ବିଶ୍ବ କଇଁଛ ଦିବସରେ ନିରାଶା: ଋଷିକୁଲ୍ୟା ମୁହାଣକୁ ଆସିଲେନି ଅଲିଭ୍‌ରିଡ୍‌ଲେ

ବ୍ରହ୍ମପୁର: ଆଜି ଥିଲା ବିଶ୍ବ କଇଁଛ ଦିବସ। ଆଜିର ଦିନରେ କଇଁଛଙ୍କ ସୁରକ୍ଷା ପାଇଁ ନାନା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ଗ୍ରାମବାସୀ ମଧ୍ୟ କଇଁଛଙ୍କ ସୁରକ୍ଷା ପ୍ରତି ବେଶ ଆଗଭର ହୋଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ଚଳିତ ବର୍ଷ ପ୍ରକୃତିର ବିପରୀତ ଲକ୍ଷଣ ଦେଖିବାକୁ ମିଳିଛି। ମୁହାଣର ବାଲୁକାଶଯ୍ୟା ପୂରା ଖାଁ ଖାଁ। ମେ ଶେଷ ପର୍ଯ୍ୟନ୍ତ ଅଲିଭ୍‌ରିଡ୍‌ଲେ ଆସିଲେନି କି ଗଣଅଣ୍ଡାଦାନ ହେଲା ନାହିଁ। ଏହାକୁ ନେଇ କଇଁଛପ୍ରେମୀଙ୍କ ମହଲରେ ନିରାଶା ଦେଖାଦେଇଛି। ସେହିପରି ବିଭିନ୍ନ ଅଞ୍ଚଳରୁ ବହୁ ଲୋକ କଇଁଛ ଦେଖିବାକୁ ଆସି ନିରାଶ ହୋଇ ଫେରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ସମସ୍ୟା ହୋଇଥାଇ ପାରେ ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଚଳିତ ବର୍ଷ ଋଷିକୁଲ୍ୟା ବେଳାଭୂମିରୁ ସମୁଦ୍ର ଭିତରକୁ ୫ କିମି ଜଳରାଶିରେ ଲକ୍ଷାଧିକ ସଂଖ୍ୟାରେ ଅଲିଭ୍‌ରିଡ୍‌ଲେ ଭାସମାନ ଅବସ୍ଥାରେ ରହିଥିଲେ। ସଙ୍ଗମପର୍ବ ବି ଠିକ୍‌ ସମୟରେ ସରିଥିଲା। ହେଲେ ସେମାନେ କୂଳକୁ ଆସି ଅଣ୍ଡାଦାନ କରିନଥିଲେ। ଚଳିତ ବର୍ଷ ମାତ୍ର ୧୫ଶହ କଇଁଛ ସ୍ପୋରୋଡିକ୍‌ ନେଷ୍ଟିଂ (ବିକ୍ଷିପ୍ତ ଅଣ୍ଡାଦାନ) କରିଥିଲେ। ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ପ୍ରଫେସର ବିଭାଷ ପଣ୍ଡା କହିଛନ୍ତି, ଋଷିକୁଲ୍ୟା ମୁହାଣ ହେଉଛି ଅଲିଭ୍‌ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଏକ ସୁରକ୍ଷିତ ସ୍ଥାନ। କିନ୍ତୁ ଚଳିତ ବର୍ଷ କାହିଁକି ସେଠାରେ ଅଣ୍ଡାଦାନ‌ ହେଲା ନାହିଁ ଗବେଷଣା ବିନା ତା’ର ପ୍ରକୃତ କାରଣ କହିବା ମୁସ୍କିଲ୍‌। ପ୍ରାୟ ୪/୫ ବର୍ଷରେ ଥରେ କଇଁଛ ଏଭଳି ଅପ୍ରତ୍ୟାଶିତ ଭାବେ ଅଣ୍ଡାଦାନ କରିନଥାନ୍ତି । ଜଳବାୟୁ ପରିବର୍ତ୍ତନ ମଧ୍ୟ ଅନ୍ୟତମ କାରଣ ହୋଇଥାଇ ପାରେ ବୋଲି ସେ କହିଛନ୍ତି।

ଋଷିକୁଲ୍ୟା ମୁହାଣ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରସିଦ୍ଧ। ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଲକ୍ଷାଧିକ କଇଁଛ ଗଣଅଣ୍ଡାଦାନ କରିଥାନ୍ତି। କିନ୍ତୁ ଏଥର ଅଲିଭ୍‌ରିଡ୍‌ଲେଙ୍କ ଆଗମନ ନଥିବାରୁ ଋଷିକୁଲ୍ୟା ବାଲୁକାଶଯ୍ୟା ପୂରା ଶୁନ୍‌ଶାନ୍‌। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ୩ମାସ କଇଁଛଙ୍କ ମିଳିନ ଋତୁ ବୋଲି ଧରାଯାଏ। ଏହାପରେ ଫେବ୍ରୁଆରି ଶେଷ ସପ୍ତାହ ନ‌ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଗଣଅଣ୍ଡାଦାନର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି କଇଁଛ ଛୁଆ ସମୁଦ୍ରମୁହାଁ ହୋଇଥାନ୍ତି। ଲକ୍ଷାଧିକ ସଂଖ୍ୟାରେ ଛୋଟ ଛୋଟ କଇଁଛ ସମୁଦ୍ରକୁ ଯାଉଥିବା ଦୃଶ୍ୟ ବେଶ ନିଆରା ରହିଥାଏ। କିନ୍ତୁ ଚଳିତ ବର୍ଷ ଆଉ ସେହି ଦୃଶ୍ୟ ଦେଖିବାକୁ ମିଳି ନାହିଁ। ଗତବର୍ଷ ଏହି ସମୟ ବେଳକୁ କଇଁଛ ଛୁଆ ସମୁଦ୍ରକୁ ଯାଇ ସାରିଥିଲେ।‌

ପ୍ରକାଶ ଥାଉ କି ଗତବର୍ଷ (୨୦୨୨-୨୩) ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ। କିନ୍ତୁ ଚଳିତ ବର୍ଷ ଗଣଅଣ୍ଡାଦାନ ହୋଇ ନାହିଁ। ସେହିପରି ୨୦୨୧-୨୨ରେ ପ୍ରାୟ ସାଢ଼େ ୫ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ୨୦୨୦-୨୧ ମାତ୍ର ୪ହଜାର ୩୮୮ କଇଁଛ ଅଣ୍ଡାଦାନ କରିଥିଲେ।

ସମ୍ବନ୍ଧିତ ଖବର