ସନ୍ଧ୍ୟାରେ ଯୁବତୀଙ୍କୁ ଭେଟିବାକୁ ଯାଇଥିଲେ; ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବଡ଼ଗାଁ ଥାନା ଇତମା ନିକଟ ଟିମନା ପାହାଡ଼ର ଏକ ଗଛରୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ସଦରଥାନା ରାଜପୁର ନିକଟ ରେବଡ଼ାମାଲର ମିଲନ କେର୍କେଟା (୨୦)। ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଝୁଲାଇ ଦେଇଥିବା ସନ୍ଦେହ ପ୍ରକାଶ ପାଇଛି। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଅଭିଯୋଗ ଆଣିଛନ୍ତି।

ବାପା ଛେଉଣ୍ଡ ମିଲନ ବିଧବା ମା ଓ ଭଉଣୀ ସହ ରହୁଥିଲେ। ବାପାଙ୍କ ମୃତ୍ୟୁ ପରେ ମିଲନଙ୍କ ଉପରେ ପରିବାରର ବୋଝ ପଡ଼ିଥିଲା। ସେଥିପାଇଁ ସେ ବହୁ ସମୟରେ ବାହାର ରାଜ୍ୟକୁ ରୋଜଗାର ପାଇଁ ଚାଲି ଯାଉଥିଲେ। କୁହାଯାଉଛି, ଇତମା ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିଲା। ମଙ୍ଗଳବାର ଯୁବତୀ ଫୋନ୍ କଲ୍ କରି ତାଙ୍କୁ ଗାଁକୁ ଡାକିଥିଲେ। ମିଲନ ଏକ ଲାଲ ରଙ୍ଗର ବାଇକରେ ଯୁବତୀଙ୍କୁ ଭେଟିବାକୁ ଯାଇ ଆଉ ଫେରି ନଥିଲେ। ବୁଧବାର ସନ୍ଧ୍ୟାରେ ଯୁବତୀ ମିଲନଙ୍କ ପଡ଼ୋଶୀ ଯୁବକଙ୍କୁ କଲ୍ କରିଥିଲେ ବୋଲି ଶୁଣିବାକୁ ମିଳୁଛି। ମିଲନଙ୍କୁ ତୁରନ୍ତ ଆସି ନେଇଯାଅ, ନହେଲେ ମାରିଦେବେ ବୋଲି କୁଆଡ଼େ ଯୁବତୀ ଫୋନରେ କହିଥିଲେ। ଆଉ ଗୁରୁବାର ସକାଳୁ ଯୁବକଙ୍କ ମୃତଦେହ ଟିମନା ପାହାଡ଼ରୁ ଉଦ୍ଧାର ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର