ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି: ଶ୍ରୀଜିଉଙ୍କ ମକର ଚଉରାଶି ବେଶ

ପୁରୀ: ଶ୍ରୀମନ୍ଦିରରେ ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁ ମକର ଚଉରାଶି ବେଶରେ ଦର୍ଶନ ଦେଇଛନ୍ତି। ଏଥିସହ ଆଜିଠାରୁ ଉତ୍ତରାୟଣ ଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ବିଭିନ୍ନ ମଠ, ମନ୍ଦିରରେ ବି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠମାନଙ୍କରେ ସ୍ବତନ୍ତ୍ର ଶୈଳୀରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହିଥିଲା। ସିଂହଦ୍ବାରରେ ଭକ୍ତଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା।

ଆଜି ଭୋର ୪ଟା ୩୫ରେ ଦ୍ବାରଫିଟା ନୀତି ପରେ ୫ଟା ୨୫ରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଗତକାଲି ଅଲାମଚଣ୍ଡୀ ମନ୍ଦିରରୁ ପଟୁଆରରେ ଯାଇଥିବା ମକର ତାଡ଼ରେ ଏହି ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା। ଏହାପରେ ରୋଷଘରୁ ମକର ଚଉରାଶି ଭୋଗ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡ଼ଦେଉଳକୁ ତିନିବେଢ଼ା ବୁଲି ଭିତରେ ପନ୍ତିରେ ବଢ଼ାଯାଇଥିଲା। ପନ୍ତିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ସ୍ୱତନ୍ତ୍ର ପଟୁଆରରେ ମକର ଚାଉଳକୁ ତିନିବେଢ଼ା ବୁଲାଇ ଛାମୁରେ ରଖିଥିଲେ। ପରେ ଘଣ୍ଟ, ଛତା, କାହାଳୀ ଆଦି ସହ ମହାଭୋଇ ସେବକମାନେ ବାଘମୁହାଁ ବାନ୍ଧି ଦୁଧ, ଗୁଡ଼ିଆ ସାକର ଓ ଫେଣା, ହଡପ ନାୟକ ନଳି, ପାନ ଆଦି ଆଣି ଶ୍ରୀମନ୍ଦିର ବେଢ଼ା ବୁଲି ପନ୍ତିରେ ରଖିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ। ପାଳିଆ ପୂଜାପଣ୍ଡାମାନଙ୍କ ଦ୍ୱାର ପଞ୍ଚ ଉପଚାରରେ ଭୋଗ ବଢ଼ିଥିଲା। ଟେରା ଫିଟିଲା ପରେ ମହାପ୍ରସାଦ ଭିତରେ ଥାଇ ତିନିବାଡ଼ରେ ବନ୍ଦାପନା ବଢ଼ିଥିଲା। ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ବନ୍ଦାପନା କରିଥିଲେ। ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ୮୪ ପ୍ରକାରର ଭୋଗ ଲାଗି ହୋଇଥିଲା। ସୁଆରମାନେ ଏହାକୁ ପ୍ରସ୍ତୁତ କରିଥିଲେ। ଏହାକୁ ମକର ଚଉରାଶି ଭୋଗ କୁହାଯାଏ।

ସମ୍ବନ୍ଧିତ ଖବର