତ ଘଷି ପୂର୍ବରୁ ଥିବା ଦିଲ୍ଲୀ ଡିପିଏସ୍‌ର ୧୬,୪୨୪ ରେକର୍ଡକୁ ଭାଙ୍ଗିଛନ୍ତି। ଏନେଇ ଗିନିଜ୍‌ ବିଶ୍ବ ରେକର୍ଡ ଅଫିସିଆଲ୍ ପ୍ରତିନିଧି ଋଷି ନାଥ କିସ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟଙ୍କୁ ଗିନିଜ୍‌ ବିଶ୍ବ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଆଜି ସକାଳ ପ୍ରାୟ ୭ଟା ବେଳେ ଗିନିଜ୍‌ ବିଶ୍ବ ରେକର୍ଡ ପ୍ରତିନିଧି ଦଳ କିସ୍’ରେ ପହଞ୍ଚି ପଲାଙ୍କ ବାରକୋଡ୍‌ ସ୍କାନ୍ କରି ପଡ଼ିଆ ଭିତରକୁ ଛାଡ଼ିଥିଲେ। ପିଲାମାନେ ୮ଟାରେ ବ୍ରସ୍ କରିବା ଆରମ୍ଭ କରିଥିଲେ। କିସ୍’ରେ ପଢ଼ୁଥିବା ୨୭ହଜାର ୫ଶହ ଆଦିବାସୀ ପିଲାଙ୍କ ମଧ୍ୟରୁ ୨୬,୩୮୨ଜଣ ପିଲା ନିର୍ଧାରିତ ସମୟ ସୀମା ଭିତରେ ପଡ଼ିଆକୁ ପ୍ରବେଶ କରି ରେକର୍ଡରେ ଭାଗ ନେଇଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଲଗେଟ୍ ପାମୋଲିଭ(ଭାରତ)ର ପରିଚାଳନା ନିର୍ଦେଶକ ରାମ ରାଘବନ ଉପସ୍ଥିତ ରହି ସମସ୍ତ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜଳସମ୍ପଦ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଇଣ୍ଡିଆନ୍ ଆଇଏପିଏଚଡି ସଂପାଦକ ଡ. ସବ୍ୟସାଚୀ ଶାହା ଅତିଥି ଭାବେ ଉପସ୍ଥିତ ଥିଲେ। କୋଲଗେଟ୍ ପକ୍ଷରୁ ସମସ୍ତ ପିଲାମାନଙ୍କୁ ପେଷ୍ଟ୍, ବ୍ରସ୍ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର