ନିଶା ମାଫିଆଙ୍କୁ ଜେଲ୍‌ରେ ଜେରାକରୁଛି ଇଡି

ଭୁବନେଶ୍ବର : ଓଡ଼ିଶାରେ ବ୍ରାଉନ୍‌ସୁଗାର ଓ ଗଞ୍ଜେଇ କାରବାରର ଚେର ଟାଣ କରି ଗିରଫ ହୋଇଥିବା ୫ କୁଖ୍ୟାତ୍‌ ନିଶାମାଫିଆଙ୍କୁ ଜେଲ୍‌ରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଝାରପଡ଼ା ଜେଲ୍‌ରେ ଇଡିର ଦୁଇଟି ସ୍ବତନ୍ତ୍ର ଟିମ୍‌ ଦ୍ବାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ଜେରାର ସମ୍ମୁଖୀନ ହୋଇଛି ପଶ୍ଚିମବଙ୍ଗ ମୁର୍ସିଦାବାଦର କୁଖ୍ୟାତ୍ ସେକ୍‌ ନାସିମ୍‌ ଓ ସେକ୍‌ ଆସିକ୍‌।

ସୂଚନାନୁସାରେ ସେକ୍‌ ନାସିମ୍‌ ଓ ସେକ୍‌ ଆସିକ୍‌ ହେଉଛନ୍ତି ଗଞ୍ଜେଇ କାରବାରର କିଙ୍ଗପିନ୍‌। ଓଡ଼ିଶାରୁ ଗଞ୍ଜେଇ ନେଇ ସେମାନେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟକୁ ଚାଲାଣ କରୁଥିଲେ। ଏମାନେ ପ୍ରାୟ ୪ କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭୁବନେଶ୍ବରରୁ ଗିରଫ ହୋଇଥିଲେ। ଏହି ଦୁଇ ନିଶା ମାଫିଆ ଅନ୍ତର୍ଜାତୀୟ ନିଶା ବେପାରୀ ବୋଲି ଜଣାପଡ଼ିବା ପରେ ଇଡି ସେମାନଙ୍କୁ ଜେରା କରିଛି। ନିଶା କାରବାରରୁ ସେମାନେ ଠୁଳ କରିଥିବା ସମ୍ପତ୍ତି ବାଜ୍ୟା‌ପ୍ତି କରିବା ପାଇଁ ିଡି ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ଏହା ପରେ ଇଡିର ଜେରାର ସମ୍ମୁଖୀନ ହେବ ବ୍ରାଉନ୍‌ସୁଗାର ବେପାରୀ ଦେବାଶିଷ ବେହେରା। ଜଳେଶ୍ବରରୁ ବ୍ରାଉନ୍‌ସୁଗାର ଚାଲାଣ କରି ସେ ରାଜଧାନୀ ସମତେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ତା’ର ନେଟ୍‌ୱର୍କ ବିଛାଇଥିଲା। ତାକୁ ରସୁଲଗଡ଼ରୁ ଗିରଫ କରାଯାଇଥିଲା ଓ ତା’ ନିକଟରୁ ସାଢ଼େ ୪ କୋଟି ଟଙ୍କାର ଧଳାଜହର ଜବତ ହୋଇଥିଲା। ଦେବାଶିଷର ନିଶା କାରବାର ଚେର ଓଡ଼ିଶାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଥିଲା ବୋଲି ଜଣାପଡ଼ିଛି। ସେହିଭଳି ବରମୁଣ୍ଡାରେ ଧରାପଡ଼ିଥିବା ବ୍ରାଉନ୍‌ସୁଗାର ବେପାରୀ ସେକ୍ ହାସିମ୍ ବାଗ୍‌କୁ ଇଡି ଜେରା କରିବ ବୋଲି ସୂଚନା ମିଳିଛି। ହାସିମ୍‌ଠାରୁ ଦେଢ଼ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ସେହିଭଳି ବାଲେଶ୍ବରରୁ ଗିରଫ ହୋଇଥିବା ବିଟେକ୍‌ ଛାତ୍ର ଲୋକନାଥ ବେହେରା ପାଖରୁ ଅଢ଼େଇ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ଏମାନେ ସମସ୍ତେ ନିଶା କାରବାରର ମାଷ୍ଟରମାଇଣ୍ଡ ଥିଲେ।

ସମ୍ବନ୍ଧିତ ଖବର