ଦୁଃଖ ମୋଚନ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଅତି ଚାପଗ୍ରସ୍ତ ହୋଇ ତା ଗୁରୁଙ୍କୁ କହିଲା- ମୋ ଦୁଃଖ ‌ମୋଚନ କର।

ଗୁରୁ କହିଲେ- ତୋ ଦୁଃଖ କ’ଣ?

ଲୋକଟି କହିଲା- ମୋର ଆୟ ବହୁତ କମ୍‌। ସେଥିରେ ମୋର ପାଞ୍ଚ ପ୍ରାଣୀର କୁଟୁମ୍ବ। ଏଡ଼ିକି ବକଟେ ଘର ଯେ ହଲିବା ଲାଗି ବି ଜାଗା ନାହିଁ। କରିବି କ’ଣ?

ଗୁରୁ କହିଲେ- ହଉ ତୁ ସବୁ କହିଲୁ। ଏବେ ମୋ କଥା ଶୁଣ। ମୋର ପାଞ୍ଚ ଜଣ ଚେଲା ଆଶ୍ରମ ବାହାରେ ରହି ଚଳିବା ଶିଖିବେ। ମୁଁ ସ୍ଥିର କରିଛି ଯେ ସେମାନେ ତୋ ଘରେ ରହିବେ। ତୁ ସେମାନଙ୍କ କଥା ବୁଝିବୁ।

ଏହା ଶୁଣି ସେ ଲୋକର ମୁଣ୍ତରେ ବଜ୍ର ପଡ଼ିଲା। ନିଜକୁ ଧିକ୍କାରି ସେ କହିଲା- ମଣିଷ ମହରଗରୁ ଆସି କାନ୍ତାରରେ ପଡ଼ିଲା।

ସେ ଚିନ୍ତାଗ୍ରସ୍ତ ହୋଇ ଘରକୁ ଫେରିଲା। କିନ୍ତୁ ସେ ପହଞ୍ଚିଛି କି ନାହିଁ ତା ପାଞ୍ଚ ଜଣ ଯାକ ଚେଲା ହାଜର।

ତା’ ପରେ ସେ ଲୋକର ଅବସ୍ଥା କ’ଣ ହେଲା ତାହା ନ କହିବା ଭଲ। କେବଳ ଚେଲାମାନଙ୍କ ଉପସ୍ଥିତି ନୁହେଁ, ସେମାନଙ୍କ ଉତ୍ପାତ ତା’ ଲାଗି ଅସହ୍ୟ ହୋଇଗଲା। କିଛି ଦିନ ପରେ ଲାଗିଲା ଯେମିତି ସେ ପାଗଳ ହୋଇଯିବ ବା ଆତ୍ମହତ୍ୟା କରିଦେବ। ଠିକ୍‌ ଏଇ ସମୟରେ ଗୁରୁଙ୍କ ଆଜ୍ଞା ପହଞ୍ଚିଲା ଏବ˚ ଚେଲାମାନେ ଆଶ୍ରମ ଯିବାକୁ ବାହାରିଲେ।

ଏବେ ଲୋକଟିର ଖୁସି କହିଲେ ନସରେ। ସେ ସ୍ବସ୍ତିରେ ନିଃଶ୍ବାସ ମାରିଲା। ଏବେ ତା’ ଘର, ତାର ପରିବେଶ ସବୁ କିଛି ଅମୃତମୟ ଲାଗିଲା। ସେ ବୁଝି ପାରିଲା ଯେ ଯାହା ତାହା ପାଖରେ ଅଛି ତାହା ଆନନ୍ଦ ଦେବାକୁ ଯଥେଷ୍ଟ। କାରଣ ଅବସ୍ଥା ଆହୁରି ଖରାପ ହୋଇଯାଇପାରେ। ତାର ଦୁଃଖର ଅନ୍ତ ହେଲା।

ସମ୍ବନ୍ଧିତ ଖବର