ଆଶଙ୍କାରେ ମହେଶଙ୍କ ରାଜନୈତିକ ଭବିଷ୍ୟତ: ସମର୍ଥକଙ୍କ ମତ ହିନ୍ଦୋଳରୁ ପ୍ରାର୍ଥୀ ହେବେ

ବିଧାୟିକା ସୀମାରାଣୀଙ୍କ ପ୍ରାର୍ଥିତ୍ବ ଉପରେ ନଜର

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଯୁବ ଚେହେରାକୁ ସାମ୍‌ନାକୁ ଆଣିଛି। ଏଣୁ ମହେଶଙ୍କ ରାଜନୈତିକ କ୍ୟାରିୟର୍‌ ନେଇ ପୁଣି ଆଶଙ୍କା ପ୍ରକାଶ ପାଇଛି। ଆଗରୁ ୩ ଥର ବିଧାୟକ ଥିବା ଏହି ବରିଷ୍ଠ ନେତାଙ୍କୁ କୌଣସି ଏକ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରାଯାଇପାରେ ବୋଲି ତାଙ୍କ ସମର୍ଥକ କହୁଛନ୍ତି। ତେବେ ଦଳ ଏଥିନେଇ କୌଣସି ସଙ୍କେତ ଦେଇ ନ ଥିଲାବେଳେ କେଉଁ ବିଧାୟକଙ୍କ ଟିକେଟ କାଟି ମହେଶଙ୍କୁ ପ୍ରାର୍ଥୀ କରିବ, ତା’ ଏବେ ଚର୍ଚ୍ଚ‌ାର ପ୍ରସଙ୍ଗ ପାଲଟିଛି।

କୁହାଯାଉଛି, ସାଂସଦ ଭାବେ ନିର୍ବାଚିତ ହେବାପରେ ମହେଶଙ୍କର ଅଧିକାଂଶ ବିଧାୟକଙ୍କ ସହ ଭଲ ସଂପର୍କ ନ ଥିଲା। ଏପରିକି ସାଂସଦ ଗୋଷ୍ଠୀ ଓ ବିଧାୟକ ଗୋଷ୍ଠୀଙ୍କ ଭିତରେ ବିବାଦ ଜୋର୍‌ ଧରିଥିଲା। ତେଣୁ ସେ ଟିକେଟ ପାଇବେ କି ନାହିଁ, ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଥିଲା। ଶେଷରେ ଦଳ ମହେଶଙ୍କୁ ବାଦ୍‌ଦେଇ ଯୁବନେତା ଅବିନାଶ ସାମଲଙ୍କୁ ଟିକେଟ ଦେଇଛି। ଏବେ ମହେଶ କ’ଣ କରିବେ ତା’କୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ତାଙ୍କ ସମର୍ଥକଙ୍କ କହିବାନୁସାରେ, ହିନ୍ଦୋଳ (ସଂରକ୍ଷିତ) ଆସନରୁ ତାଙ୍କୁ ବିଧାନସଭା ଟିକେଟ ମିଳିବାର ସମ୍ଭାବନା ରହିଛି। କିଛିମାସ ଆଗରୁ ମହେଶ ହିନ୍ଦୋଳ ନିର୍ବାଚନମଣ୍ଡଳୀକୁ ଅଧିକ ଗୁରୁତ୍ବ ଦେଉଥିଲାବେଳେ ଏଠାରେ ସାଂଗଠନିକ କାର୍ଯ୍ୟକ୍ରମ ଚଳାଇ ଆସୁଥିଲେ। ଏପଟେ ଢେଙ୍କାନାଳ ଜିଲ୍ଲାର ଏହି ନିର୍ବାଚନମଣ୍ଡଳୀକୁ ଛାଡ଼ି ବାକି ୩ଟି ଆସନରେ ବିଧାୟକମାନଙ୍କୁ ପୁଣି ଟିକେଟ ମିଳିଛି। ହିନ୍ଦୋଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନଥିବାରୁ ଏହା ମହେଶଙ୍କ ପାଇଁ ସୁ‌ଯୋଗ ସୃଷ୍ଟି କରିଛି ସତ, ତେବେ ଦଳ ବିଧାୟକ ସୀମାରାଣୀ ନାଏକଙ୍କୁ ଟିକେଟ ଦେବାନଦେବା ଉପରେ ସବୁକିଛି ନିର୍ଭର କରୁଛି।

ସମ୍ବନ୍ଧିତ ଖବର