କାର ମାଡିଗଲା; ସାଇକଲ ଆରୋହୀ ମୃତ

ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ କାର ଧକ୍କାରେ ଜଣେ ସାଇକଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବୀର‌ଗୋବିନ୍ଦପୁର ପଞ୍ଚାୟତ ଟାଙ୍ଗରବେଡ଼ା ଗ୍ରାମର ଜାତୁ ସୋରେନ୍(୩୦)। ଆଜି ଦିନ ୨ଟାବେଳେ ଜାତୁ ସାଇକଲରେ ଧକୋଠା ହାଟକୁ ଯାଉଥିଲେ। ଏହି ସମୟରେ ଘସିପୁରା ଆଡୁ କେନ୍ଦୁଝର ଅଭିମୁଖେ ଯାଉଥିବା ଓଡି୦୨ବିଏକ୍ସ-୫୧୯୪ ନମ୍ବର ବ୍ରିଜା କାର ତାଙ୍କୁ ଧକ୍କା ଦେବାସହିତ ରାସ୍ତାର ଡିଭାଇଡର ଉପରେ ଓଲଟି ପଡିଥିଲା।

ତେବେ ଏହି ସମୟରେ ସେଠାରେ କେହି ଲୋକ ନଥିବାବେଳେ କାରରେ ଥିବା ଲୋକମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଘସିପୁରା ପୁଲିସ୍ ପହଞ୍ଚି ଦୁର୍ଘଟଣା
ଘଟାଇଥିବା କାରକୁ ଜବତ୍ କରିବା ସହିତ ତଦନ୍ତ ଚଳାଇଛି। ମୃତଦେହ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ରାସ୍ତାରୋକ କରିଥିଲେ।

ସମ୍ବନ୍ଧିତ ଖବର