ବୁଟ ଚାଷ କରି କ୍ଷତି ସହିଲେ ଚାଷୀ

ସିଙ୍ଗଡ଼ା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷୀମାନେ ବୁଟ ଚାଷ କରି ସର୍ବସ୍ବାନ୍ତ ହୋଇଛନ୍ତି। ଅଦିନିଆ କୁହୁଡ଼ି ଯୋଗୁଁ ବୁଟ ଫସଲ ଉଜୁଡ଼ିଯାଇଛି। ମିରଗିନାଣ୍ଡି ପଞ୍ଚାୟତରେ ୨୧୦, ରୁଡ଼ଙ୍ଗରେ ୫୦, ବଡ଼ଗାଁରେ ୨୦, ଚିତ୍ରପୋଷିରେ ୨୦ ଏବଂ ବାଟପଳସା ପଞ୍ଚାୟତରେ ୧୦ ହେକ୍ଟର ଜମିରେ ବୁଟ ଚାଷ କରାଯାଇଥିବା କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କରଞ୍ଜିଆ ବ୍ଲକ୍‌ର ପ୍ରାୟ ୧୫୮ ଜଣ ଚାଷୀ ସରକାରୀ ସହାୟତାରେ ୧୫୦ ହେକ୍ଟର ଜମିରେ ଏହି ଚାଷ କରିଥିଲେ।

ଏହାଛଡ଼ା ନିଜସ୍ବ ଖର୍ଚ୍ଚରେ କିଛି ଚାଷୀ ୩୧୦ ହେକ୍ଟର ଜମିରେ ବୁଟ ଚାଷ କରିଥିଲେ। ସରକାରଙ୍କ ଯୋଜନା ଅନୁସାରେ, ଗୋଟିଏ ହେକ୍ଟର ଜମିରେ ପ୍ରାୟ ୪୦ କେଜି ମଞ୍ଜି ଲାଗିଥାଏ। ହିତାଧିକାରୀଙ୍କ ନିକଟରୁ ହେକ୍ଟର ପିଛା ୫ କେଜି ମୂଲ୍ୟର ମଞ୍ଜି କ୍ରୟ ମୂଲ୍ୟ ୮୦୦ ଟଙ୍କା ନେଇ ୪୦ କେଜି ମଞ୍ଜି ପ୍ୟାକେଟ ଯୋଗାଇ ଦିଆଯାଇଥାଏ। ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ସରକାର ହିତାଧିକାରୀଙ୍କ ଖର୍ଚ୍ଚ ହୋଇଥିବା ପ୍ରାୟ ୪୭୦୦ ଟଙ୍କା ସେମାନଙ୍କ ପାସ୍ ବୁକ୍‌କୁ ପଠାଇବାର ବ୍ୟବସ୍ଥା ରହିଛି ବୋଲି ସହକାରୀ କୃଷି ଅଧିକାରୀ ଧରିତ୍ରୀ ଟୁଡୁ ପ୍ରକାଶ କରିଛନ୍ତି।

ଚାଷୀ ଋଣ ନେଇ ଏହି ଟଙ୍କା ବିନିଯୋଗ କରି ଚାଷ କରିଥାନ୍ତି। ଅମଳ ସମୟ ଜାଗର ଅମାବାସ୍ୟାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ଏଥର ଅସମୟରେ ବର୍ଷା ଓ କୁହୁଡ଼ି ଯୋଗୁ ଯେତେ ପରିମାଣରେ ଫଳ ହେବା କଥା, ତାହା ହେଲାନି। ଯେଉଁ ବିଡ଼ା ଗୋଟିଏ ଗଛ ଦ୍ୱାରା ହୋଇଥାଏ, ତାହା ୩-୪ଟି ଗଛ ମିଶିଲା ପରେ ହେଲା। ତେଣୁ ଚାଷୀ କ୍ଷତିରେ ପଡ଼ିଲେ। ସରକାରୀ ସାହାଯ୍ୟ କେବଳ କିଛି ମଞ୍ଜି, ଔଷଧ ଏବଂ ଅଣୁସାର ମଧ୍ୟରେ ସୀମିତ ରହିଲା। ଚାଷ ପାଇଁ ସମବାୟ ସମିତି, ବ୍ୟାଙ୍କ ଓ ଧାରସୂତ୍ରରେ ଟଙ୍କା ଆଣିଥିଲେ ଚାଷୀ। ବର୍ତ୍ତମାନ ଋଣ ଶୁଝିବା କଷ୍ଟକର ବୋଲି କହିଛନ୍ତି ବିଷପୁର ଗାଁର ଚା‌ଷୀ ଭାର୍ଗବୀ ମହାନ୍ତ, ରାଣୀପାଟ ଗାଁର ଟିକାୟତ ପାତ୍ର ଓ ପାହାଡ଼ମଡ଼କ ଗାଁର ଝନକ ମହାନ୍ତ।

ସମ୍ବନ୍ଧିତ ଖବର