ବିଜେପି ପାଇଁ ପ୍ରଚାର କଲେ ବିଜେଡି ବିଧାୟକ: ପ୍ରଶାନ୍ତଙ୍କ ସମର୍ଥନରେ ଜିତୁ

ଖୋର୍ଦ୍ଧା: ରାତାରାତି ଓଲଟପାଲଟ ହୋଇଛି ଖୋର୍ଦ୍ଧା ରାଜନୀତି। ନିର୍ବାଚନୀ ପ୍ରଚାରର ଅନ୍ତିମଦିନର ଅନ୍ତିମ ଦୁଇଘଣ୍ଟାରେ ଖୋର୍ଦ୍ଧାର ବିଜେଡି ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ପୂର୍ବରୁ ବିଜେଡିର ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ବିଜେପି ସହିତ ସାମିଲ ହୋଇସାରିଥିଲେ। ଆଜି ଅପରାହ୍ନରେ ବିଜେପି ସହିତ ବିଜେଡି ବିଧାୟକ ଶ୍ରୀ ମିତ୍ର ସାମିଲ୍ ହେବା ଘଟଣା ଖୋର୍ଦ୍ଧା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ଶ୍ରୀ ମିତ୍ର ହେଉଛନ୍ତି ଖୋର୍ଦ୍ଧାର ତିନିତିନି ଥରର ବିଧାୟକ। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ତାଙ୍କର ସଂଗଠନ ରହିଛି। ୨୦୧୯ରେ ସେ ବିଜେଡି ଟିକେଟ୍‌ରେ ଖୋର୍ଦ୍ଧାରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେଡି ତାଙ୍କୁ ଅଣଦେଖା କରିଥିଲା। ବିଜେଡି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା ଟିକେଟ୍‌ ଦେବାପରେ ଶ୍ରୀ ମିତ୍ର କୋଣଠେସା ହୋଇ ରହିଥିଲେ। ଆଜି ବିଜେପି ପ୍ରାର୍ଥୀ ଶ୍ରୀ ଜଗଦ୍ଦେବ ଏବଂ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଏକାଠି ହୋଇ ଖୋର୍ଦ୍ଧା ସହରରେ ପ୍ରଚାର ଶୋଭାଯାତ୍ରା କରିବା ପରେ ଶ୍ରୀ ମିତ୍ର ବିଜେଡିକୁ ଚକ୍‌ମା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି।

ଏ ସମ୍ପର୍କରେ ଶ୍ରୀ ମିତ୍ର କହିଛନ୍ତି, ‘ବିଜେପି ମୋ ପାଇଁ ନୂଆ ଦଳ ନୁହେଁ। ଏ ଦଳରୁ ମୁଁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରି ସାରିଛି। ୨୦୧୯ ମସିହାରେ ବିଜୁ ଜନତା ଦଳ ମୋତେ ଅନୁରୋଧ କରି ଡାକିଥିଲା ବୋଲି ମୁଁ ଯାଇଥିଲି। ଏବେ କିନ୍ତୁ ଦେଖୁଛି, ସେ ଦଳରେ ନୀତିଆଦର୍ଶ ବୋଲି କିଛି ନାହିଁ। ଦଳରେ ଟଙ୍କାର ପ୍ରଭାବ ଜୋର୍‌ ରହିଛି। ସେଥିପାଇଁ ମୁଁ ଟିକେଟ୍ ପାଇଲି ନାହିଁ।’ ‘ଏଥର କିନ୍ତୁ ଖୋର୍ଦ୍ଧା ପରିବର୍ତ୍ତନ ଚାହୁଛି। ତେଣୁ ଖୋର୍ଦ୍ଧାର ଏହି ପରିବର୍ତ୍ତନ ଧାରାରେ ମୁଁ ମଧ୍ୟ ନିଜକୁ ସାମିଲ କରିଛି,’ ବୋଲି ଶ୍ରୀ ମିତ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର