ଦେଖିଲା ପରେ… ବିସ୍ମୃତ କିଂବଦନ୍ତିଙ୍କୁ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି

ବସନ୍ତରାଜ ସାହୁ

ବିସ୍ମୃତ ଫୁଟ୍‌ବଲ୍‌ କୋଚ୍‌ ସୈୟଦ ଅବଦୁଲ ରହିମଙ୍କ ନେତୃତ୍ବରେ ଭାରତୀୟ ଫୁଟ୍‌ବଲ୍‌ର ଏକ ଦଶନ୍ଧିବ୍ୟାପୀ ସ୍ବର୍ଣ୍ଣିମ କାଳଖଣ୍ଡ ହେଉଛି ‘ମଇଦାନ’ର କଥାବସ୍ତୁ। ରହିମଙ୍କ ପାଇଁ ପୃଥିବୀର ଫୁଟ୍‌ବଲ୍‌ ମାନଚିତ୍ରରେ ଭାରତ ଏକଦା ଉଦୀୟମାନ ଦଳ ପାଲଟିଥିଲା। ଏହା ଏକ ବାସ୍ତବ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ବୋଲି ଜାଣିଥିବା ଦର୍ଶକ ମଧ୍ୟ ଏହାକୁ ‘ଚକ୍‌ ଦେ ଇଣ୍ଡିଆ’ ପରି କାଳ୍ପନିକ ସିନେମାଠାରୁ କମ୍ ରୋମାଞ୍ଚକର ମନେ କରିବେ ନାହିଁ। ଏହି ସିେନମାର କାହାଣୀ ଏତେ ଉତ୍‌ଥାନ ପତନମୟ ଯେ ଗୋଟିଏ ସମୟରେ ମନେହୁଏ କାହାଣୀକୁ ଚିତ୍ତାକର୍ଷକ କରିବା ଲାଗି ବୋଧହୁଏ ମନଗଢ଼ା କାହାଣୀ ଯୋଡ଼ାଯାଇଛି। କିନ୍ତୁ ଏସବୁ ଯେ ଇତିହାସର ବାସ୍ତବ ଅବତାରଣା ତାହାକୁ ଗ୍ରହଣ କରିବା ପାଇଁ ମାର୍କ ଟ୍ବେନ୍‌ଙ୍କ ପ୍ରସିଦ୍ଧ ଉକ୍ତି: ‘ବାସ୍ତବତା କାଳ୍ପନିକ କାହାଣୀଠାରୁ ଅଧିକ ବିଚିତ୍ର’ ମନେ ପକାଇବାକୁ ପଡ଼େ। ‘ଚକ୍‌ ଦେ ଇଣ୍ଡିଆ’, ‘ଭାଗ୍‌ ମିଲଖା ଭାଗ୍‌’, ‘ଦଙ୍ଗଲ’ ଭଳି ସିନେମାର ସଫଳତା ଯୋଗୁଁ ଏହି ବିଭାଗଟି ନିର୍ମାତାମାନଙ୍କ ଲାଗି ଲୋଭନୀୟ ପାଲଟିଯାଇଛି। ସେହି କ୍ରମରେ କ୍ରୀଡ଼ାକୁ ନେଇ ଅନେକ ସିନେମା ନିର୍ମିତ ହୋଇଛି, କିନ୍ତୁ ସେଥିରୁ ଖୁବ୍ କମ୍ ସିେନମା ସଂପୃକ୍ତ କ୍ରୀଡ଼ାବିତ୍‌, କାହାଣୀ ଅଥବା କ୍ରୀଡ଼ାକୁ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି। ସେହି ଭିଡ଼ ଭିତରୁ ‘ମଇଦାନ’ ଏକ ଉଦାହରଣୀୟ କ୍ରୀଡ଼ା ସିେନମା ଭାବେ ଉଭା ହୋଇଛି।

‘ମଇଦାନ’ର କାହାଣୀ ଆରମ୍ଭ ହୁଏ ୧୯୫୨ ମସିହାରୁ। ଭାରତର ଫୁଟ୍‌ବଲ୍‌ ଦଳ ଅଲିମ୍ପିକ୍‌ର ପ୍ରଥମ ରାଉଣ୍ଡ୍‌ରେ ୧-୧୦ ଗୋଲ୍‌ରେ ପରାସ୍ତ ହେବା ପରେ କୋଚ୍‌ ରହିମ (ଅଜୟ ଦେବଗନ) ଦଳର ଖେଳାଳି ବାଛିବାର ଦାୟିତ୍ବ ନିଜ ହାତକୁ ନିଅନ୍ତି। ତାଙ୍କ ନୂଆ ଦଳ ୧୯୫୬ର ଅଲିମ୍ପିକ୍‌ରେ ପ୍ରଥମ ଏସୀୟ ଦେଶ ଭାବେ ସେମିଫାଇନାଲ୍‌ରେ ପହଞ୍ଚିବାର ରେକର୍ଡ କରେ। ଏହି ସଫଳତା ସତ୍ତ୍ବେ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ କ୍ଷମତା ଲଢ଼େଇ ଯୋଗୁଁ ରହିମଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼େ। ୧୯୬୦ ଅଲିମ୍ପିକ୍‌ସରେ ଭାରତ ଶକ୍ତିଶାଳୀ ଦଳମାନଙ୍କ ଠାରୁ ସମ୍ମାନଜନକ ପରାଜୟ ସହ କ୍ରୀଡ଼ାରୁ ବାହାରି ଆସେ। ଏହା ପରେ ରହିମଙ୍କୁ ଜାତୀୟ କୋଚ୍‌ ପଦରୁ ବହିଷ୍କାର କରାଯାଏ। ପ୍ରଚୁର ଧୂମପାନରେ ଅଭ୍ୟସ୍ତ ରହିମ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୁଅନ୍ତି। ହତାଶ ଜର୍ଜର ହୋଇ ମରିଯିବା ଅପେକ୍ଷା ମଇଦାନରେ ନିଜ ଲକ୍ଷ୍ୟ ହାସଲର ପ୍ରୟାସରେ ମଗ୍ନ ରହିବା ଲାଗି ପତ୍ନୀଙ୍କ ଉପଦେଶକ୍ରମେ ସେ ୧୯୬୨ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବା ଆରମ୍ଭ କରନ୍ତି। ଭାରତ ସ୍ବର୍ଣ୍ଣ ପଦକ ଜିଣିବା ସହିତ ସିନେମାଟି ଶେଷ ହୁଏ। ତା’ ପର ବର୍ଷ ହିଁ ରହିମ ଶେଷ ନିଃଶ୍ବାସ ତ୍ୟାଗ କରନ୍ତି।

ଏହା ଅମିତ ଶର୍ମାଙ୍କ ଏକ ‘ମାଷ୍ଟର୍‌ପିସ୍‌’। ସେ ୧୯୫୦ ଦଶକର କୋଲକାତାର ସୌନ୍ଦର୍ଯ୍ୟକୁ ଜଣେ କଳକାର ଦୃଷ୍ଟିରୁ ପରିକଳ୍ପନା କରିଛନ୍ତି। ଖେଳ ଦୃଶ୍ୟଗୁଡ଼ିକର ଚିତ୍ରୋ‌େତ୍ତାଳନ କରିଛନ୍ତି ରୁଷିଆର ସୁଦକ୍ଷ ସିନେମାଟୋଗ୍ରାଫର୍‌ ଫିଓଦର ଲ୍ୟାସ୍‌, ଯେଉଁ କାରଣରୁ ଖେଳ ପଡ଼ିଆ ଭିତର ଦୃଶ୍ୟଗୁଡ଼ିକ ମନରେ ଆକ୍ସନ ସିନେମା ଦେଖିବା ଭଳି ଉତ୍କଣ୍ଠା ଉଦ୍ରେକ କରିଥାଏ। ପ୍ରତିଟି ଦୃଶ୍ୟର ସୌନ୍ଦର୍ଯ୍ୟ ଓ ଆବେଗକୁ ଏ. ଆର୍‌. ରେହମାନଙ୍କ ପ୍ରଚ୍ଛଦ ସଂଗୀତ ଏକ ବିରଳ ସ୍ତରରୁ ଉନ୍ନୀତ କରିଛି। ପ୍ରଚ୍ଛଦ ସଂଗୀତର ଆବେଦନ କେତେ ଯାଦୁକରୀ ହୋଇପାରେ ତାହା ଜାଣିବା ପାଇଁ ପ୍ରେକ୍ଷାଳୟରେ ଏହି ସିନେମା ନିଶ୍ଚୟ ଦେଖିବା ଉଚିତ। ରହିମଙ୍କ ପରି ତାଙ୍କ ବାୟୋପିକ୍ ନିର୍ମାତାମାନଙ୍କ ଧୈର୍ଯ୍ୟର ମଧ୍ୟ ପରୀକ୍ଷା ହୋଇଛି। କୋଭିଡ୍‌ ମହାମାରୀ ଓ ମୁମ୍ବାଇ ବାତ୍ୟା ଯୋଗୁଁ ତିନିଘଣ୍ଟିଆ ‘ମଇଦାନ’ର ନିର୍ମାଣରେ ପାଞ୍ଚ ବର୍ଷର ବିଳମ୍ବ ହୋଇଥିଲା। ଭାରତୀୟ ଫୁଟ୍‌ବଲ୍‌ ଦଳକୁ ‘ଏସିଆର ବ୍ରାଜିଲ୍’ ଉପନାମ ପ୍ରଦାନ କରିଥିବା ଏହି କିଂବଦନ୍ତିଙ୍କ ସହିତ ଭାରତର ସବୁଠାରୁ ସଫଳ ଫୁଟ୍‌ବଲ୍‌ ଖେଳାଳିମାନଙ୍କୁ ଏହି ସିନେମା ଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। କୁହାଯାଏ, ୬୦ ବର୍ଷ ତଳେ ଫୁଟ୍‌ବଲ୍‌ ଖେଳ ରହିମଙ୍କ ସହିତ ସମାଧି ନେଇଯାଇଥିଲା। ଆଶା, ତାଙ୍କର ଏ କାହାଣୀ, ତାଙ୍କ ରେକର୍ଡ ଭାଙ୍ଗିବା ଭଳି କ୍ରୀଡ଼ାବିତ୍‌ଙ୍କୁ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର