ମାଓବାଦୀଙ୍କ ବର୍ବରକାଣ୍ଡ : ଚିତ୍ରକୋଣ୍ଡା ଘାଟରେ ବୋଟ୍‌ ଚାଳକଙ୍କୁ ହତ୍ୟା

ବୋଟ୍‌ ଲୁଟିନେଲେ, ଆଗରୁ ବି ଥିଲେ ଟାର୍ଗେଟ୍‌ରେ 

ମାଲକାନଗିରି : ବନ୍ଦ ପାଳନର ଦିନକ ପରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ରାତି ଅନ୍ଧାରରେ ହିଂସା ଘଟାଉଥିବା ମାଓବାଦୀ ପୁଲିସକୁ ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ତୋଟାପଦର ଗ୍ରାମର ସୋମା ପାଙ୍ଗି (୫୫)। ଚିତ୍ରକୋଣ୍ଡା ସ୍ପିଲେଓ୍ଵ ଘାଟରେ ସେ ବୋଟ୍‌ ଚଳାଉଥିଲେ। ଏହି ହତ୍ୟାକାଣ୍ଡରେ ୬ଜଣ ମାଓବାଦୀ ସଂପୃକ୍ତ ଥିବା କୁହାଯାଉଛି। ହତ୍ୟା ପରେ ମାଓବାଦୀ ସୋମାଙ୍କ ବୋଟ୍‌କୁ ମଧ୍ୟ ନେଇ ଚାଲି ଯାଇଛନ୍ତି। ପୁଲିସ ଓ ଯବାନଙ୍କ ଶିବିରକୁ ରାସନ୍‌ ପରିବହନ କରିଥିବାରୁ ତାଙ୍କୁ ମାଓବାଦୀ ଦେଇଥିବା ଆଲୋଚନା ହେଉଛି। ଏହି ଘଟଣା ପରେ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ମାଓବାଦୀ ପୁଲିସର ରାସନ ନେଇ ଯାଉଥିବା ବୋଟକୁ ଟାର୍ଗେଟ କରି ଲୁଟ୍‌ କରିଥିଲେ। ଏହି ସମୟରେ ସେମାନେ ଅନ୍ୟ ବୋଟ ଚାଳକଙ୍କୁ ମଧ୍ୟ ପୁଲିସକୁ ସହାୟତା ନକରିବାକୁ ଚେତାବନୀ ଦେଇଥିଲେ। ତେଣୁ ନିଜ ବୋଟରେ କ୍ୟାମ୍ପକୁ ରାସନ ପଠାଉଥିବା ସୋମା ନକ୍ସଲଙ୍କ ଟାର୍ଗେଟରେ ରହିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୦ମିନଟରେ ଚିତ୍ରକୋଣ୍ଡା ସ୍ପିଲୱେ ଘାଟ ନିକଟରେ କିଛି ଜଣ ଲୁଡୁ ଖେଳୁଥିବା ବେଳେ ସୋମା ବସି ଖେଳ ଦେଖୁଥିଲେ। ଏହି ସମୟରେ ସାଧା ପୋଷାକରେ ହଠାତ୍‌ ଦୁଇ ଜଣ ମାଓବାଦୀ ନଦୀ ଘାଟରେ ବୋଟରୁ ଓହ୍ଲାଇ ତାଙ୍କ ପାଖକୁ ଆସିଥିଲେ। ୩୦୩ ବନ୍ଧୁକରୁ ତାଙ୍କ ଉପରକୁ ୪ରାଉଣ୍ଡ ଗୁଳି ଚଲାଇଥିଲେ। ସେଥିରୁ ୩ରାଉଣ୍ଡ ଗୁଳି ତାଙ୍କ ନାକ, ବେକ ଏବଂ ଛାତିରେ ବାଜି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଆତଙ୍କିତ ଲୋକ ଘଟଣା ସ୍ଥଳରୁ ଦୌଡିଥିବା ବେଳେ ବୋଟକୁ ମାଓବାଦୀ ସାଥିରେ ନେଇ ଚାଲି ଯାଇଥିଲେ। ହତ୍ୟାକାଣ୍ଡ ସମୟରେ ବୋଟରେ ୪ଜଣ ମାଓବାଦୀ ଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଖବର ପାଇବାର କିଛି ଘଣ୍ଟା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବିଚ୍ଛିନ୍ନାଞ୍ଚଳର ମୂଳ ବାସିନ୍ଦା ସୋମା ପାଙ୍ଗିଙ୍କର ଉକ୍ତ ଅଞ୍ଚଳରେ ବେଶ ପ୍ରଭାବ ରହିଥିଲା। ତେବେ ଦୁଇ ବର୍ଷ ତଳେ ମାଓବାଦୀ ତାଙ୍କୁ ପ୍ରଥମେ ଟାର୍ଗେଟ କରିଥିଲେ। ପୁଅ ଆନ୍ଧ୍ରରେ ରହି ପୁଲିସର ଇନଫର୍ମର ଭାବେ କାମ କରୁଥିବା ଅଭିଯୋଗ କରି ଦିନେ ନକ୍ସଲ ତାଙ୍କୁ ଘରୁ ଟେକି ନେଇ ନିସ୍ତୁକ ପିଟିଥିଲେ। ପୁଅକୁ ପ୍ରଜାକୋର୍ଟରେ ହାଜର କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ସେ ପରିବାରକୁ ଗାଁରେ ଛାଡି ଚିତ୍ରକୋଣ୍ଡା ଚାଲି ଆସିଥିଲେ। ସ୍ପିଲେଓ୍ଵ ଘାଟରେ ଗୋଟିଏ ବୋଟ ଚଳାଉଥିଲେ।

ଯାତ୍ରୀ ପରିବହନ ସହ କୁନ୍ତରପଦର ଠାରେ ରହିଥିବା ପୁଲିସ କ୍ୟାମ୍ପକୁ ତାଙ୍କ ବୋଟ୍‌ରେ ନିୟମିତ ଭାବେ ରାସନ ସାମଗ୍ରୀ ନେବା ଆଣିବା କରୁଥିଲେ। ଯାହାଫଳରେ ପୁଣି ନକ୍ସଲଙ୍କ ଟାର୍ଗେଟ୍‌କୁ ସେ ଚାଲି ଆସିଥିଲେ। ଆକ୍ରୋଶ ମୂଳକ ଭାବେ ଶେଷରେ ନକ୍ସଲ ଗାଁରେ ରହୁଥିବା ସୋମାଙ୍କ ଦୁଇ ପତ୍ନୀଙ୍କ ମଧ୍ୟରୁ ଦ୍ୱିତୀୟ ପତ୍ନୀ ସାନି ମାଢିଙ୍କୁ ଗତ ସେପ୍ଟେମ୍ବର ମାସ ୧ତାରଖ ଦିନ ପ୍ରଜାକୋର୍ଟକୁ ଡାକି ସ୍ୱାମୀ ଓ ପୁଅ ପୁଲିସ ଇନଫର୍ମର ଭାବେ କାମ କରୁଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ। ତେଣୁ ସାନି ମଧ୍ୟ ଗାଁ ଛାଡି ୨ତାରିଖ ଦିନ ଚିତ୍ରକୋଣ୍ଡାରେ ରହୁଥିବା ସ୍ୱାମୀଙ୍କ ନିକଟକୁ ଚାଲି ଆସିଥିଲେ। ଏହାପରେ ଆଜି ସୋମାଙ୍କୁ ସମସ୍ତଙ୍କ ସାମ୍ନାରେ  ମାଓବାଦୀ ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର