ହିତାଧିକାରୀଙ୍କୁ ପ୍ଲାଷ୍ଟିକ୍ ଚାଉଳ ଯୋଗାଣ ଅଭି‌ଯୋଗ

ଯୋଗାଣ ନିରୀକ୍ଷକ କହିଲେ, ପ୍ଲାଷ୍ଟିକ୍‌ ନୁହେଁ ଭିଟାମିନ୍‌ଯୁକ୍ତ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ କତୁରୁ ଗ୍ରାମର କିଛି ହିତାଧିକାରୀଙ୍କୁ ମା’ ପୋଲ୍ଲାମା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାସନକାର୍ଡ଼ରେ ମାଗଣା ଚାଉଳ ବଣ୍ଟନ କରା ଯାଇଥିଲା। ତେବେ ପ୍ରତି କିଲୋରେ ପ୍ରାୟ ଏକ କିଲୋ ପ୍ଲାଷ୍ଟିକ୍ ଚାଉଳ ବାହାରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଚାଉଳର ରଙ୍ଗ ସଂପୂର୍ଣ୍ଣ ଧଳା ହୋଇଥିବା ବେଳେ ପାଟିରେ ପକାଇଲେ ତାହା ପ୍ଲାଷ୍ଟିକ୍ ଭଳି ଲାଗୁଥିବା ଓ ଆଦୌ ଗୁଣ୍ଡ ହେଉ ନଥିବା ଶ୍ୟାମଘନ ବେହେରାଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସତ୍ୟାସତ୍ୟ ପରଖିବା ବେଳେ ତାହା ଜଣାପଡ଼ିଛି।

ଚିକିଟି ବ୍ଲକ୍ ଅତିରିକ୍ତ ଦାୟିତ୍ବରେ ଥିବା ପାତ୍ରପୁର ବ୍ଲକ୍ ଯୋଗାଣ ନିରୀକ୍ଷକ ପଦ୍ମେଶ ଶତପଥୀ କହିଛନ୍ତି, ଏଥିରେ କେହି ଭୟଭୀତ ହେବା ଆବଶ୍ୟକ ନାହିଁ। ତାହା ଭିଟାମିନ୍‌ଯୁକ୍ତ ଚାଉଳ। ପ୍ରତି କ୍ବିଣ୍ଟାଲ୍‌ ଚାଉଳରେ ଏହା ୫ରୁ ୧୦ କିଲୋ ରହିଛି। ସେହିପରି ପୋଲାମ୍ମା ଏସ୍‌ଏଚଜି ସଭାପତି ସମାନ କଥା ଦୋହରାଇଛନ୍ତି। ତେବେ ମାଗଣାରେ ମିଳୁଥିବା ଚାଉଳ ପ୍ଲାଷ୍ଟିକ୍ ନା ଭିଟାମିନ୍‌ଯୁକ୍ତ, ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

ସମ୍ବନ୍ଧିତ ଖବର