ଜଳୁଛି ଓଡ଼ିଶା: ୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟବ୍ୟାପୀ ପ୍ରବଳ ଖରା ସହିତ ଭୀଷଣ ଗରମ ଅନୁଭୂତ ହେଉଛି। ତାପମାତ୍ରା ଆହୁରି ୪ ଦିନ ଏମିତି ଜାରି ରହିବ। ଲୋକଙ୍କୁ କଲବଲ କରିବ। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ସର୍ବୋଚ୍ଚ ଦିନର ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରି, ରାଉରକେଲାରେ ୪୨.୫ ଡିଗ୍ରି, ଚାନ୍ଦବାଲିରେ ୪୨.୪ ଡିଗ୍ରି, ସମ୍ବଲପୁରରେ ୪୨.୧ ଡିଗ୍ରି, ହୀରାକୁଦରେ ୪୧.୮ ଡିଗ୍ରି, ବାଲେଶ୍ୱରରେ ୪୧.୭ ଡିଗ୍ରି, କେନ୍ଦୁଝରରେ ୪୧.୫ ଡିଗ୍ରି, ଗୋପାଳପୁରରେ ୩୫.୪ ଡିଗ୍ରି, ପୁରୀରେ ୩୪.୭ ଡିଗ୍ରି ଓ ପାରାଦୀପରେ ୩୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଆଂଚଳିକ ପାଣିପାଗ କେନ୍ଦ୍ର ଏହାପୂର୍ବରୁ ଭୁବନେଶ୍ୱର ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି କହିଥିଲା। ଅସହ୍ୟ ତାତି ପାଇଁ ଉତ୍ତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ ୨୪ ଘଂଟା ପାଇଁ ମୟୂରଭଂଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର