ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ପୋଲିସ ବାବୁଙ୍କୁ ପାଠ ପଢ଼ାଇଲେ ଫାଇଭ୍-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଫାଇଭ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ପ୍ରଶାସନକୁ  ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ‘ଟି’ ସଚିବ ଭି କାର୍ତିକେୟନ୍ ପାଣ୍ଡିୟାନ୍ ସାମନାକୁ ଆସିଛନ୍ତି, ଆଉ ପୁଲିସବାବୁଙ୍କୁ ପାଠ ପଢ଼ାଇଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଭି. କାର୍ତିକେୟନ ପାଣ୍ଡିୟାନ୍ ଫାଇଭ-ଟିର ପାଠ ପାଇଛନ୍ତି । ମୋ ସରକାର କାର୍ଯ୍ୟକ୍ରମ କ’ଣ, ଫାଇଭ୍‌ ଟି କ’ଣ, ଏସବୁ ପ୍ରାଞ୍ଜଳ ଭାବେ ଫାଇଭ୍‌ ଟି ସଚିବ ବୁଝାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସପିଟାଲରେ ଲୋକେ କିପରି ସେବା ପାଉଛନ୍ତି, ସେ ନେଇ ଅନୁଧ୍ୟାନ କରାଯିବ। ତେବେ କାହିଁକି ଥାନା ଓ ହସ୍ପିଟାଲକୁ ସରକାର ପ୍ରାଥମିକତା ଦିଆଯାଇଛି, ସେ ବାବଦରେ ପାଣ୍ଡିୟାନ୍ ସ୍ପଷ୍ଟ କରିଛନ୍ତି।

କିପରି ଥାନାରେ ଫାଇଭ-ଟି କାର୍ଯ୍ୟକାରୀ ହେବ, ତା’ର ସଂପୂର୍ଣ୍ଣ ରୂପରେଖ ପାଣ୍ଡିଆନ୍‌ ପୁଲିସ ବାବୁଙ୍କୁ ଜଣାଇଛନ୍ତି । ଏହା ସହ କହିଛନ୍ତି, ଭଲ କାମ କଲେ, ଲୋକଙ୍କ ପ୍ରତିକ୍ରିୟା ଭଲ ରହିଲେ ହେବ ପଦୋନ୍ନତି, କାର୍ଯ୍ୟରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ । ପୁଲିସ ବାବୁଙ୍କୁ ଫାଇଭ ଟି ପାଠ ପଢ଼ାଇବା ସହ ବିଭିନ୍ନ ଜିଲ୍ଲାର ଏସପି ଓ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ସହ ଭିଡିଓ କନଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଲୋଚନା କରିଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ‘ଟି’ ସଚିବ ଭି କାର୍ତିକେୟନ ପାଣ୍ଡିୟାନଙ୍କ ଏପରି ମୁଦ୍ରାରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର