ଘସିପୁରାର ବିଭିନ୍ନ ବୁଥ୍‌ରେ ଉତ୍ତେଜନା

ଆନନ୍ଦପୁର/ଘଟଗାଁ: ଘସିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଛି। ପୁଲିସର ‌କୋହଳ ମନୋଭାବ ଯୋଗୁଁ ଅନେକ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ନୂଆପଡ଼ା ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଥିବ‌ା ବେଳେ ବିଜେଡି ସମର୍ଥକମାନେ କିଛି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ମାରପିଟ୍ ‌ହୋଇଥିଲା। ଖବର ପାଇ ଘସିପୁରା ପୁଲିସ ପହଞ୍ଚି ଚାରିଜଣଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଲିସ ସ୍ବାଧୀନ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଉଠାଇ ନେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୩୩ ନମ୍ବର ପଣ୍ଡୁଆ ବୁଥରେ ମଧ୍ୟ ବିଜେଡି ସମର୍ଥକଙ୍କ ଗୁଣ୍ଡାଗିରିକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦୁଇଦିନ ତଳେ ଏଠାରେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ବସନ୍ତ ଚକ୍ରଙ୍କୁ ବିଜେଡି ସମର୍ଥକମାନେ ଆକ୍ରମଣ କରିଥିବା ବେଳେ ଅଭିଯୁକ୍ତମାନେ ଅଦ୍ୟାବଧି ଧରା ପଡ଼ିନ‌ାହାନ୍ତି।

ଆଜି ପୁଣି ବିଜେଡି ସମର୍ଥକଙ୍କ ଗୁଣ୍ଡ‌ାରାଜ କରିଥିଲେ। ସେହିପରି ବଡ଼ପଦନା ବୁଥରେ କିଛି ବିଜେଡି ସମର୍ଥକ ବୁଥ୍ ରିଗିଂ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ମାଡ଼ ମାରିଥିବା ଅଭିଯୋଗ ‌ହୋଇଛି। ପୁଲିସର ଲାଠିମାଡ଼ରେ ଜଣେ ଆହତ ହୋଇଛନ୍ତି। ୨୨୭ ନମ୍ବର ହରିପୁର ବୁଥରେ କନକ ନ୍ୟୁଜ୍ ପ୍ରତିନିଧିଙ୍କୁ ଆକ୍ରମଣ ଉଦ୍ୟମ ହେବା ସହ କ୍ୟାମେରା ଛଡ଼ାଇ ନେବାପାଇଁ ବିଜେଡି ସମର୍ଥକ ବଳ ପ୍ରୟୋଗ କରିଥିଲେ। ଠିକ ସମୟରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବଳରାମପୁର ପଞ୍ଚାୟତ ଝାଡ଼କୁଣ୍ଡି ବୁଥରେ ମଧ୍ୟ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ଗୋପବନ୍ଧୁ ପଣ୍ଡାଙ୍କୁ ଆକମ୍ରଣ ‌ହୋଇଥିବା ଖବର ମିଳିଛି। ସେହିପରି ପୁରୁଣାବାନ୍ଧଗୋଡ଼ାରେ ବିଜେଡି ସମର୍ଥକଙ୍କ ଗୁଣ୍ଡାଗିରି ଚାଲିଥିବା ବେଳେ ପୁଲିସ ପହଞ୍ଚି ଏହାକୁ ଭଣ୍ଡୁର କରିଛି।

ଘଟଗାଁ ବ୍ଲକ୍‌ ରୁଟିଶିଳା ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲାପରିଷଦ ସଭ୍ୟା ଯାଜ୍ଞସେନୀ ମହାନ୍ତ ଭୋଟରମାନଙ୍କୁ ବିଜେଡିକୁ ଭୋଟ ଦେବାପାଇଁ ପ୍ରବର୍ତ୍ତାଉଥିବା ବେଳେ ଲୋକେ ବିରୋଧ କରିଥିଲେ। ପରେ ତାଙ୍କ ସ୍ବାମୀ ଖଗେଶ୍ବର ମହାନ୍ତ ପହଞ୍ଚି ଲୋକଙ୍କୁ ଠେଲାପେଲା କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା। ବଡ଼ଜାମୁପଶିରେ ବିଜେଡି ସମର୍ଥକମାନେ ବୁଥ୍‌ ରିଗିଂ କରିବାକୁ ଉଦ୍ୟମ କରିଥିଲେ। ପୁଲିସ ପହଞ୍ଚିବା ପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ଏଠାରେ କନକ ନ୍ୟୁଜ୍‌ର ପ୍ରତିନିଧିଙ୍କ ଆକ୍ରମଣ କରାଯାଇଛି। ମସିଣାଯୋଡ଼ିରେ ନିର୍ବାଚନମଣ୍ଡଳୀ ବାହାରୁ କିଛି ଲୋକ ପହଞ୍ଚି ଭୋଟ ଦେବାକୁ ଉଦ୍ୟମ କରିଥିଲେ। ପୁଲିସ ପହଞ୍ଚି ଏହାକୁ ବନ୍ଦ କରିଥିଲା।

ସମ୍ବନ୍ଧିତ ଖବର