ବ୍ରାହ୍ମଣବିଲରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର: ‘ଦୁର୍ନୀତିରୁ ମୁକ୍ତି ପାଇଁ ଦରକାର ଡବଲ ଇଞ୍ଜିନ ସରକାର’

ଅନୁଗୁଳ: ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ବ୍ରାହ୍ମଣବିଲ ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାର ଆରମ୍ଭରୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶାରୁ ଦୁର୍ନୀତି ହଟାଇବାପାଇଁ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୪ ବର୍ଷ ଧରି ଚାଲିଥିବା ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି। ଗାଁକୁ ସ୍ୱଚ୍ଛ ପିଇବା ପାଣି ନାହିଁ। ପାଣି ପାଇଁ ହୀରାକୁଦ ଭଳି ଅଞ୍ଚଳରେ ଡାଇରିଆ ବ୍ୟାପୀ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ମେଡିକାଲ ଚିକିତ୍ସାଧୀନ ଅଛନ୍ତି। ଏପଟେ ଯୁବବର୍ଗଙ୍କୁ ରୋଜଗାର ମିଳିନାହିଁ। ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି। ମହିଳା ଅତ୍ୟାଚାରରେ ଓଡ଼ିଶା ଜାତୀୟସ୍ତରରେ ବଦନାମ ହେଉଛି। ଓଡ଼ିଶାରୁ ଏଥିରୁ ମୁକ୍ତି ଦେବାପାଇଁ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗୌରବଶାଳୀ ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି। ଦେଶରେ ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି। ଦୁର୍ନୀତିକାରୀଙ୍କୁ ସୁରକ୍ଷା ଦେବା ବିରୋଧୀଙ୍କ ପ୍ରସଙ୍ଗ ହୋଇଥିବା ବେଳେ ଭ୍ରଷ୍ଟାଚାରୀଙ୍କୁ ବିତାଡ଼ିତ କରିବା ମୋଦୀଙ୍କ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦଳ ତରଫରୁ ତାଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବେ ଦାୟିତ୍ୱ ମିଳିଥିବାବେଳେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର କରିବାପାଇଁ ଏଥର ଲଢ଼େଇ ହେବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର