୭ରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍‌ରେ ମାମଲା ଶୁଣାଣି

କଟକ : ହାଇକୋର୍ଟରେ ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ୍‌ରେ ମାମଲା ଶୁଣାଣି ହେବ। ଫେବ୍ରୁଆରି ୭ରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍‌ରେ ମାମଲା ଶୁଣାଣି ପୁଣି ଆରମ୍ଭ ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ ଚାଲିବ। ରାଜ୍ୟ ସରକାରଙ୍କ ତରଫରୁ ଜାନୁଆରି ୫ ଓ ୩୧ ତାରିଖରେ ଜାରି କରାଯାଇଥିବା କରୋନା କଟକଣା ସଂପର୍କିତ ବିଜ୍ଞପ୍ତିକୁ ବିଚାରକୁ ନିଆଯାଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କରୋନା ସଂକ୍ରମିତ ଓ ଓମିକ୍ରନ ମାମଲାର ସଂଖ୍ୟାରେ ବୃଦ୍ଧି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଜାନୁଆରି ୭ରେ ନିର୍ଦ୍ଦେଶନାମା ଜାରି କରାଯାଇ କେବଳ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ହେବ ବୋଲି ସ୍ପଷ୍ଟ କରାଯାଇଥିଲା। ଜାନୁଆରି ୧୦ରୁ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ସମସ୍ତ ଖଣ୍ଡପୀଠରେ କେବଳ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମା‌ମଲା ଶୁଣାଣି ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର