ଠିକା ସଂସ୍ଥା ମ୍ୟାନେଜର୍‌ଙ୍କ ମୁଣ୍ଡ ଜାମିନ, ୧୦ ଲକ୍ଷ ଟଙ୍କା ବଟି ଦାବି

କୁଡ଼ିଆ ଘରୁ ମ୍ୟାନେଜର ଉଦ୍ଧାର, ମାରଣାସ୍ତ୍ର ଜବତ, ୬ ଦୁର୍ବୃତ୍ତ ଗିରଫ

ପୁରୀ : ଏକ ଠିକା ସଂସ୍ଥାର ମ୍ୟାନେଜରଙ୍କୁ ଅପହରଣ ଓ ବନ୍ଧୁକ ମୁନରେ ଦଶ ଲକ୍ଷ ଟଙ୍କା ଦାଦାବଟି ମଗାଯିବା ସହିତ ହତ୍ୟା ଧମକ ଦିଆଯାଇଥିଲା। ଖବର ପାଇ ଚନ୍ଦନପୁର ଥାନା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସ‌କ୍ଷମ ହୋଇଛି। ସେମାନଙ୍କ ନିକଟରୁ ପୁଲିସ ଦୁଇଟି ବନ୍ଧୁକ, ଖଣ୍ଡା ଓ ଅନ୍ୟାନ୍ୟ ହାତ ହତିଆର ଜବତ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଶୁକ୍ରବାର ଦିନ ଏହି ୬ ଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ମାମଲାର ତଦନ୍ତକାରୀ ଅଧିକାରୀ ଚନ୍ଦନପୁର ଥାନା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ସୂତ୍ରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁର ଉମାକାନ୍ତ ସାହୁ(୫୪) ଜଣେ ଠିକାଦାର ଭାବେ ଗବକୁଣ୍ଡ ବ୍ରିଜ୍‌ ନିର୍ମାଣ କାମ କରୁଛନ୍ତି। ତେବେ ଗତ ୯ ତାରିଖ ଦିନ ବାଟଗାଁର ସୁବାସ ସ୍ବାଇଁ ଫୋନ୍‌ରେ ଉମାକାନ୍ତଙ୍କୁ ଦାଦାବଟି ମାଗିଥିଲା। ତାପରେ ପିତେଇପୁରର ପ୍ରକାଶ ସ୍ବାଇଁ ମଧ୍ୟ ତାଙ୍କୁ କାମର ୨ ପ୍ରତିଶତ କମିଶନ ଦାବି କରିଥିଲା। ପୁଣି ଗତକାଲି ସାଢ଼େ ଦୁଇଟା ସମୟରେ ସେମାନେ ଉମାକାନ୍ତଙ୍କୁ ଦାଦାବଟି ମାଗି ନମିଳିବାରୁ ତାଙ୍କ ମ୍ୟାନେଜର ପ୍ରଦୀପ ସ୍ବାଇଁଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହେବାରୁ ଥାନାରେ ଏକ ମାମଲା ରୁଜୁ କରି ଆଇଆଇସି ବେହେରା ଓ ତାଙ୍କ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ରାତି ସ‌ାଢ଼େ ଦଶଟା ସମୟରେ ପିତେଇପୁରରୁ ପ୍ରକାଶର ଏକ କୁଡ଼ିଆ ଘରୁ ପ୍ରଦୀପଙ୍କୁ ଉଦ୍ଧାର କରିବା ସହିତ ସେଠାରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନେ ହେଲେ; ପ୍ରକାଶ ସ୍ବାଇଁ(୪୪) ସମେତ ଚନ୍ଦନପୁର ଥାନା ଅନ୍ତର୍ଗତ ଦାଣ୍ଡ ସାହିର ବାପି ଓରଫ ସୋମନାଥ ବାରିକ(୨୭), ଦାସଗୋବା ଅଞ୍ଚଳର ରାକୁ ଓରଫ ସୁଶାନ୍ତ ବାରିକ(୩୨) ଓ ଜୟା ମୁଦୁଲି(୨୫) ଓ ଚନ୍ଦନପୁର ଥାନା ଅନ୍ତର୍ଗତ ଜାନକାଦେଇପୁରର ରାମି ଓରଫ ଉମେଶ ଦାସ(୩୦) ଓ ଜଗୁ ଓରଫ ମହେଶ ସେଠୀ(୨୪)। ପୁଲିସ ଆଜି ଏହି ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର