ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ଅକ୍ଟୋବର ୧୧ ତାରିଖ ସାଢେ ୧୦ଟାରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଆଦେଶ ଉଦ୍ଦେଶ୍ୟମୂଳକ ଭାବେ ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ କଣ୍ଟେମ୍ପ୍ଟ ଅଫ୍ କୋର୍ଟସ୍ ଆଇନ ଅନୁସାରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରା ନ ଯିବ ସେ ନେଇ ହାଜର ହୋଇ କାରଣ ଦର୍ଶାଇବାକୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିସନ ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର ଓ ଅନ୍ୟ ଦୁଇ ଜଣଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ତରଫରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଆଜି ଅସନ୍ତୋଷବ୍ୟକ୍ତ କରିଥିଲେ। ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ୨୦୨୩, ଅଗଷ୍ଟ ୨୨ର ନିର୍ଦ୍ଦେଶ ପାଳନ କରାଯାଇଛି। ଅକ୍ଟୋବର ୭ର ବିଭାଗୀୟ ନିର୍ଦ୍ଦେଶନାମା ସତ୍ୟପାଠ ସହିତ ସଂଲଗ୍ନ କରାଯାଇଥିଲା। ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା ଯେ ଓଡ଼ିଶା ଖାଉଟି ସୁରକ୍ଷା ନିୟମାବଳୀ, ୨୦୨୦ର ନିୟମ-୮ ଅନୁସାରେ ଅନ୍ୟାଦେଶ ପର୍ଯ୍ୟନ୍ତ ବା ନିୟମିତ ସଭାପତିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଡକ୍ଟର ପ୍ରମୋଦ କୁମାର ପୃଷ୍ଟିଙ୍କୁ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିସନ ସଭାପତି ଭାବେ ଦାୟିତ୍ବ ନିର୍ବାହ ପାଇଁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଡକ୍ଟର ପି.କେ. ପୃଷ୍ଟି ରାଜ୍ୟ କମିସନର ବରିଷ୍ଠତମ ସଦସ୍ୟ ନୁହନ୍ତି। ନିୟମ-୮ ଅନୁସାରେ କମିସନର ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଭାବେ ଦାୟିତ୍ବ ନିର୍ବାହ ପାଇଁ ଅନୁମତି ଦିଆଯିବା କଥା। ରାଜ୍ୟ କମିସନରେ ସଦସ୍ୟଙ୍କ ନିଯୁକ୍ତି ପାଇଁ ପ୍ରସ୍ତୁତ ମେଧା ତାଲିକାରେ ଦିଲ୍ଲୀପ କୁମାର ମହାପାତ୍ର ପ୍ରଥମ ସ୍ଥାନରେ ରହିଥିବା ବେଳେ ଡକ୍ଟର ପି.କେ.ପୃଷ୍ଟି ଦ୍ବିତୀୟ ସ୍ଥାନରେ ଥିଲେ। ସେତେବେଳେ ଚୟନ କମିଟିର ସଦସ୍ୟ ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ସଚିବ ମଧ୍ୟ ଥିଲେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ତେଣୁ କିଏ ବରିଷ୍ଠତମ ସଦସ୍ୟ ସେ ନେଇ ସଚିବ ଅବଗତ ଅଛନ୍ତି। ସତ୍ୟପାଠ ସହିତ ସଂଲଗ୍ନ ୨୦୨୩, ଆକ୍ଟୋବର ୭ର ନିର୍ଦ୍ଦେଶନାମା ଓଡ଼ିଶା ଖାଉଟି ସୁରକ୍ଷା ନିୟମାବଳୀ, ୨୦୨୦ର ନିୟମ-୮ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ଉପଭୋକ୍ତା କମିସନଙ୍କ କାର୍ଯ୍ୟରେ ଖାଉଟି କଲ୍ୟାଣ ବିଭାଗ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା। ଖାଉଟି ସୁରକ୍ଷା ନିୟମାବଳୀ, ୨୦୨୦ ଅନୁସାରେ ଯଦି କମିସନ ସଭାପତି ଅବସର ଗ୍ରହଣ କରନ୍ତି ତେବେ ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଭା‌ବେ ଦାୟିତ୍ବ ନିର୍ବାହ ପାଇଁ କ୍ଷମତା ପ୍ରଦାନ କରାଯିବା କଥା। କିନ୍ତୁ ଜୁଲାଇ ୨ରୁ ରାଜ୍ୟ କମିସନ ସଭାପତି ଅବସର ଗ୍ରହଣ କରିଥିଲେ ମଧ୍ୟ ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଭାବେ ଦାୟିତ୍ବ ନିର୍ବାହ କରିବାକୁ ଦିଆଯାଉ ନାହିଁ ବୋଲି ଦର୍ଶାଇ ହାଇକୋର୍ଟରେ ଅଗଷ୍ଟ ୧୪ରେ ମାମଲା ଦାୟର ହୋଇଥିଲା। ରାଜ୍ୟ ଉପଭୋକ୍ତା କମିସନ ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର, ପ୍ରମୋଦ କୁମାର ପୃଷ୍ଟି ଓ ହେମନ୍ତ କୁମାର ମହାନ୍ତି ଏହି ମାମଲା ଦାୟର କରିଥିଲେ। ସ୍ଥାୟୀ ସଭାପତି ନିଯୁକ୍ତ ‌ହେବା ପର୍ଯ୍ୟନ୍ତ ରାଜ୍ୟ କମିସନର ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଭାବେ ଦାୟିତ୍ବ ନିର୍ବାହ ପାଇଁ ରାଜ୍ୟ ଖାଦ୍ୟ ଯୋଗଣ, ଖାଉଟି କଲ୍ୟାଣ ବିଭାଗ ଅନୁମତି ଦେବ ବୋଲି ହାଇକୋର୍ଟ ଅଗଷ୍ଟ ୨୨ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା। ଏହାପରେ ଅଗଷ୍ଟ ୨୨ର ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ କରି ଉପରୋକ୍ତ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ବିରଜା ପ୍ରସନ୍ନ ବଳ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର