କନ୍ଧମାଳରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଆରମ୍ଭ : କଟକଣା କୋହଳ ପରେ ଇନ୍ଦ୍ର ଚନ୍ଦ୍ର ମାନିଲେ ନାହିଁ ଅମାନିଆ

ଦୋକାନ ଖୋଲିବା ନେଇ ସ୍ପଷ୍ଟ କରୁନି ପ୍ରଶାସନ, ଅସନ୍ତୋଷ ଝାଡିଲା ବଣିକ ସଂଘ

ଫୁଲବାଣୀ : ଆଜିଠାରୁ କରୋନା ଲକ୍ ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଦୁଇ ସପ୍ତାହ ଧରି ବଳବତ୍ତର ରହିବ। ହେଲେ କରୋନା ସଂକ୍ରମିତ ନଥିବା ଗ୍ରୀନ ଜୋନ ଜିଲ୍ଲାରେ ଦୋକାନ ବଜାର ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି। ଏହି ଜିଲ୍ଲା ମଧ୍ୟରେ ରହିଛି କନ୍ଧମାଳ। ଆଜି କଟକଣା କୋହଳ ମଧ୍ୟରେ କିଛି ଦୋକାନ ଓ ବଜାର ଖୋଲିଛି। ହେଲେ ସବୁ ଦୋକାନ ଖୋଲି ନାହିଁ। କେଉଁ ସବୁ ଦୋକାନ ଖୋଲିବ, କେତେ ସମୟ ଧରି ଦୋକାନ ଖୋଲା ରହିବ, ଆଉ କେଉଁ ଦୋକାନ ଖୋଲା ଯାଇ ପାରିବ ନାହିଁ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉ ନଥିବାରୁ ଦୋକାନୀମାନେ ଦ୍ବନ୍ଦରେ ଅଛନ୍ତି।

ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, ରାଇକିଆ, ଦାରିଙ୍ଗବାଡି, ଜି.ଉଦୟଗିରି, ଫିରିଙ୍ଗିଆ, ଟିକାବାଲି ସଦର ମହକୁମାରେ ବଜାର ଓ ବହୁ ଦୋକାନ ଖୋଲିଥିଲା। ହେଲେ ବଡବଡ ଶାଢୀ, ଡ୍ରେସ ଦୋକାନ ବନ୍ଦ ରହିଥିଲା। ଏମିତି କି ସରକାରଙ୍କ ଅନୁମତି ଥାଇ ବି ସେଲୁନ, ପାନ ଦୋକାନ ବି ବନ୍ଦ ରହିଥିଲା। ଦୋକାନ ଖୋଲିଲେ କାଳେ ଜିଲ୍ଲା ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଥି ନିମନ୍ତେ ଭୟରେ ଦୋକାନୀମାନେ ଦୋକାନ ଖୋଲିବାକୁ ସାହସ କରି ନଥିଲେ। ସବୁଠାରୁ ବେଶୀ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ। କଟକଣା କୋହଳ ହୋଇଥିବା ବେଳେ ଅଧିକାଂଶ ଦୋକାନ ଖୋଲିଥିଲା। ଏହାର ସୁଯୋଗ ନେଇ ଅମାନିଆମାନେ ଖୁଲମଖୁଲା କରୋନା କଟକଣା ନିୟମକୁ ଫୁ କରି ବୁଲାବୁଲି କରିଥିଲେ। ବାଇକରେ କେଉଁଠି ୩ ଜଣ ଯାଉଥିଲେ ତ ଆଉ ମୁହଁରେ ନଥିଲା ମାସ୍କ। ହେଲେ ସାମାଜିକ ଦୂରତା ବି ଅଧିକାଂଶ ଜାଗାରେ ନଥିବା ଦେଖିବାକୁ ମିଳିଥିଲା। କଟକଣା କୋହଳ ପରେ ବି ନିୟମ ଓ ସାମାଜିକ ଦୂରତାକୁ ଜଗିବାକୁ କୁହାଯାଇଛି। ହେଲେ ଆଜି ଏସବୁ ଜଗିବାକୁ ସତେ ଯେମିତି କେହି ବି ନଥିଲେ। କହିବାକୁ ଗଲେ ପ୍ରଶାସନିକ ଅଧିକାରୀ କିମ୍ବା ପୁଲିସ କାହାରକୁ ଦେଖିବାକୁ ମିଳୁ ନଥିଲା।

କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଖୋଲି ପାରୁ ନଥିବା ଦୋକାନୀ ଓ ବ୍ୟବସାୟୀ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି। ହେଲେ ପ୍ରଶାସନ ଏ ଦିଗରେ କୌଣସି ସ୍ପଷ୍ଟ ସବୁଜ ସଙ୍କେତ ଦେଇ ନଥିବାରୁ ଏହାକୁ ନେଇ ଦୋକାନୀ ଓ ବ୍ୟବସା୍ୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁ ନଥିବାରୁ ଏଥିରେ ଅସନ୍ତୋଷ ଝାଡିଛି ଫୁଲବାଣୀ ବଣିକ ସଂଘ। ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ କହିଛନ୍ତି ଦୀର୍ଘ ଦିନ ହେଲା ଦୋକାନ ବଜାର ବନ୍ଦ ଯୋଗୁ ଦୋକାନୀ ଓ ବ୍ୟବସାୟୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେକକୁ ବାଦ ଦେଲେ ସବୁ ଦୋକାନ ଖୋଲିବା ନେଇ ସରକାର ଘୋଷଣା କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ଝୁଲାଇ ରଖିବା ଠିକ ନୁହେଁ ବୋଲି ସେ କହିଛନ୍ତି। କେତେଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। କେଉଁ ସବୁ ଦୋକାନ ଖୋଲା ରହିବ। ଏ ନେଇ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ୨-୩ ଦିନ ମଧ୍ୟରେ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ସ୍ପଷ୍ଟ ନ କଲେ ଏ ନେଇ ସରକାରଙ୍କୁ ବଣିକ ସଂଘ ପକ୍ଷରୁ ଅବଗତ କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି। ଦୋକାନ ବଜାର ବନ୍ଦ ଯୋଗୁ ବହ ଦୁର୍ଦ୍ଦିନରେ ଦିନ କାଟୁଥିବା ଦୋକାନୀ ଓ ବ୍ୟବସାୟୀଙ୍କ ସ୍ବାର୍ଥ ଦୃଷ୍ଟିରୁ କେଉଁ ସବୁ ଦୋକାନ ଖୋଲା ରହିବ ସ୍ପଷ୍ଟ ହେବା ଦରକାର।

ସମ୍ବନ୍ଧିତ ଖବର