ଝାରସୁଗୁଡ଼ା ଉପନିର୍ବାଚନରେ କେନ୍ଦ୍ରୀୟ ପୁଲିସଙ୍କୁ ନିୟୋଜିତ କରାଯାଉ: ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଲେ ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ବର : ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ଏଥିରେ କେନ୍ଦ୍ରୀୟ ପୁଲିସକୁ ନିୟୋଜିତ କରିବାକୁ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ କହିଛି ଯେ, ଝାରସୁଗୁଡ଼ାବାସୀ ରାଜ୍ୟ ସରକାରଙ୍କ ଠାରୁ ମୁହଁ ଫେରାଉଥିବାରୁ ଶାସକ ବିଜେଡି ଝାରସୁଗୁଡ଼ାରେ ହିଂସାକୁ ଆପଣାଉଛି। ଯାହା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି କରୁଛି। ଏପରିକି ଝାରସୁଗୁଡ଼ାର ୨୫୩ଟି ବୁଥ୍‌ ମଧ୍ୟରୁ ୭୧ଟି ବୁଥ୍‌ ଅତି ଉତ୍ତେଜନାପ୍ରବଣ ଅଛି। ତେଣୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ବ୍ୟବସ୍ଥା କରାଯାଉ। ଏହାସହ ଯୁଗ୍ମ ବୁଥ୍‌ କେନ୍ଦ୍ରର ବାହାରେ ଓ ଭିତରେ ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯାଉ ବୋଲି ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ସୋନାଲି ସାହୁ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ୍‌ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର