ମୟୂରଭଞ୍ଜ ଲୋକସଭା ଆସନ: କ୍ଷମତା ପାଇଁ ଦୁଇବନ୍ଧୁ ମୁହାଁମୁହିଁ

କୁଳିଅଣା: ମୟୂରଭଞ୍ଜ ଲୋକସଭା ଆସନରେ ଏଥର ଦୁଇ ପୁରୁଣା ବନ୍ଧୁଙ୍କ ମଧ୍ୟରେ ଲଢ଼େଇ ହେବ। ଏକଦା ଗୋଟିଏ ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ରାଇରଙ୍ଗପୁରର ବିଜେପି ବିଧାୟକ ନବଚରଣ ମାଝୀ ଓ ବାଙ୍ଗିରିପୋଷିର ବିଜେଡି ବିଧାୟକ ସୁଦାମ ମାରାଣ୍ଡି ଏଥର ପରସ୍ପର ପ୍ରତିଦ୍ବନ୍ଦ୍ବୀ। ସୁତରାଂ ଏହି ଲଢ଼େଇ ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇଛି। ନବ ଓ ସୁଦାମ ଉଭୟ ‘ଆଜସୁ’ (ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌) ଦଳରୁ ରାଜନୀତିରେ ପାଦ ଦେଇଥିଲେ। ଦୁଇବନ୍ଧୁ ଭାବେ ସେମାନେ ଗୋଟିଏଦଳରେ ଦୀର୍ଘବର୍ଷ ଧରି କାମ ମଧ୍ୟ କରିଛନ୍ତି। ତେବେ ଓଡ଼ିଶାରେ ‘ଆଜସୁ’ର ରାଜନୈତିକ ଭବିଷ୍ୟତ ନଥିବା ଦେଖି ଉଭୟ ଦଳ ଛାଡ଼ି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ସାମିଲ ହୋଇଥିଲେ। ଏଠାରେ ମଧ୍ୟ ଦୁହେଁ ବେଶ୍‌ କିଛି ବର୍ଷ ମିଳିତ ଭାବେ କାମ କରିଥିଲେ। ପରେ ନବ ଜେଏମ୍‌ଏମ୍‌ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏବଂ ଏହି ଦଳରୁ ତାଙ୍କ ରାଜନୈତିକ ଉତ୍‌ଥାନ ଆରମ୍ଭ ହୋଇଥିଲା। ୨୦୦୮ରୁ ୨୦୧୩ ମସିହା ଯାଏ ସେ ରାଇରଙ୍ଗପୁର ଏନ୍‌ଏସି ଅଧ୍ୟକ୍ଷ ଥିବାବେଳେ ୨୦୧୯ରେ ପ୍ରଥମ କରି ରାଇରଙ୍ଗପୁର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ।

ଅନ୍ୟପକ୍ଷରେ, ସୁଦାମ କିନ୍ତୁ ନ‌ବେ ଦଶକରୁ ରାଜନୀତିରେ ସଫଳତା ହାସଲ କରିବା ସହ ଆଜି ସୁଦ୍ଧା ‘ଆଜସୁ’, ଜେଏମ୍‌ଏମ୍‌, ବିଜେଡିରୁ ୫ ଥର ବିଧାୟକ ଓ ୨ ଥର ମନ୍ତ୍ରୀ ହୋଇଛନ୍ତି। ୨୦୦୪ରୁ ୨୦୦୯ ମସିହା ଯାଏ ସେ ଜେଏମ୍‌ଏମ୍‌ରୁ ଲୋକସଭା ସାଂସଦ ମଧ୍ୟ ଥିଲେ। ବର୍ତ୍ତମାନ ସେ ଗଣଶିକ୍ଷା ଓ ରାଜସ୍ବମନ୍ତ୍ରୀ ସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ଅଛନ୍ତି। ରାଜନୀତିରେ ଅଧିକ ଲୋକପ୍ରିୟତା ଓ ସଫଳତା ସାଉଁଟିଥିବା ସୁଦାମ କିନ୍ତୁ ଏଥର ନିଜ ପୁରୁଣା ବନ୍ଧୁଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ଏହା ଖୁବ୍‌ ରୋଚକ ହେବ ବୋଲି ରାଜନୀତି ବିଶାରଦଙ୍କ ମତ।

ସମ୍ବନ୍ଧିତ ଖବର