କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବୀ: କାରଣ କହିଲେନି, ବିରୋଧୀ ବି ଚୁପ୍‌

ଜଗତସିଂହପୁର: ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ବାଳ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଚିରଞ୍ଜୀବୀ ଦଳ ଛାଡ଼ିବା ନେଇ ଦୁଇ ବର୍ଷ ହେଲା ଯେଉଁ ଚର୍ଚ୍ଚା ହୋଇ ଆସୁଥିଲା ତାହାର ଆଜି ଅନ୍ତ ଘଟିଛି। ସେ ଆଜି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ଆସନ୍ତାକାଲି ସେ ନିଜର ଘନିଷ୍ଠ ସହଯୋଗୀଙ୍କ ସହ ନବୀନ ନିବାସ ଯାଇ ବିଜେଡିରେ ମିଶିବେ ବୋଲି ସୂଚନା ମିଳିଛି। କଂଗ୍ରେସ ଛାଡିବାର କାରଣ ଅଥବା ସେ କେଉଁ ଦଳକୁ ଯିବେ, ସେସଂପର୍କରେ ଚିରଞ୍ଜୀବୀ ଏବେ କିଛି କହିବାକୁ ସିଧାସଳଖ ମନା କରି ଦେଇଛନ୍ତି। ଚିରଞ୍ଜିବୀଙ୍କ ଇସ୍ତଫା ସଂପର୍କରେ କଂଗ୍ରେସ, ବିଜେଡି ଅଥବା ବିଜେପିର କୌଣସି ନେତା ବି ବକ୍ତବ୍ୟ ରଖିବାରୁ ଦୂରେଇ ରହୁଛନ୍ତି।

ଚିରଞ୍ଜୀବୀ ବିଜେଡିରେ ମିଶିବା ପରେ କେଉଁଠୁ ଟିକେଟ ନେଇ ନିର୍ବାଚନ ଲଢ଼ିବେ ତାହାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଲାଗିରହିଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଳଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କର ସମର୍ଥକ ଅବଶ୍ୟ କହୁଛନ୍ତି। ଦୀର୍ଘ ବର୍ଷ ଧରି କଂଗ୍ରେସ ପରିବାର ସହ ସମ୍ପର୍କ ତୁଟାଇବାର ପ୍ରକୃତ କାରଣ କେହି କହୁ ନ ଥିଲେ ବି ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ସେ ଅପମାନ ବୋଧ କରିଥିଲେ। ଯଦିଓ ଦଳ ତାଙ୍କର ନିଲମ୍ବନ କିଛି ମାସ ପୂର୍ବରୁ ଉଠାଇ ଦେଇଥିଲା, ସେ କିନ୍ତୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ନଥିଲେ। ଚିରଞ୍ଜୀବୀଙ୍କ ବାପା ସ୍ବର୍ଗତ ବସନ୍ତ ବିଶ୍ବାଳ ୮୦ ଦଶକରେ କଂଗ୍ରେସର ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିଲେ। ତାଙ୍କର ଉତ୍ତରାଧିକାରୀ ଭାବେ ୨୦୦୪ରେ ଚିରଞ୍ଜୀବୀ ବିଶ୍ବାଳ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ତିର୍ତ୍ତୋଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ତିର୍ତ୍ତୋଲ ସଂରକ୍ଷିତ ଆସନ ହୋଇଯିବାରୁ ଚିରଞ୍ଜୀବୀ ଜଗତସିଂହପୁର ବିଧାନସଭାରୁ କଂଗ୍ରେସ ଟିକେଟରେ ଲଢ଼ି ହାରିଥିଲେ। ୨୦୧୪ରେ ସେ ସେହି ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର