ଲଗାଣ ବର୍ଷା କାଳ ହେଲା : ବାରିପଦା ସହରରେ ପଶିଲା ପାଣି, ଭାଙ୍ଗିଲା ଘର, ଜିଲ୍ଲାସାରା ଅସ୍ତବ୍ୟସ୍ତ ଜନଜୀବନ

ଧରା ପଡ଼ିଗଲା ପୌରପରିଷଦର ଅସଲ ଚିତ୍ର
ପ୍ରସ୍ତୁତ ନଥିଲା ପ୍ରଶାସନ
ଫୁଲୁଛି ବୁଢ଼ାବଳଙ୍ଗ

ବାରିପଦା : ଦିନତମାମ ତୁହାକୁ ତୁହା ବର୍ଷା ହେଉଥିଲା। ମାତ୍ର ବର୍ଷାର ପରିମାଣ ସେମିତି ଖାସ୍ ନଥିଲା। ତେଣୁ ନା ପ୍ରଶାସନ ନା ବିଭାଗୀୟ ଅଧିକାରୀ କେହି ମଧ୍ୟ ଆଶା କରିନଥିଲେ ଜିଲ୍ଲାସଦରମହକୁମା ବାରିପଦା ସହର ମଧ୍ୟକୁ ପାଣି ପଶିଯିବ ବୋଲି। ଗତକାଲି ବିଳମ୍ବିତ ରାତିରୁ କିନ୍ତୁ ଆରମ୍ଭ ହୋଇଥିଲା ମୁଷଳ ଧାରାରେ ବର୍ଷା। ଏହାସାଙ୍ଗକୁ ବାଦଲଫଟା ଘଡ଼ଘଡ଼ି। ରାତି ପ୍ରାୟ ଅଢ଼େଇଟା ବେଳକୁ ବାରିପଦା ସହର ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିଲା। ରାତିରେ ଖାଇପିଇ ଶୋଇଥିବା ସହରବାସୀଙ୍କ ଘର ଭିତରକୁ ପାଣି ପଶିବା ଆରମ୍ଭ କରିଥିଲା।

ଲଗାଣ ବର୍ଷା ଫଳରେ ଫୁଲିଥିଲା ବୁଢ଼ାବଳଙ୍ଗ। ଏହାଫଳରେ ନଦୀକୁ ଲାଗିଥିବା ୱାର୍ଡ ନଂ-୭ ସମେତ ୱାର୍ଡ ନଂ-୯, ୧୦, ୧୪, ୧୭, ୨୦ ଆଦି ଅଞ୍ଚଳରେ ପାଣି ପଶିବା ସହିତ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଏଭଳି ସ୍ଥିତି ଆସିବା ନେଇ ପ୍ରସ୍ତୁତ ନଥିବା ପ୍ରଶାସନ ଓ ପୌଶରପରିଷଦ ଅଧିକାରୀମାନେ ସଜାଗ ହୋଇଉଠିଥିଲେ। ବର୍ଷା ପାଣି ପଶିଥିବା ଅଞ୍ଚଳ ପରିଦର୍ଶନ କରିବା ସହିତ ପୁନରୁଦ୍ଧାର କାମରେ ଲାଗିପଡ଼ିଥିଲେ। ତେବେ ଏହି ବନ୍ୟା କିନ୍ତୁ ବାରିପଦା ପୌରପ୍ରଶାସନର ଅସଲ ମୁଖା ଖୋଲିଦେଇଛି। ବର୍ଷା ପୂର୍ବରୁ ଡ୍ରେନ୍ ସଫା ନକରିବା ଏବଂ ଲଗାଣ ବର୍ଷାନେଇ ସତର୍କ ସୂଚନା ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବା ବାରିପଦାବାସୀଙ୍କ ପାଇଁ ଭାରି ପଡ଼ିଛି।

ଲଗାଣ ବର୍ଷା ଫଳରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଛି। କଚ୍ଚା ଓ ମାଟି ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ୱାର୍ଡ ନଂ-୭ ଅଞ୍ଚଳରେ ଘରେ ପାଣି ପଶିବାରୁ ଲୋକମାନେ ରାସ୍ତା ଉପରେ ଆସି ଆଶ୍ରୟ ନେଇଛନ୍ତି। ଉକ୍ତ ଅଞ୍ଚଳରେ ଥିବା ଏକ ଭଙ୍ଗା କୋଠାଘରର ଏକ ବଡ଼ ଅଂଶ ମଧ୍ୟ ବର୍ଷା ପାଣି ଖାଇ ଭାଙ୍ଗିଯାଇଛି। ଏନେଇ କୌଣସି ଧନଜୀବନ ହାନୀ ହୋଇନଥିଲେ ମଧ୍ୟ ଏକ ବଡ଼ଧରଣର ବିପଦରୁ ବର୍ତ୍ତିଯାଇଛି। ଜିଲ୍ଲାର ଉଣାଅଧିକେ ସବୁ ବ୍ଲକ୍‌ରେ ବର୍ଷା ହୋଇଛି। ତେବେ ବାରିପଦା ପୌରପରିଷଦରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଠାଯାଇଛି। ରାସଗୋବିନ୍ଦପୁର, ବେତନଟୀ, ବାରିପଦା, ଶ୍ୟାମାଖୁଣ୍ଟା, ବାଙ୍ଗିରିପୋଷି, ବଡ଼ସାହି, ମୋରଡ଼ା, ଠାକୁରମୁଣ୍ଡା ଆଦି ବ୍ଳକ୍ରେ କ୍ଷୟକ୍ଷତିର ପରିମାଣ ଅଧିକ ହୋଇଥିବା ଜଣାପଡ଼ିଛି।

ଜିଲ୍ଲାରେ ଏଯାବତ ମିଳିଥିବା ରିପୋର୍ଟ ଅନୁସାରେ ଅଢ଼େଇଶହରୁ ୩ଶହ କଚ୍ଚା ପକ୍କା ଘର ଭାଙ୍ଗିଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି କହିଛନ୍ତି। ମାତ୍ର ଏହି ସଂଖ୍ୟା ଆହୁରି ଅଧିକ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବର୍ଷା ଲାଗିରହିଥିବାରୁ ପ୍ରଶାସନ ପାଇଁ ଆଗକୁ ଆହୁରି ଅଧିକ ଚ୍ୟାଲେଞ୍ଜ୍ ରହିଛି।

ସମ୍ବନ୍ଧିତ ଖବର